Latest Odisha News

BREAKING NEWS

Modi Slams Congress: ସମ୍ବିଧାନ ଦିବସରେ କଂଗ୍ରେସକୁ ମୋଦୀଙ୍କ ଶାଣିତ ଆକ୍ରମଣ! ଜରୁରୀକାଳୀନ ପରିସ୍ଥିତି, ଧାରା ୩୭୦ ଓ ମହିଳା ସଂରକ୍ଷଣକୁ ନେଇ ଉଠାଇଲେ ବଡ଼ ପ୍ରଶ୍ନ…

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜରୁରୀକାଳୀନ ପରିସ୍ଥିତିଠାରୁ ଆରମ୍ଭ କରି ସମ୍ବିଧାନରେ ବାରମ୍ବାର ସଂଶୋଧନ, ନିର୍ବାଚିତ ରାଜ୍ୟ ସରକାରଙ୍କୁ ବରଖାସ୍ତ ଏବଂ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉଠାଇ ପୂର୍ବତନ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି ମୋଦୀ। ଏଥିସହ ମହିଳା ସଂରକ୍ଷଣ, ବିରୋଧୀ ଦଳର ଭୂମିକା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପ ଉପରେ ମଧ୍ୟ ମତ ରଖିଛନ୍ତି।

ନଭେମ୍ବର ୨୬ ତାରିଖକୁ ସାରା ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ୧୯୪୯ ମସିହା ଏହି ଦିନରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା। ଏହି ଅବସରରେ ଡକ୍ଟର ବିଆର୍ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ସମେତ ସମ୍ବିଧାନ ପ୍ରଣୟନରେ ଯୋଗଦାନ ଦେଇଥିବା ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ମୋଦୀ କହିଛନ୍ତି, ଭାରତର ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ବରଂ ଏହା ଦେଶର ଗଣତାନ୍ତ୍ରିକ ଯାତ୍ରାର ମାର୍ଗଦର୍ଶକ। ସମ୍ବିଧାନର ମୂଲ୍ୟବୋଧ କେବଳ ସଂସଦ କିମ୍ବା ନ୍ୟାୟାଳୟ ମଧ୍ୟରେ ସୀମିତ ନରହି ପ୍ରତ୍ୟେକ ନାଗରିକଙ୍କ ଜୀବନର ଅଂଶ ହେବା ଆବଶ୍ୟକ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ତାଙ୍କ ସରକାର ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି।

ମୋଦୀ ତାଙ୍କ ଲେଖାରେ ୧୯୫୧ ମସିହାର ପ୍ରଥମ ସମ୍ବିଧାନ ସଂଶୋଧନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ସେତେବେଳେ ନିର୍ବାଚିତ ହୋଇନଥିବା ସରକାର ଅସ୍ଥାୟୀ ସଂସଦରେ ନିଜର ସଂଖ୍ୟାଗରିଷ୍ଠତାକୁ ବ୍ୟବହାର କରି ନାଗରିକଙ୍କ ମୌଳିକ ସ୍ୱାଧୀନତାକୁ ସଂକୁଚିତ କରିଥିଲା। ସେ ଆହୁରି କହିଛନ୍ତି ଯେ, ଦେଶର ପ୍ରଥମ ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏହି ସଂଶୋଧନ ଅଣାଯାଇଥିଲା। ଏହା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଏବଂ ସରକାରଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ଦମନ କରିବା ଉଦ୍ଦେଶ୍ୟରେ ହୋଇଥିଲା ବୋଲି ମୋଦୀ ନିଜ ଲେଖାରେ ଅଭିଯୋଗ କରିଛନ୍ତି।

୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ମଧ୍ୟ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ ଅଣାଯାଇଥିବା ୪୨ତମ ସମ୍ବିଧାନ ସଂଶୋଧନ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ଏହି ସଂଶୋଧନ ନ୍ୟାୟିକ ସମୀକ୍ଷାର କ୍ଷମତାକୁ ସୀମିତ କରିବା ସହ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ମଧ୍ୟରେ କ୍ଷମତାର ସନ୍ତୁଳନକୁ ପ୍ରଭାବିତ କରିଥିଲା। ଏଥିସହ ୩୮ତମ ଓ ୩୯ତମ ସମ୍ବିଧାନ ସଂଶୋଧନକୁ ମଧ୍ୟ ଯୁବପିଢ଼ି ଅଧ୍ୟୟନ କରିବା ଉଚିତ ବୋଲି ମୋଦୀ କହିଛନ୍ତି। ତାଙ୍କ ମତରେ, କ୍ଷମତାଲୋଭୀ ଏବଂ ସମ୍ବିଧାନ ବିରୋଧୀ ନେତୃତ୍ୱ କିଭଳି ସାମ୍ବିଧାନିକ ବ୍ୟବସ୍ଥାକୁ ପ୍ରଭାବିତ କରିପାରେ, ତାହା ଏହି ସଂଶୋଧନଗୁଡ଼ିକରୁ ଜାଣିହେବ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଥିବା ଧାରା ୩୫୬ର ବ୍ୟବହାରକୁ ନେଇ ମଧ୍ୟ ପୂର୍ବ ସରକାରଗୁଡ଼ିକୁ ଘେରିଛନ୍ତି ମୋଦୀ। ତାଙ୍କ ଅଭିଯୋଗ ହେଉଛି, ଗୋଟିଏ ରାଜନୈତିକ ଦଳ ପ୍ରାୟ ୧୦୦ ଥର ଏହି ଧାରାକୁ ବ୍ୟବହାର କରି ନିର୍ବାଚିତ ରାଜ୍ୟ ସରକାରଗୁଡ଼ିକୁ ବରଖାସ୍ତ କରିଥିଲା। ଏପରିକି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଏକାକୀ ପ୍ରାୟ ୫୦ ଥର ଏହି ବ୍ୟବସ୍ଥାର ବ୍ୟବହାର କରିଥିବା ମୋଦୀ ନିଜ ଲେଖାରେ ଉଲ୍ଲେଖ କରିଛନ୍ତି। ସମ୍ବିଧାନର ସୁରକ୍ଷା ଦାୟିତ୍ୱରେ ଥିବା ଲୋକମାନେ ହିଁ ଏହାକୁ ଦୁର୍ବଳ କରିବାର ଉଦାହରଣ ରହିଛି ବୋଲି ସେ କହିଛନ୍ତି।

