Latest Odisha News

BREAKING NEWS

ମନ୍ଦିର ଦର୍ଶନ ବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ ପୂର୍ବତନ ଉପରାଷ୍ଟ୍ରପତି

ନାଥଦ୍ୱାରା: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜସ୍ଥାନର ନାଥଦ୍ୱାରାସ୍ଥିତ ଶ୍ରୀନାଥଜୀ ମନ୍ଦିର ପରିଦର୍ଶନ ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କିଛି ସମୟ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ସୂଚନା ଅନୁସାରେ ଗୁରୁବାର ସକାଳେ ଜଗଦୀପ ଧନଖଡ଼ ତାଙ୍କ ପତ୍ନୀ ସୁଦେଶ ଧନଖଡ଼ଙ୍କ ସହ ନାଥଦ୍ୱାରାସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ‘ମଙ୍ଗଳା ଆରତୀ’ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ଏବଂ ମନ୍ଦିର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ମନ୍ଦିର ପରିସରସ୍ଥିତ ମୋତି ମହଲ ଛକ ନିକଟରେ ତାଙ୍କୁ ହଠାତ୍ ଅସ୍ୱସ୍ତି ଅନୁଭବ ହୋଇଥିଲା। ପ୍ରୋଟୋକଲ୍ ମେଡିକାଲ୍ ଟିମ୍ ତୁରନ୍ତ ତାଙ୍କୁ ମନ୍ଦିର ପରିସରରେ ଅମ୍ଳଜାନ (ଅକ୍ସିଜେନ୍) ଯୋଗାଇ ଦେଇଥିଲେ ଏବଂ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଗୋବର୍ଦ୍ଧନ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ।

ଡାକ୍ତରଖାନାରେ ତାଙ୍କର ଇସିଜି (ECG) ଏବଂ ଅନ୍ୟାନ୍ୟ ଜରୁରୀ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ସମ୍ପୂର୍ଣ୍ଣ ସ୍ୱାଭାବିକ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଉଦୟପୁର ବିମାନବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ମାସ ନଭେମ୍ବର ୧୧ ତାରିଖରେ ମଧ୍ୟ ନୂଆଦିଲ୍ଲୀରେ ପ୍ରାତଃଭ୍ରମଣ ସମୟରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.