Latest Odisha News

BREAKING NEWS

ବଡ଼ ଭାଇଙ୍କ ଅଧିନାୟକତ୍ୱରେ ସାନ ଭାଇଙ୍କ କମାଲ: କୁଚ୍ ବେହାର ଟ୍ରଫିରେ ୭ ୱିକେଟ୍ ନେଲେ ବେଦାନ୍ତ ସେହୱାଗ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ୱାଗଙ୍କ ସାନ ପୁଅ ବେଦାନ୍ତ  ସେହ୍ୱାଗ ଘରୋଇ କ୍ରିକେଟରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି  । କୁଚ୍ ବେହାର ଟ୍ରଫି (ଅଣ୍ଡର-୧୯) ଏଲିଟ୍ ଗ୍ରୁପ୍ ମ୍ୟାଚ୍‌ରେ ଦିଲ୍ଲୀ ପକ୍ଷରୁ ଖେଳି ୧୬ ବର୍ଷୀୟ ଅଫ୍-ସ୍ପିନର ବେଦାନ୍ତ ପଞ୍ଜାବ ବିପକ୍ଷରେ ଘାତକ ବୋଲିଂ କରି ୭ଟି ୱିକେଟ୍ ଅକ୍ତିଆର କରିଛନ୍ତି । ରୋପରଠାରେ ଖେଳାଯାଉଥିବା ଏହି ଚାରିଦିନିଆ ମ୍ୟାଚ୍‌ର ପ୍ରଥମ ଦିନରେ ବେଦାନ୍ତ ୨୨.୩ ଓଭର ବୋଲିଂ କରି ୫ଟି ମେଡେନ୍ ସହ ୮୮ ରନ୍ ଦେଇ ପଞ୍ଜାବ ବ୍ୟାଟିଂ ଲାଇନ୍-ଅପ୍‌କୁ ଧ୍ୱସ୍ତ କରିଦେଇଥିଲେ । ତାଙ୍କ ଶାଣିତ ବୋଲିଂ ଯୋଗୁଁ ପଞ୍ଜାବ ପ୍ରଥମ ଇନିଂସରେ ୬୫.୩ ଓଭରରେ ମାତ୍ର ୨୩୮ ରନ୍ କରି ଅଲ୍-ଆଉଟ୍ ହୋଇଯାଇଥିଲା ।

ଏହି ମ୍ୟାଚ୍‌ର ସବୁଠାରୁ ଖାସ୍ କଥା ହେଉଛି, ଦିଲ୍ଲୀ ଦଳର ନେତୃତ୍ୱ ନେଉଛନ୍ତି ବେଦାନ୍ତଙ୍କ ବଡ଼ ଭାଇ ୧୯ ବର୍ଷୀୟ ଆର‌୍ୟ୍ୟବୀର  ସେହ୍ୱାଗ । ପ୍ରଥମ ଇନିଂସରେ ଦିଲ୍ଲୀ ପକ୍ଷରୁ ଓପନିଂ କରି ଆର‌୍ୟ୍ୟବୀର ୯୪ ବଲ୍‌ରୁ ଧୈର‌୍ୟ୍ୟପୂର୍ଣ୍ଣ ୩୧ ରନ୍‌ର ଇନିଂସ ଖେଳିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ଦ୍ୱୀପ ଗଲହୋତ୍ରାଙ୍କ ସହ ୬୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଗଢ଼ିଥିଲେ । ଗୋଟିଏ ପଟେ ବଡ଼ ଭାଇ ଆର‌୍ୟ୍ୟବୀର ନିଜ ବ୍ୟାଟିଂ ଓ ଅଧିନାୟକତ୍ୱରେ ଚମକୁଥିବା ବେଳେ ସାନ ଭାଇ ବେଦାନ୍ତ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରି ପିତା ବୀରେନ୍ଦ୍ର  ସେହ୍ୱାଗଙ୍କୁ ଗର୍ବିତ ହେବାର ଆଉ ଏକ ସୁଯୋଗ ଦେଇଛନ୍ତି ।

 

Leave A Reply

Your email address will not be published.