ସୁନ୍ଦରଗଡ଼:ଘଉଡ଼ାଇଲା ବେଳେ ବନ କର୍ମଚାରୀଙ୍କ ନେଲା ଜୀବନ ଦନ୍ତା । ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମହିଳା ବନରକ୍ଷୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତା ହେଲେ ପ୍ରତିଭା ବିଶି। ସେ ବଡ଼ଗାଁ ରେଞ୍ଜ ପଞ୍ଚରା ଫରେଷ୍ଟ ସେକ୍ସନ ଗେଲେବାହାଲ ବିଟ୍ରେ କାର୍ଯ୍ୟରତ ଥିଲେ। ଆଜି ଗାଁକୁ ଆସିଥିବା ଦନ୍ତାକୁ ଘଉଡ଼ାଇଲା ବେଳେ ସେ ପ୍ରତିଭାଙ୍କୁ ଆକ୍ରମଣ କରିଥିଲା।
ସୂଚନାଥାଉକି, କିଛି ଦିନ ହେବ ହାତୀମାନେ ଗେଲେବାହାଲ ବିଟ୍ ନିକଟ ଗ୍ରାମରେ ହୋଇଥିବା ଚାଷଜମିକୁ ଆସୁଛନ୍ତି। ଲଗାତାର ହାତୀମାନଙ୍କର ଆଗମନ ନେଇ ଗ୍ରାମବାସୀ ଅତିଷ୍ଠ ଦେଖାଯାଇଛନ୍ତି। ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ବନ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନିଆଯାଇଥିଲା। ଆଜି ହାତୀ ଘଉଡ଼ାଇବା ପାଇଁ ପ୍ରତିଭାଙ୍କ ସମେତ ଅନ୍ୟମାନେ ମଧ୍ୟ ଜଙ୍ଗଲରେ ପ୍ରବେଶ କରିଥିଲେ। ବହୁ ସଂଖ୍ୟାରେ ଲୋକଙ୍କୁ ଦେଖି ଗୋଠଛଡ଼ା ଦନ୍ତା ଉଗ୍ରରୂପ ଧାରଣ କରିଥିଲା। ପ୍ରତିଭା ବିଶିଙ୍କୁ ହାତୀ ଗୋଡ଼ାଇଥିଲା।
ବିଶି ହାତୀ କଳବରୁ ଖସି ପାରି ନଥିଲେ। ଘଟଣାସ୍ଥଳରେ ସେ ହାତୀର ଶିକାର ହୋଇଥିଲେ। ଏହି ଘଟଣା ପରେ ବିଶିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
