ସୀମା ପୁନନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା: ବିଜେଡି କହିଲା- ରାଜ୍ୟ ସ୍ୱାର୍ଥକୁ ଦେଖି ନିଆଯିବ ନିଷ୍ପତ୍ତି
ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ସଂସଦର ଲୋକସଭା ଓ ୨ ତାରିଖରେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ପରେ ପୁନର୍ବାର ସୀମା ପୁନନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ଏ ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏବଂ ବିଜେଡି ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର ସ୍ପଷ୍ଟ ଶବ୍ଦରେ ଦଳର ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ମାନସ ମଙ୍ଗରାଜ କହିଛନ୍ତି ଯେ, ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ଆଲୋଚନା ହେବ ତାହାର ସୂଚନା ଆମକୁ ମିଳିନାହିଁ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ସୂଚନା ମିଳିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଂସଦୀୟ ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ। ବିଜେଡି ସର୍ବଦା ରାଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛି ଓ ଭବିଷ୍ୟତରେ ବି ଏଥିରୁ କଦାପି ବିଚ୍ୟୁତ ହେବ ନାହିଁ ବୋଲି ମଙ୍ଗରାଜ କହିଛନ୍ତି।
ସେହିପରି ସଂସଦର ସ୍ୱତନ୍ତ୍ର ଅଧିବେଶନ ଉପରେ ପ୍ରତିକ୍ରିୟା ରଖି ବିଜେଡି ରାଜ୍ୟସଭା ସାଂସଦ ଡଃ ସନ୍ତୃପ୍ତ ମିଶ୍ର କହିଛନ୍ତି ଯେ ମହିଳା ସଂରକ୍ଷଣକୁ ବିଜେଡି ସର୍ବଦା ସମର୍ଥନ କରିଆସିଛି, କିନ୍ତୁ ସୀମା ପୁନଃନିର୍ଦ୍ଧାରଣ (Delimitation) କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ରହିବା ଆବଶ୍ୟକ। ମହିଳା ସଂରକ୍ଷଣ ବିଲ୍ ପ୍ରତି ବିଜୁ ଜନତା ଦଳର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଛି ଏବଂ ଦଳ ଏହାକୁ ପୂର୍ଣ୍ଣ ସମର୍ଥନ କରେ। ତେବେ ଲୋକସଭାର ବର୍ତ୍ତମାନର ୫୪୩ ଆସନ ମଧ୍ୟରେ ମଧ୍ୟ ଏହି ସଂରକ୍ଷଣ ଲାଗୁ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।
ମହିଳା ସଂରକ୍ଷଣକୁ ସୀମା ପୁନଃନିର୍ଦ୍ଧାରଣ ସହ ଯୋଡ଼ିବାର ଆବଶ୍ୟକତା କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବା ପୂର୍ବରୁ ସରକାର ସବୁ ଦଳ ସହ ବ୍ୟାପକ ଆଲୋଚନା କରିବା ଉଚିତ ଥିଲା ବୋଲି ସେ କହିଛନ୍ତି। ସୀମା ପୁନଃନିର୍ଦ୍ଧାରଣ ନେଇ ବିଜେଡିର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ଯଦି ସଂସଦରେ ଓଡ଼ିଶାର ବର୍ତ୍ତମାନର ପ୍ରତିନିଧିତ୍ୱ ଅନୁପାତ (Proportion of representation) ସୁରକ୍ଷିତ ରହେ ଏବଂ ରାଜ୍ୟର ସ୍ୱାର୍ଥ କ୍ଷୁଣ୍ଣ ନ ହୁଏ, ତେବେ ଦଳର ଏଥିରେ କୌଣସି ଆପତ୍ତି ରହିବ ନାହିଁ।
କେନ୍ଦ୍ର ସରକାର ଏହି ବିଲ୍କୁ ପାରିତ କରାଇବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଓ ସମର୍ଥନ ଯୋଗାଡ଼ କରିସାରିଥିବା ଭଳି ମନେହେଉଛି ବୋଲି ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଉଲ୍ଲେଖ କରିଛନ୍ତି। ସୂଚନା ଥାଉକି ଏହି ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଲୋକସଭାର ଆସନ ସଂଖ୍ୟା ବୃଦ୍ଧି ସହ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାର ସମ୍ଭାବନା ରହିଛି।
