Warning Labels on Packaged Food: ଏଣିକି ଖାଦ୍ୟ ପ୍ୟାକେଟ୍ରେ ରହିବ ଲାଲ୍ ବିପଦ ସଙ୍କେତ! FSSAIକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ…
ନୂଆଦିଲ୍ଲୀ: ପ୍ୟାକେଟ୍ ଖୋଲିବା ପୂର୍ବରୁ ହିଁ ଜାଣିପାରିବେ ଭିତରେ ଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ! ଚିପ୍ସ, ବିସ୍କୁଟ୍ ହେଉ କି ଅନ୍ୟ କୌଣସି ପ୍ୟାକେଟ୍ ଖାଦ୍ୟ, ଏଣିକି ଏହାର ସାମ୍ନା ପଟେ ଲାଗିବ ଲାଲ୍ ରଙ୍ଗର ବିପଦ ସଙ୍କେତ। ଅଧିକ ଚିନି, ଲୁଣ ଓ ଫ୍ୟାଟ୍ ଥିବା ଖାଦ୍ୟକୁ ନେଇ ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏନେଇ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI)କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ନଭେମ୍ବର ୨୬, ସମ୍ବିଧାନ ଦିବସ ଅବସରରେ ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନରେ ସ୍ୱାସ୍ଥ୍ୟର ଅଧିକାରକୁ ଗୁରୁତ୍ୱ ଦିଆଯାଇଛି। ତେଣୁ ଲୋକଙ୍କୁ ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ସଚେତନ କରିବା ଅତ୍ୟନ୍ତ ଜରୁରୀ ବୋଲି କୋର୍ଟ କହିଛନ୍ତି।
ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ଖାଦ୍ୟ ପ୍ୟାକେଟ୍ର ସାମ୍ନା ପଟେ ଅଲଗା ଅଲଗା ତ୍ରିଭୁଜ ଭିତରେ ଏକ ବିସ୍ମୟ ସୂଚକ ଚିହ୍ନ ରହିବ। ଏଥିରେ ବଡ଼ ଅକ୍ଷରରେ ‘HIGH SUGAR’, ‘HIGH SALT’ ଏବଂ ‘HIGH FAT’ ଲେଖାଯିବ। ପ୍ରତ୍ୟେକ ଚେତାବନୀ ଚିହ୍ନ ପ୍ୟାକେଟ୍ର ସାମ୍ନା ଭାଗର ଅତି କମ୍ରେ ୪ରୁ ୫ ପ୍ରତିଶତ ସ୍ଥାନ ନେବ। ଫଳରେ ଗ୍ରାହକ ଦୂରରୁ ମଧ୍ୟ ଏହାକୁ ସହଜରେ ଦେଖିପାରିବେ।
ଏଣିକି କେବଳ ଖାଦ୍ୟରେ ମିଶାଯାଇଥିବା ଚିନି ନୁହେଁ, ବରଂ ମୋଟ ଚିନି, ସାଚୁରେଟେଡ୍ ଫ୍ୟାଟ୍ ଓ ଲୁଣର ପରିମାଣକୁ ଆଧାର କରି ଚେତାବନୀ ଦିଆଯିବ। ଏଥିପାଇଁ ନୂଆ ସୀମା ନିର୍ଦ୍ଧାରଣ କରିବ FSSAI। DGI 2024ର ଟେବୁଲ୍ 15.1କୁ ଅପରିବର୍ତ୍ତିତ ଭାବେ ଲାଗୁ କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ FSSAIକୁ ୪ ମାସ ସମୟ ଦିଆଯାଇଛି। ଏହାସହ ୧୦ ସପ୍ତାହ ପରେ କାର୍ଯ୍ୟର ଅଗ୍ରଗତି ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।
କେବଳ ଖାଦ୍ୟ ପ୍ୟାକେଟ୍ରେ ଚେତାବନୀ ନୁହେଁ, ପିଲାଙ୍କୁ ଛୋଟବେଳୁ ସୁସ୍ଥ ଖାଦ୍ୟାଭ୍ୟାସ ସମ୍ପର୍କରେ ଶିକ୍ଷା ଦେବାକୁ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ସ୍କୁଲ୍ ପାଠ୍ୟକ୍ରମରେ ପୋଷଣ ସମ୍ପର୍କିତ ଶିକ୍ଷା ସାମିଲ ହେବା ସହ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ।
ତେବେ ଏହି ନିୟମ ଲାଗୁ ହେବା ପରେ ଖାଦ୍ୟ ପ୍ୟାକେଟ୍ରେ ଥିବା ଆକର୍ଷଣୀୟ ବିଜ୍ଞାପନ ନୁହେଁ, ବରଂ ଲାଲ୍ ଚିହ୍ନ ହିଁ ଗ୍ରାହକଙ୍କ ନଜରକୁ ଆସିବ। ଯଦି ଆପଣ କିଣୁଥିବା ଚିପ୍ସ, ବିସ୍କୁଟ୍ କିମ୍ବା ଅନ୍ୟ ପ୍ୟାକେଟ୍ ଖାଦ୍ୟରେ ‘HIGH SUGAR’, ‘HIGH SALT’ କିମ୍ବା ‘HIGH FAT’ ଲେଖାଥିବା ଲାଲ୍ ଚିହ୍ନ ଦେଖନ୍ତି, ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଏଭଳି ଖାଦ୍ୟ ନିୟମିତ ଖାଇବା ଠାରୁ ଦୂରେଇ ରହିବା ସହ ଏହା ବଦଳରେ ସ୍ୱାସ୍ଥ୍ୟକର ଖାଦ୍ୟ ବାଛିବା ଭଲ। ତେବେ ଲାଲ୍ ଚିହ୍ନ ଥିବା ଖାଦ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ ନୁହେଁ, ଏହା ଗ୍ରାହକଙ୍କୁ ସତର୍କ କରାଇବା ପାଇଁ ଏକ ସ୍ପଷ୍ଟ ସଙ୍କେତ। ଏବେ ଅପେକ୍ଷା FSSAIର ନୂଆ ନିୟମକୁ, ଯାହା ପରେ ଆପଣଙ୍କ ପସନ୍ଦର ଖାଦ୍ୟ କିଣିବା ପୂର୍ବରୁ ଦୁଇଥର ଭାବିବାକୁ ପଡ଼ିପାରେ!
