ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଏବଂ ଐତିହାସିକ ମାଲିକାନାର ଆଇନଗତ ସ୍ୱୀକୃତି ଦିଗରେ ଓଡ଼ିଶା ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପୁରୀ ସଦର ତହସିଲ ଅନ୍ତର୍ଗତ ସମଙ୍ଗରା ମୌଜାର ହାଲ୍ ଖାତା ନଂ. ୨୨୨ ସମେତ ଏହା ସହ ସମ୍ପୃକ୍ତ ଅନ୍ୟାନ୍ୟ ଖାତାରେ ଥିବା ଜମିର ମାଲିକାନାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର ଦୁଇଟି ଏସ୍.ଆର୍.ପି. କେସ୍ ନଂ. ୧୦୧/୨୦୨୩ ଏବଂ ଏସ୍.ଆର୍.ପି. କେସ୍ ନଂ. ୧୦୨/୨୦୨୩ ର ବିଚାର କରି ରାଜସ୍ବ ପର୍ଷଦ, ୮୧ ଏକର ରୁ ଉର୍ଦ୍ଧ ଜମିର ସ୍ୱତ୍ୱଲିପି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାରଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀଙ୍କ ନାମରେ ସଂଶୋଧନ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମଙ୍ଗରା ମୌଜାର ଏହି ବିବାଦୀୟ ଭୂସମ୍ପତ୍ତି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ନିକଟବର୍ତ୍ତୀ ଏକ ଅତ୍ୟନ୍ତ ମୂଲ୍ୟବାନ ଅଞ୍ଚଳରେ ଅବସ୍ଥିତ। ପର୍ଯ୍ୟଟନ,ଯୋଗାଯୋଗ ଓ ଭିତ୍ତିଭୂମିର ଦୃଷ୍ଟିକୋଣରୁ ଏହି ଅଞ୍ଚଳର ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ଜମିର ବଜାର ମୂଲ୍ୟ ମଧ୍ୟ ଅତ୍ୟନ୍ତ ଉଚ୍ଚ। ଏହି ୮୧ ଏକର ଜମି ପୁରୀ ମହାନଗର ନିଗମ ଅଞ୍ଚଳରେ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିକଟରେ ଅବସ୍ଥିତ। ପ୍ରତି ବର୍ଗଫୁଟ ଜମିର ଆନୁମାନିକ ବଜାର ଦର ୩,୦୦୦ ଟଙ୍କା ହିସାବରେ ଏହି ୮୧ ଏକର ଜମିର ମୋଟ ମୂଲ୍ୟ ପ୍ରାୟ ୧,୦୬୦ କୋଟି ଟଙ୍କା ହେଉଛି।
ମାମଲାର ମୂଳରେ ରହିଛି ମହାପ୍ରଭୁଙ୍କ ଐତିହାସିକ ‘ସତେଇଶ ହଜାରୀ ମାହାଲ’ର ଜମି ଏବଂ ଏହା ସହ ସମ୍ପୃକ୍ତ ପାରମ୍ପରିକ ‘କଳା ବେଠିଆ ସେବା’ର ସ୍ୱରୂପ। ମନ୍ଦିର ପ୍ରଶାସନର ଯୁକ୍ତି ଅନୁଯାୟୀ, ସମଙ୍ଗରା ମୌଜାର ଏହି ଜମିଗୁଡ଼ିକ ମୂଳତଃ ମହାପ୍ରଭୁଙ୍କ ସମ୍ପତ୍ତି ଥିଲା।
ରଥଯାତ୍ରା ସମୟରେ କଳା ବେଠିଆ ସେବା ସମ୍ପାଦନ କରିବାର ପ୍ରତିବଦଳରେ କେତେକ ସେବାୟତଙ୍କୁ ଏହି ଜମିର ଭୋଗଦଖଲ ଅଧିକାର ପ୍ରଦାନ କରାଯାଇଥିଲା। ଅର୍ଥାତ୍, ଜମି ଉପରେ ସେମାନଙ୍କର ଅଧିକାର ସେବା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା ; ଏହା ମାଧ୍ୟମରେ ସେମାନଙ୍କୁ ନିରଙ୍କୁଶ ମାଲିକାନା ପ୍ରଦାନ କରାଯାଇନଥିଲା।ଏହି ଐତିହାସିକ ଦାବିର ସମର୍ଥନରେ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ବିଧିବଦ୍ଧ ସ୍ୱତ୍ୱଲିପିର ଉପସ୍ଥାପନ କରାଯାଇଥିଲା। ଏଥିରେ କଳା ବେଠିଆ ସେବା ସମ୍ପର୍କିତ ଉଲ୍ଲେଖ ରହିଥିବାରୁ ଜମିର ମୂଳ ପ୍ରକୃତି ଓ ଏହାର ଐତିହାସିକ ଅଧିକାର ନିର୍ଦ୍ଧାରଣ କ୍ଷେତ୍ରରେ ଏହି ଦସ୍ତାବିଜ ବିଶେଷ ଗୁରୁତ୍ୱ ବହନ କରିଥିଲା।
