‘କଲ୍ ସେଂଟର ଆଳରେ ସାଇବର କ୍ରାଇମ୍’ ନକଲି କମ୍ପାନୀ ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ସାମ୍ନାକୁ ଆସିଲା ବିଦେଶୀ ଲିଙ୍କ୍
ନୋଏଡା: ନୂଆଦିଲ୍ଲୀ ନୋଏଡାର ସେକ୍ଟର ୧୩୭ର ସଭରିନ୍ କର୍ପୋରେଟ୍ ଟାୱାରରେ ଚାଲିଥିଲା ସାଇବର କ୍ରାଇମ୍ । ପ୍ରାୟ ୩ମାସ ହେବ ଏସକେଭି ନାମକ ଏକ ନକଲି କଲ୍ ସେଂଟର ଖୋଲି ରିତିମତ ଲୋକଙ୍କୁ ଠକୁଥିଲା ସଂସ୍ଥା । ନିୟୋଜିତ ଥିଲେ ବିଦେଶୀ ନାଗରିକ । ଦିଲ୍ଲୀ ପୋଲିସ ଏହି ୧୮ ମହଲା ବିଶିଷ୍ଟ କୋଠାର ଅଷ୍ଟମ ମହଲାରୁ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୯୨ ଜଣ ଇଣ୍ଡୋନେସିଆନ୍ ତଥା ୭୨ଜଣ ମାଲେସିଆନ ନାଗରିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । କାହାକୁ ସନ୍ଦେହ ନହେବା ପାଇଁ ସମ୍ପୃକ୍ତ ସଂସ୍ଥାରେ କାମ କରୁଥିବା ବିଦେଶୀ ନାଗରିକ ବାରମ୍ବାର ବାହାରକୁ ଆସୁଥିଲେ । ଚା, କଫି ପିଉଥିଲେ ତାପରେ ପୁଣି ଅଫିସ ଯାଉଥିଲେ । ଟା ୱାରରେ ଅନେକ ଅଫିସ ଚାଲୁଥିବା ବେଲେ ଅନ୍ୟ ଅଫିସ କର୍ମଚାରକୀଙ୍କ ସହ ଖୁବ ଭଲରେ ମିଶୁଥିଲେ । ତେଣୁ ଏତେ ସାଧାରଣ ଥିବା ପରିସ୍ଥିତି ଭିତରେ ଲୋକ ଠକେଇ କରୁଥିଲେ ବୋଲି କେହି ଭାବିନଥିବା ସ୍ଥାନୀୟଲୋକ କହିଛନ୍ତି । ଟାୱାର ସାମ୍ନାରେ ଥିବା ଚା ଦୋକାନର ସବୁଦିନିଆ ଗ୍ରାହକ ଥିଲେ ବିଦେଶୀ ଠକ । ତେଣୁ ସେମାନେ ଏପରି ଠକେଇରେ ଲିପ୍ତ ଥିବେ ବୋଲି ସେ ଭାବିନଥିଲେ ବୋଲି କହିଛନ୍ତି । ଏମିତିକି ଟାୱାରରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ କହିଛନ୍ତି, କେବଳ ଖାଦ୍ୟ ପାର୍ସଲ ଆସିଛି ଆଣିଦିଆ କହି ଦିନରେ ବାରମ୍ବାର ତାଙ୍କୁ ହଇରାଣ କରାଯାଉଥିଲା ।
