Latest Odisha News

BREAKING NEWS

ରାଜନୈତିକ ସମ୍ପର୍କକୁ ନେଇ କୌଣସି ମୁସଲମାନଙ୍କୁ ମସଜିଦରେ ପ୍ରବେଶରୁ ବାରଣ କରାଯାଇପାରିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ରାଜନୈତିକ ସମ୍ପର୍କକୁ ଆଧାର କରି କୌଣସି ମୁସଲମାନଙ୍କୁ ମସଜିଦରେ ପ୍ରବେଶ କରି ନମାଜ ପଢ଼ିବାରୁ ବାରଣ କରାଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗୁରୁବାର ଜଷ୍ଟିସ ଭି. ଲକ୍ଷ୍ମୀନାରାୟଣନ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତି ବିଜେପି (BJP), କଂଗ୍ରେସ, କମ୍ୟୁନିଷ୍ଟ କିମ୍ବା ଅନ୍ୟ ଯେକୌଣସି ରାଜନୈତିକ ଦଳର ସଦସ୍ୟ ହୋଇଥାଆନ୍ତୁ ନା କାହିଁକି, ତାଙ୍କୁ ମସଜିଦରେ ପ୍ରାର୍ଥନା କରିବାରୁ ଅନ୍ୟ ମୁସଲମାନମାନେ ଅଟକାଇ ପାରିବେ ନାହିଁ।

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ପଦାଧିକାରୀ ଏମ୍. ସୟଦ ଇବ୍ରାହିମ (ଭେଲୋର ଇବ୍ରାହିମ) ତାମିଲନାଡୁର ସାଲେମ ସହରସ୍ଥିତ ଏକ ମସଜିଦରେ ନମାଜ ପଢ଼ିବା ସମୟରେ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ (IUML) ର ଜଣେ ପଦାଧିକାରୀ ତାଙ୍କୁ ବାଧା ଦେଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କହିଛନ୍ତି ଯେ ମସଜିଦ କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ, ବରଂ ଏହା କେବଳ ଆଲ୍ଲାହଙ୍କୁ ସମର୍ପିତ। ମସଜିଦ ନିର୍ମାଣ ପାଇଁ କେହି ଆର୍ଥିକ ସହାୟତା ଦେଇଥିଲେ ମଧ୍ୟ ସେ ଏହାର ମାଲିକାନା ଦାବି କରିପାରିବେ ନାହିଁ; ମଣିଷ କେବଳ ଏହାର ପରିଚାଳକ ମାତ୍ର।

ଇସଲାମ ଧର୍ମ ଅନୁସାରେ କିଏ ପ୍ରକୃତ ମୁସଲମାନ ଏବଂ କିଏ ନୁହଁନ୍ତି, ତାହା ବିଚାର କରିବାର ଅଧିକାର କେବଳ ସର୍ବଶକ୍ତିମାନ ଆଲ୍ଲାହଙ୍କର, କୌଣସି ସାଧାରଣ ମଣିଷର ନୁହେଁ। ଜଣେ ବିଶ୍ୱାସୀଙ୍କୁ ପ୍ରାର୍ଥନା କରିବାରୁ ରୋକିବା ନିଜେ ଏକ ପାପ ବୋଲି କୋର୍ଟ ମନ୍ତବ୍ୟ ଦେଇଛନ୍ତି। ମସଜିଦ ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଜର ରାଜନୈତିକ ଏବଂ ସାମାଜିକ ପରିଚୟକୁ ମସଜିଦର ଦ୍ୱାରଦେଶରେ ଛାଡ଼ି ଆସିବା ଉଚିତ। ପ୍ରାର୍ଥନା ସମୟରେ କେବଳ ଇମାମ ଆଗରେ ରୁହନ୍ତି ଏବଂ ଅନ୍ୟ ସମସ୍ତେ ସାମାଜିକ ଓ ଆର୍ଥିକ ସ୍ଥିତି ନିର୍ବିଶେଷରେ ଏକାଠି ଠିଆ ହୋଇ ନମାଜ ପଢ଼ନ୍ତି।

Leave A Reply

Your email address will not be published.