ଜମ୍ମୁ-କଶ୍ମୀରର ପୂର୍ବତନ ସ୍ୱତନ୍ତ୍ର ସାମ୍ବିଧାନିକ ମାନ୍ୟତାକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଧାରା ୩୭୦ ଓ ୩୫ଏ ଯୋଗୁଁ ୭୦ ବର୍ଷରୁ ଅଧିକ ସମୟ ଧରି ଜମ୍ମୁ-କଶ୍ମୀରରେ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇପାରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହି ବ୍ୟବସ୍ଥା ଯୋଗୁଁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ମହିଳାମାନେ ସମ୍ବିଧାନ ପ୍ରଦତ୍ତ ଅଧିକାରରୁ ବଞ୍ଚିତ ହୋଇଥିଲେ ବୋଲି ମୋଦୀ କହିଛନ୍ତି। ୨୦୧୯ ମସିହାରେ କେନ୍ଦ୍ର ସରକାର ଧାରା ୩୭୦ର ପ୍ରଭାବକୁ ହଟାଇବା ନିଷ୍ପତ୍ତିକୁ ଏକ ଐତିହାସିକ ଭୁଲ୍‌ର ସୁଧାର ବୋଲି ଅଭିହିତ କରିଛନ୍ତି ସେ। ଏହାପରେ ଜମ୍ମୁ-କଶ୍ମୀର ରାଜ୍ୟକୁ ପୁନର୍ଗଠନ କରାଯାଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଥିଲା।

ସମ୍ବିଧାନ ଦିବସରେ ମହିଳାଙ୍କ ରାଜନୈତିକ ଅଧିକାର ଓ ପ୍ରତିନିଧିତ୍ୱକୁ ନେଇ ମଧ୍ୟ ବଡ଼ କଥା କହିଛନ୍ତି ମୋଦୀ। ଦେଶର ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ପାଇଁ ଉଦ୍ଦିଷ୍ଟ ଆଇନ ପ୍ରଣୟନରେ ବିରୋଧୀ ବାଧା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ମୋଦୀ କହିଛନ୍ତି, ମହିଳାଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ହେଉଛି ସମ୍ବିଧାନ ପ୍ରଦତ୍ତ ନ୍ୟାୟ ଓ ସମାନତା ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦେଶର ନାରୀଶକ୍ତିଙ୍କୁ ଆଶ୍ୱାସନା ଦେଇ ସେ ଲେଖିଛନ୍ତି ଯେ, ମହିଳାଙ୍କୁ ନ୍ୟାୟ ଦେବାରୁ କୌଣସି ଶକ୍ତି ରୋକିପାରିବ ନାହିଁ। ଏହାସହ ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ଦଳର ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। କେବଳ ହଟ୍ଟଗୋଳ ଓ ବାଧା ସୃଷ୍ଟି ନକରି ଗଠନମୂଳକ ସମାଲୋଚନା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆଗକୁ ନେବା ଉଚିତ ବୋଲି ସେ କହିଛନ୍ତି। ଏଥିସହ ଓବିସି ସଂରକ୍ଷଣ ସମ୍ପର୍କିତ ରାଜନୈତିକ ବିତର୍କକୁ ମଧ୍ୟ ଉଠାଇଛନ୍ତି।

ନିଜ ଲେଖାର ଶେଷରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ଦୋହରାଇଛନ୍ତି ମୋଦୀ। ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜ ଦାୟିତ୍ୱ ପ୍ରତି ସଚେତନ ହେବାକୁ ଆହ୍ୱାନ ଦେଇଛନ୍ତି। ଦେଶକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ ନିଜ କର୍ତ୍ତବ୍ୟକୁ ଗୁରୁତ୍ୱ ଦେବା ହିଁ ବିକଶିତ ଭାରତ ଗଠନର ମୂଳମନ୍ତ୍ର ବୋଲି ସେ ମତ ରଖିଛନ୍ତି।

ଏହାସହ ସୋସିଆଲ ମିଡିଆ ‘ଏକ୍ସ’ରେ ମଧ୍ୟ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୋଦୀ। ଡକ୍ଟର ବିଆର୍ ଆମ୍ବେଦକର ଏବଂ ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ସ୍ମରଣ କରି ସେ କହିଛନ୍ତି, ଭାରତୀୟ ସମ୍ବିଧାନ ଦେଶର ଗଣତନ୍ତ୍ର ପାଇଁ ଏକ ଅମୂଲ୍ୟ ଐତିହ୍ୟ। ଏହା ଆଗାମୀ ଦିନରେ ମଧ୍ୟ ବିକଶିତ ଭାରତ ଗଠନର ସଂକଳ୍ପକୁ ମାର୍ଗଦର୍ଶନ କରିବ।

Leave A Reply

Your email address will not be published.