ସୂଚନା ଅନୁସାରେ ଏହି ବିଦେଶୀ ନାଗରିକ ୬ମାସିଆ ଭିସା ନେଇ ୩ରୁ ୪ମାସ ପୂର୍ବରୁ ଭାରତ ଆସିଥିଲେ । ସେକ୍ଟର ୧୨୮ର ଶାହପୁର ଗାଁରେ ଥିବା ସିକହୋମ୍ସ ନାମକ ପିଜିରେ ରହୁଥିଲେ । ସେଠାରୁ କଲ୍ ସେଂଟର ଯିବା-ଆସିବା ପାଇଁ ୪୦ଟି ଗାଡି ବ୍ୟବହାର ହେଉଥିଲା । ଏହି ନକଲି କଲ ସେଂଟରରେ କାମ କରିବାକୁ ବିଦେଶୀଙ୍କୁ ଭାରତ ଅଣାଯିବା ପୂର୍ବରୁ ମାଲେସିଆ ଓ କମ୍ବୋଡିଆରେ ପ୍ରଶିକ୍ଷଣ ଦିଆଯାଉଥିଲା । ନୋଏଡାରେ ପହଂଚିବା ପରେ ସେମାନଙ୍କୁ ୧୫ଘଂଟା ଧରି କାମ କରିବାକୁ ପଡୁଥିଲା । ପୋଲିସ ସୂଚନା ଅନୁସାରେ, ମାଲେସିଆର ଜଣେ ବ୍ୟକ୍ତି ଟାନ୍ ଗୁଆନ ୱେଙ୍କ ନେତୃତ୍ୱରେ ଚାଲୁଥିଲା ଏହି ଠକେଇ ନେଟୱାର୍କ । ନକଲି ଅନଲାଇନ ପ୍ଲାଟଫର୍ମ, ୱେବସାଇଟ୍ ଏବଂ ଏପିକେ ଆଧାରିତ ଆପ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ । ବିଭିନ୍ନ ନକଲି ନିବେଶ ଯୋଜନା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚିବାକୁ ମହିଳାମାନଙ୍କ କାଳ୍ପନିକ ପରିଚୟ ଏବଂ ଅନଲାଇନ ପ୍ରୋଫାଇଲ ସୃଷ୍ଟି କରି ଲୋକଙ୍କୁ ଫସାଉଥିଲେ । ତାପରେ ସେମାନଙ୍କ ଠାରୁ ତାଙ୍କ ଅଜାଣତରେ ଟଙ୍କା ଲୁଟିନେଉଥିଲେ ।
ଘଟଣାସ୍ଥଳରୁ ପୋଲିସ ୩୫୫ଟି ମୋବାଇଲ, ୧୬୮ଟି ଡେସ୍କଟପ୍, ୨୬ଟି ଲ୍ୟାପଟପ୍, ୫୩ଟି ସିମ୍ କାର୍ଡ ଓ ୧୭୪ଟି ପାସପୋର୍ଟ ଜବତ କରିଛି । ଆର୍ଥିକ ଲକ୍ଷ୍ୟ ପୂରଣ ପାଇଁ ଚାପର ସମ୍ମୁଖୀନ ହେବାକୁ ପଡୁଥିବା ଏବଂ ଡ୍ୟୁଟି ସମୟରେ ଫୋନ୍ ବ୍ୟବହାର କରିବାକୁ କଟକଣା ଲାଗିଥିଲା । ତେବେ କୌଣସି ବିଦେଶୀ ନାଗରିକ ଚାପରେ ଥିବା କଥା ସ୍ପଷ୍ଟ ହୋଇନି । ତଥାପି ସେମାନଙ୍କ ନିଯୁକ୍ତି , ରହଣୀ ଏ ସବୁ ବିଷୟରେ ତଦନ୍ତ କରୁଛି ପୋଲିସ । ସେପଟେ ପିଜିରେ ରହିବାର କୌଣସି ନିୟମ ନମାନି ବିଦେଶୀଙ୍କୁ ରଖିଥିବାରୁ ମାଲିକ ଭ୍ରମ ସିଂହ ଚୌହାନ ଏବଂ ତାଙ୍କ ପୁଅ ଦୀପାଂଶୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ-୨୦୨୫ ଅଧିନରେ ଧାରା ୮ ଓ ୨୩ ଅଧିନରେ ପଂଜୀକୃତ ହୋଇଛି ।
