Latest Odisha News

BREAKING NEWS

ଚଢାଉ ବେଳେ ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ! ଚାଳକ ଅଟକ

ମୋରଡ଼ା:ବେଆଇନ ଲଘୁ ଖଣିଜ ଚାଲାଣ ବେଳେ ଚଢାଉ କରିବାକୁ ଯାଇଥିବା ବେଳେ ଜଣେ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ । ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଲଘୁ ଖଣିଜ ଚାଲାଣ ରୋକିବାକୁ ଯାଇ ଜଣେ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଏହି ଘଟଣାରେ ରାସଗୋବିନ୍ଦପୁର ତହସିଲଦାର ଉପେନ୍ଦ୍ର କୁମାର ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ତହସିଲଦାର ଉପେନ୍ଦ୍ର କୁମାର ଦାସ ବାଛୁରୀପାଳ ଛକ ନିକଟରେ ବେଆଇନ ଲଘୁ ଖଣିଜ ପରିବହନ ବିରୋଧରେ ସରକାରୀ ଯାଞ୍ଚ କାର୍ଯ୍ୟ କରୁଥିଲେ। ଏହି ସମୟରେ ଓଡି-୧୧-ୟୁ-୪୮୧୨ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟରକୁ ସେ ଚିହ୍ନଟ କରିଥିଲେ। ରାମଚନ୍ଦ୍ରପୁର ଗ୍ରାମର ଚନ୍ଦୁ ବାସ୍କେ ଉକ୍ତ ଟ୍ରାକ୍ଟର ଚଳାଉଥିବା ବେଳେ ବିନା ବୈଧ ଅନୁମତି, ଟ୍ରାନଜିଟ୍ ପାସ୍ କିମ୍ବା ଆବଶ୍ୟକୀୟ କାଗଜପତ୍ରରେ ବେଆଇନ ଉତ୍ସରୁ ମୋରମ ପରିବହନ କରୁଥିବା ଅଭିଯୋଗ ହୋଇଛି। ତହସିଲଦାର ଟ୍ରାକ୍ଟରଟିକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଚାଳକ ଚନ୍ଦୁ ବାସ୍କେ ତାଙ୍କ ଗାଡ଼ିକୁ ଧକ୍କା ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି। ପରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ।

ଏହି ଘଟଣାକୁ ନେଇ ରାସଗୋବିନ୍ଦପୁର ଥାନାରେ କେସ୍ ନଂ ୬୦୫/୨୬ରେ ମାମଲା ରୁଜୁ ହୋଇଛି। ପୋଲିସ ଟ୍ରାକ୍ଟରଟିକୁ ଜବତ କରିଥିବା ବେଳେ ଚାଳକ ଚନ୍ଦୁ ବାସ୍କେଙ୍କୁ ଥାନାରେ ଅଟକ ରଖିଛି। ଏହି ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.