Latest Odisha News

BREAKING NEWS

Automated E-challans: ସାବଧାନ୍ ଗାଡ଼ି ଚାଳକ! କ୍ୟାମେରା ଧରିବ ଆପଣଙ୍କ ଭୁଲ୍, ଘରେ ପହଞ୍ଚିବ ଇ-ଚାଲାଣ!

ଭୁବନେଶ୍ୱର: ଏଣିକି ରାସ୍ତାରେ ଟ୍ରାଫିକ୍ ନିୟମ ଭାଙ୍ଗି ଖସିଯିବା ଆଉ ସହଜ ହେବନାହିଁ। ଗାଡ଼ି ଚାଳକଙ୍କ ପ୍ରତ୍ୟେକ ଗତିବିଧି ଉପରେ ରହିବ କ୍ୟାମେରାର କଡ଼ା ନଜର। ନିୟମ ଉଲ୍ଲଂଘନ କଲେ ଆଉ ଟ୍ରାଫିକ୍ ପୋଲିସ ଅଟକାଇବାକୁ ଅପେକ୍ଷା କରିବାକୁ ପଡ଼ିବନି, ସିଧାସଳଖ ମୋବାଇଲକୁ ଆସିବ ଇ-ଚାଲାଣ। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଆଉ ଏକ ବଡ଼ ପଦକ୍ଷେପ ନେଇଛି।

ଡିସେମ୍ବର ୧ ତାରିଖରୁ ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଲାଗୁ ହେବ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (IEMS)। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଏହି ବ୍ୟବସ୍ଥା ଆରମ୍ଭ ହେଉଛି। ଏଥିରେ ଅତ୍ୟାଧୁନିକ କ୍ୟାମେରା ଓ ଜ୍ଞାନକୌଶଳ ସାହାଯ୍ୟରେ ଯାନବାହନ ଉପରେ ନଜର ରଖାଯିବ।

ଜାଣିରଖନ୍ତୁ କେଉଁ ୪ଟି ନିୟମ ଭାଙ୍ଗିଲେ ଆସିବ ଚାଲାଣ?

୧. ଧାର୍ଯ୍ୟ ସୀମାଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା।
୨. ଦୁଇଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା।
୩. ଚାଳକ କିମ୍ବା ପଛରେ ବସିଥିବା ଯାତ୍ରୀ ହେଲମେଟ୍ ନ ପିନ୍ଧିବା।
୪. ରାସ୍ତାର ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା।

ଏହି ନିୟମଗୁଡ଼ିକ ଉଲ୍ଲଂଘନ ହେଲେ କ୍ୟାମେରାରେ ତାହା ରେକର୍ଡ ହେବ ଏବଂ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ପ୍ରସ୍ତୁତ ହେବ।

ତେବେ ନୂଆ ବ୍ୟବସ୍ଥାରେ ଗାଡ଼ି ଅନୁସାରେ ବେଗ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି। ଦୁଇଚକିଆ ଯାନ ପାଇଁ ଘଣ୍ଟାପ୍ରତି ୬୦ କିମି, କାର୍ ଓ ଜିପ୍ ପାଇଁ ୧୦୦ କିମି ଏବଂ ଭାରୀଯାନ ପାଇଁ ୮୦ କିମି ବେଗ ସୀମା ରହିଛି। ସବୁଠାରୁ ବଡ଼ କଥା ହେଉଛି, ଇ-ଚାଲାଣ ସହିତ ନିୟମ ଉଲ୍ଲଂଘନର ଫଟୋ କିମ୍ବା ଭିଡିଓ ପ୍ରମାଣ ମଧ୍ୟ ରହିବ। ଏଥିରେ ଗାଡ଼ିର ପଞ୍ଜୀକରଣ ନମ୍ବର, ତାରିଖ, ସମୟ, GPS ଲୋକେସନ୍ ଓ ରେକର୍ଡ ହୋଇଥିବା ବେଗର ବିବରଣୀ ରହିବ।

ରାଜ୍ୟର ଅନେକ ରାସ୍ତାରେ ପୂର୍ବରୁ IEMS କାର୍ଯ୍ୟକ୍ଷମ ରହିଛି। ଏଥିମଧ୍ୟରେ ରାମେଶ୍ୱର-ପାଣିକୋଇଲି, ଭୁବନେଶ୍ୱର-ପୁରୀ, ପୁରୀ-କୋଣାର୍କ, କୋଣାର୍କ-ପିପିଲି, କଟକ-ପାରାଦୀପ, ଗିରିଶୋଳା-ରାମେଶ୍ୱର, ପାଣିକୋଇଲି-ଲକ୍ଷ୍ମଣନାଥ, ବଲାଙ୍ଗୀର-ଟିଟିଲାଗଡ଼ ନୁହେଁ ବରଂ ବଲାଙ୍ଗୀର-ତୁରେକେଲା, ବ୍ରହ୍ମପୁର-ତପ୍ତପାଣି, ବ୍ରହ୍ମପୁର-ଭଞ୍ଜନଗର, ସମ୍ବଲପୁର-ମଙ୍ଗୁଳି, ବଡ଼ବିଲ-ପାଣିକୋଇଲି, ସମ୍ବଲପୁର-ରାଉରକେଲା ଓ ସୋହେଲା-ନୂଆପଡ଼ା ରାସ୍ତା ରହିଛି।

ଅନ୍ୟପଟେ, ଗାଡ଼ି ମାଲିକମାନଙ୍କୁ ପରିବହନ ବିଭାଗର ପୋର୍ଟାଲରେ ନିଜ ମୋବାଇଲ ନମ୍ବର ଓ ଠିକଣା ଅପଡେଟ୍ ରଖିବାକୁ STA ପରାମର୍ଶ ଦେଇଛି। ଚାଲାଣ ଦେୟ ପୈଠ କିମ୍ବା ଅଭିଯୋଗ ଦାଖଲ ପାଇଁ କେବଳ ସରକାରୀ ଇ-ଚାଲାଣ ପୋର୍ଟାଲ ବ୍ୟବହାର କରିବାକୁ ମଧ୍ୟ ସତର୍କ କରାଯାଇଛି।

Leave A Reply

Your email address will not be published.