Latest Odisha News

BREAKING NEWS

Rohit Sharma: କାହିଁକି MI କମାଣ୍ଡ ସମ୍ଭାଳିବାକୁ ପ୍ରଥମେ ରାଜି ନଥିଲେ ହିଟ୍‌ମ୍ୟାନ୍? ଆକାଶଙ୍କ ପ୍ରସ୍ତାବକୁ କରିଦେଇଥିଲେ ନା…

ମୁମ୍ବାଇ: ଆଇପିଏଲ୍‌ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ହୋଇଛି ବଡ଼ ପରିବର୍ତ୍ତନ। ପୁଣିଥରେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। କିନ୍ତୁ ଏହି ଦାୟିତ୍ୱ ଗ୍ରହଣ କରିବାକୁ ରୋହିତ ପ୍ରଥମରୁ ରାଜି ନଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀଙ୍କ ପ୍ରସ୍ତାବ ଉପରେ ସେ ଦୀର୍ଘ ସମୟ ଚିନ୍ତା କରିବା ପରେ ନିଷ୍ପତ୍ତି ବଦଳାଇଥିଲେ।

ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ମିଡିଆରେ ଏକ ସାକ୍ଷାତକାରରେ ରୋହିତ ଏହି କଥା ଖୋଲାଖୋଲି କହିଛନ୍ତି। ଆକାଶ ଅମ୍ବାନୀ ତାଙ୍କୁ ଫୋନ୍‌ କରି ଭେଟିବା ପରେ ଦଳକୁ ଆଗକୁ ନେବା ପାଇଁ ଅନେକ ଯୋଜନା ଉପରେ ଆଲୋଚନା କରିଥିଲେ। ପୁଣି ଅଧିନାୟକ ହେବାକୁ ସେ ରାଜି କି ନାହିଁ ବୋଲି ପଚାରିଥିଲେ। ରୋହିତ କହିଛନ୍ତି, ପ୍ରଥମେ ତାଙ୍କ ମନରେ ଆସିଥିଲା ଯେ ସେ ଏଥିପାଇଁ ପ୍ରସ୍ତୁତ ନାହାନ୍ତି। ଏପରିକି ପତ୍ନୀଙ୍କ ସହ ମଧ୍ୟ ଏ ବିଷୟରେ ଆଲୋଚନା କରିଥିଲେ। ତେବେ ଚିନ୍ତା କରିବା ପରେ ତାଙ୍କୁ ଲାଗିଥିଲା ଯେ ମୁମ୍ବାଇ ଇଣ୍ଡିଆନ୍ସକୁ କେବଳ ଜଣେ ନେତା ନୁହେଁ, ବରଂ ଏକ ସଠିକ୍ ଦିଗ ଦେଖାଇବାର ଆବଶ୍ୟକତା ରହିଛି। ୧୦ ବର୍ଷ ଧରି ଯେଉଁ ଦଳର ନେତୃତ୍ୱ ସେ ନେଇଥିଲେ, ସେହି ଦଳ ପାଇଁ ପୁଣି ଥରେ ଦାୟିତ୍ୱ ନେବାକୁ ସ୍ଥିର କରିଥିଲେ।

୨୦୨୦ରେ ଶେଷଥର ପାଇଁ ଆଇପିଏଲ୍‌ ଟ୍ରଫି ଜିତିଥିଲା ମୁମ୍ବାଇ। ଏହାପରଠାରୁ ଦଳର ପ୍ରଦର୍ଶନରେ ନିରନ୍ତରତା ରହିନାହିଁ। ୨୦୨୧ରେ ପଞ୍ଚମ, ୨୦୨୨ରେ ଶେଷ ସ୍ଥାନ, ୨୦୨୪ରେ ଦଶମ, ୨୦୨୫ରେ କ୍ୱାଲିଫାୟର-୨ ଏବଂ ୨୦୨୬ରେ ନବମ ସ୍ଥାନରେ ରହିଥିଲା ଦଳ। ୨୦୨୩ ପରେ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହୋଇଥିଲେ। ଏବେ ହାର୍ଦ୍ଦିକ ପଞ୍ଜାବ କିଙ୍ଗସ୍‌କୁ ଯାଇଥିବାବେଳେ ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ୍‌ ହୋଇଛନ୍ତି। ରୋହିତ କହିଛନ୍ତି, ଦଳର ଖେଳାଳିମାନେ କେବଳ ପ୍ଲେଅଫ୍‌କୁ ଯାଇନପାରିବା ପାଇଁ ନୁହେଁ, ବରଂ ନିଜ ଦାୟିତ୍ୱ ଅନୁସାରେ ଭଲ ଖେଳିପାରିନଥିବାରୁ ନିରାଶ ଥିଲେ।

ନୂଆ ସିଜିନ୍‌ ପାଇଁ ରୋହିତଙ୍କ ମନ୍ତ୍ର ହେଉଛି ଟ୍ରଫି ନୁହେଁ, ପ୍ରଥମେ ଖେଳକୁ ଉପଭୋଗ କରିବା। ତାଙ୍କ କହିବା ଅନୁସାରେ, ଟ୍ରଫି ବିଷୟରେ ଅଧିକ ଚିନ୍ତା ନକରି ଖେଳାଳିମାନେ ପଡ଼ିଆ ଭିତରେ ଓ ବାହାରେ ଏକାଠି ଖୁସିରେ ରହିବା ଉଚିତ। ଚାପ ସବୁବେଳେ ରହିବ, ତେଣୁ ଏହାକୁ ନେଇ ସମୟ ନଷ୍ଟ କରିବା ଅନୁଚିତ।

ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୋଟ ୫ ଥର ଆଇପିଏଲ୍‌ ଚାମ୍ପିୟନ୍‌ ହୋଇଛି। ୨୦୧୩ରେ ଚାମ୍ପିୟନ୍ସ ଲିଗ୍‌ ଟି-୨୦ ଟାଇଟଲ୍‌ ମଧ୍ୟ ଜିତିଥିଲା। ଏବେ ପୁରୁଣା ସଫଳତାକୁ ମନେ ରଖିବା ସହ ତାହା ଉପରେ ନିର୍ଭର ନକରି ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ରୋହିତ।

Leave A Reply

Your email address will not be published.