ସମ୍ବଲପୁର: ଓଡ଼ିଶାର ଐତିହାସିକ ହୀରାକୁଦ ବନ୍ଧକୁ ଏକ ଆକର୍ଷଣୀୟ ଜଳ ଐତିହ୍ୟ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାକୁ ୯୯.୯୦ କୋଟି ଟଙ୍କାର ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ରାଜ୍ୟ ପୁଞ୍ଜି ନିବେଶ ପାଇଁ ସ୍ୱତନ୍ତ୍ର ସହାୟତା (SASCI) ଯୋଜନା ଅଧୀନରେ ଜଳ ସମ୍ପଦ ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ରୂପାୟନ କରାଯାଉଛି। ଜଳ ସମ୍ପଦ ବିଭାଗ ଅଧୀନସ୍ଥ ଓଡ଼ିଶା ନିର୍ମାଣ ନିଗମ (ଓସିସିଏଲ୍) ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ନିର୍ବାହ କରୁଛି।
ଏହି ପ୍ରକଳ୍ପର ପ୍ରମୁଖ ଆକର୍ଷଣ ହେବ ହୀରାକୁଦ ଡ୍ୟାମ୍ ସଂଗ୍ରହାଳୟ। ଏଠାରେ ହୀରାକୁଦ ବନ୍ଧର ନିର୍ମାଣ ଇତିହାସ, ଯାନ୍ତ୍ରିକ ଦକ୍ଷତା ଏବଂ ରାଜ୍ୟର ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳବିଦ୍ୟୁତ୍ ଉତ୍ପାଦନ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏହାର ଅବଦାନକୁ ପ୍ରଦର୍ଶିତ କରାଯିବ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ଆଧୁନିକ ଆଗମନ ପ୍ଲାଜା ନିର୍ମାଣ କରାଯାଉଛି। ଏଥିରେ ସପିଂ କମ୍ପ୍ଲେକ୍ସ, ଫୁଡ୍ କୋର୍ଟ, ପାର୍କିଂ ବ୍ୟବସ୍ଥା, ଆଧୁନିକ ଶୌଚାଳୟ ଓ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସବୁଜିମାର ବ୍ୟବସ୍ଥା ରହିବ। ଏହା ସ୍ଥାନୀୟ ବ୍ୟବସାୟ ଓ ଜୀବିକା ସୃଷ୍ଟିକୁ ମଧ୍ୟ ପ୍ରୋତ୍ସାହିତ କରିବ।
ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ ୱାଟର ସିମ୍ଫୋନି, ଲାଇଟ୍ ଓ ଲେଜର୍ ଶୋ ଏବଂ ପ୍ରୋଜେକ୍ସନ୍ ମ୍ୟାପିଂ। ଜଳ, ଆଲୋକ, ସଙ୍ଗୀତ ଓ ଚିତ୍ରାବଳୀର ସମନ୍ୱୟରେ ହୀରାକୁଦର ଐତିହାସିକ ଓ ଯାନ୍ତ୍ରିକ ଗୌରବକୁ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯିବ। ବର୍ତ୍ତମାନ ସଂଗ୍ରହାଳୟ, ଆଗମନ ପ୍ଲାଜା, ୱାଟର ସିମ୍ଫୋନି, ଲେଜର୍ ଶୋ ଓ ପ୍ରୋଜେକ୍ସନ୍ ଟାୱାର ସମେତ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଆଗେଇ ଚାଲିଛି। ଏହି ପ୍ରକଳ୍ପ ହୀରାକୁଦର ପର୍ଯ୍ୟଟନ ଆକର୍ଷଣକୁ ନୂଆ ଉଚ୍ଚତା ଦେବା ସହ ଓଡ଼ିଶାର ଜଳ ଐତିହ୍ୟ ଓ ଯାନ୍ତ୍ରିକ ଗୌରବକୁ ଜାତୀୟ ସ୍ତରରେ ପରିଚିତ କରାଇବ। ଏଥିସହ ସ୍ଥାନୀୟ ଅର୍ଥନୀତି ଓ ଜୀବିକା ସୃଷ୍ଟିକୁ ମଧ୍ୟ ନୂତନ ଦିଗ ମିଳିବ।
