ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନର ଏକ ଏସି କୋଚରେ ଦୀପ ଜାଳି ପୂଜା ଏବଂ ଆଳତୀ କରୁଥିବା ଏବଂ ଶଙ୍ଖ ଫୁଙ୍କୁଥିବାର ଦେଖାଯାଉଛି। ଏହି ଘଟଣା ଯାତ୍ରୀ ସୁରକ୍ଷା ଏବଂ ଅଗ୍ନି ନିରାପତ୍ତା ବିଷୟରେ ଏକ ଗମ୍ଭୀର ବିତର୍କ ସୃଷ୍ଟି କରିଛି।
ଭିଡିଓଟିକୁ ଇନଷ୍ଟାଗ୍ରାମରେ @SNsharma95 ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଛି। ଭିଡିଓରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଏକ ଏସି କୋଚରେ ସିଟ୍ ଉପରେ ବସିଥିବାର ଦେଖାଯାଉଛି। ସେ ଧୋତି ପିନ୍ଧିଛନ୍ତି, ତାଙ୍କ ଶରୀର ଏବଂ କପାଳରେ ବିଭୂତି ଲାଗିଛି ଏବଂ ତାଙ୍କ ବେକରେ ଏକ ମାଳା ପିନ୍ଧିଛନ୍ତି। ତାଙ୍କ ସମ୍ମୁଖରେ ଏକ ଛୋଟ ଟେବୁଲରେ ଠାକୁର, ଫୁଲ, ଥାଳି, ପାତ୍ର, ପୂଜା ସାମଗ୍ରୀ ଏବଂ ଏକ ଜଳନ୍ତା ଦୀପ ଅଛି। ସେ ଶଙ୍ଖ ଫୁଙ୍କିବା ପରେ ଦୀପ ଲଗାଇ ପୂଜା କରନ୍ତି। ଝରକାରୁ ବାହାର ଦୃଶ୍ୟ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି, ଯାହା ସ୍ପଷ୍ଟ କରୁଛି ଯେ ଟ୍ରେନ ଚାଲୁଛି। ଭିଡିଓଟି ଭାଇରାଲ ହେବା ମାତ୍ରେ, ବ୍ୟବହାରକାରୀ ମାନେ ପ୍ରଶ୍ନ ଉଠାଛନ୍ତି ଯେ – ଏକ ବନ୍ଦ ଏସି କୋଚ୍ ନିଆ ଜଳାଇବା ବିପଦର କାରଣ ହୋଇପାରେ?
ଏନେଇ ରେଳବାଇ କହିଛି ଯେ ଉପଯୁକ୍ତ ତଦନ୍ତ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ, ଘଟଣାର ତାରିଖ ଏବଂ ସମୟ, ଟ୍ରେନ୍ ନମ୍ବର, PNR/UTS ନମ୍ବର ଏବଂ ମୋବାଇଲ୍ ନମ୍ବର ପ୍ରଦାନ କରନ୍ତୁ। ସେମାନେ ଯାତ୍ରୀମାନଙ୍କୁ ରେଳ ମଦଦ ପୋର୍ଟାଲ୍ – https://railmadad.indianrailways.gov.in – ରେ ଏପରି ଅଭିଯୋଗ ଦାଖଲ କରିବାକୁ କିମ୍ବା ହେଲ୍ପଲାଇନ୍ 139 ରେ କଲ୍ କରିବାକୁ ପରାମର୍ଶ ଦେଇଥିଲେ। ରେଳବାଇ ସୁରକ୍ଷା ଉଲ୍ଲଂଘନ, ବିଶେଷକରି ଖୋଲା ଅଗ୍ନି କିମ୍ବା ଜ୍ୱଳନଶୀଳ ପଦାର୍ଥର ବ୍ୟବହାର ରିପୋର୍ଟ କରିବା ଉପରେ ଗୁରୁତ୍ୱ ଦେଇଥିଲା।
ଭାରତୀୟ ରେଳବାଇର ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ, ଟ୍ରେନ୍ରେ ଅଗ୍ନି ସମ୍ପର୍କିତ ବିପଦକୁ ରୋକିବା ଏକ ପ୍ରାଥମିକତା। ଖୋଲା ଅଗ୍ନି କିମ୍ବା ଦୀପ ଜଳାଇବା ସାଧାରଣତଃ ନିଷିଦ୍ଧ କାରଣ ଏଥିରୁ ନିଆଁ ଲାଗିବାର ବିପଦ ସୃଷ୍ଟି ହୋଇଥାଏ। ରେଳବାଇ ଆଇନ 1989ର ଧାରା 67 ଏବଂ 164, ବିପଜ୍ଜନକ କିମ୍ବା ଜ୍ୱଳନଶୀଳ ପଦାର୍ଥ ବହନ କିମ୍ବା ବ୍ୟବହାର ସହିତ ଜଡିତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଜରିମାନା, ଜେଲଦଣ୍ଡ କିମ୍ବା ଉଭୟ ହୋଇପାରେ ଯଦିଓ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟେକ ମାମଲାର ପରିସ୍ଥିତି ଉପରେ ନିର୍ଭର କରିବ। ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଯେକୌଣସି ବିପଦପୂର୍ଣ୍ଣ କାର୍ଯ୍ୟକଳାପ ବିଷୟରେ ତୁରନ୍ତ କର୍ମଚାରୀ କିମ୍ବା ହେଲ୍ପଲାଇନ୍କୁ ରିପୋର୍ଟ କରନ୍ତୁ।