ତେବେ ୧୯୨୭ ମସିହାର ସାବିକ ବନ୍ଦୋବସ୍ତ ସମୟରେ ଏହି ଜମିଗୁଡ଼ିକୁ ସ୍ଥିତିବାନ କିସମରେ ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୯୩୯ ମସିହାର ନିଲାମ ବିକ୍ରି ଓ ୧୯୪୨ ମସିହାର ଅଣପଞ୍ଜୀକୃତ ଲିଜ୍ ଦଲିଲକୁ ଆଧାର କରି ବିପକ୍ଷ ପକ୍ଷମାନେ ଉକ୍ତ ଜମି ଉପରେ ନିଜ ନିଜର ମାଲିକାନା ଦାବି କରିବା ସହ ନିଜ ସପକ୍ଷରେ ଅଧିକାର ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଥିଲେ। ପରବର୍ତ୍ତୀ ହାଲ୍ ବନ୍ଦୋବସ୍ତରେ ମଧ୍ୟ ସେମାନଙ୍କ ନାମରେ ରେକର୍ଡ ପ୍ରସ୍ତୁତ ହୋଇଥିଲା।
ଏହି ରେକର୍ଡକୁ ଚ୍ୟାଲେଞ୍ଜ କରି ମନ୍ଦିର ପ୍ରଶାସନ ଯୁକ୍ତି ଦର୍ଶାଇଥିଲା ଯେ, ମୂଳ ସେବାଧାରୀଙ୍କର ଯଦି ସମ୍ପୂର୍ଣ୍ଣ ହସ୍ତାନ୍ତରଯୋଗ୍ୟ ମାଲିକାନା ନଥିଲା, ତେବେ ସେମାନେ ନିଲାମ, ବିକ୍ରି କିମ୍ବା ଲିଜ୍ ମାଧ୍ୟମରେ ଅନ୍ୟ କାହାକୁ ମହାପ୍ରଭୁଙ୍କ ଜମିର ନିରଙ୍କୁଶ ମାଲିକାନା ପ୍ରଦାନ କରିପାରିବେ ନାହିଁ। ଏହି ଆଇନଗତ ପ୍ରଶ୍ନର ବିଚାର କରିବା ସମୟରେ ରାଜସ୍ୱ ପର୍ଷଦ ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ବିଶେଷ ବୈଧାନିକ ସ୍ଥିତି ଏବଂ ମନ୍ଦିର ସମ୍ପତ୍ତିର ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥାଗୁଡ଼ିକୁ ଗୁରୁତ୍ୱର ସହ ଅନୁଧ୍ୟାନ କରିଥିଲେ। ଏହି ଆଇନର ଧାରା ୫ ଅନୁଯାୟୀ ଶ୍ରୀମନ୍ଦିରର ପରିଚାଳନା ଓ ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ହୋଇଛି। ଏହି ବିଶେଷ ଆଇନରେ ଥିବା ବୈଧାନିକ ସୁରକ୍ଷାକୁ ସାଧାରଣ ରାଜସ୍ୱ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ପର୍ଷଦ ବିଚାର କରିଥିଲେ।
ବିଶେଷକରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ‘ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବନାମ ସିଦ୍ଧ ମଠ ଓ ଅନ୍ୟମାନେ, (୨୦୧୫) ୧୬ ଏସ୍.ସି.ସି. ୫୪୨’ ମାମଲାର ରାୟ ଏହି ବିଚାର ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଆଧାର ହୋଇଥିଲା। ଉକ୍ତ ରାୟରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ବିଶେଷ ପ୍ରାଧାନ୍ୟକୁ ସ୍ୱୀକାର କରାଯିବା ସହ ଆଇନର ଅନୁଚ୍ଛେଦ ୩୪(iv) ଅନୁଯାୟୀ ସୁରକ୍ଷିତ ଆଇନସମ୍ମତ ଭାବେ ସ୍ଥିରୀକୃତ ଅଧିକାରଗୁଡ଼ିକର ସୁରକ୍ଷାକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ସେହିପରି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ‘ମୋହନଲାଲ ପଞ୍ଚ ଓ ଅନ୍ୟ ଜଣେ ବନାମ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ରିଟ୍ ପିଟିସନ୍ (ସିଭିଲ୍) ନଂ. ୧୬୫୭୪/୨୦୧୧’ ମାମଲାରେ ମଧ୍ୟ ମନ୍ଦିରର ଦେବୋତ୍ତର ସମ୍ପତ୍ତିକୁ ଅନଧିକୃତ ହସ୍ତାନ୍ତର ଓ ତାହାର ଆଧାରରେ ସୃଷ୍ଟ ରାଜସ୍ୱ ରେକର୍ଡରୁ ସୁରକ୍ଷା ଦେବା ସମ୍ପର୍କରେ ଆଇନଗତ ଦିଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମାମଲାରେ ଜମିଗୁଡ଼ିକର ବର୍ତ୍ତମାନର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ତହସିଲଦାରଙ୍କଠାରୁ କ୍ଷେତ୍ର ତଦନ୍ତ ରିପୋର୍ଟ ମଗାଯାଇଥିଲା। ପୁରୀ ତହସିଲଦାରଙ୍କ ତଦନ୍ତ ଆଧାରରେ ଦାଖଲ ଏହି ରିପୋର୍ଟରେ ମୋଟ ୪୮ଟି ପ୍ଲଟ୍ର ସ୍ଥିତି ସମ୍ପର୍କରେ ତଥ୍ୟ ରହିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଉକ୍ତ ପ୍ଲଟ୍ଗୁଡ଼ିକର ଅନେକ ଅଂଶରେ ବିଭିନ୍ନ ବ୍ୟକ୍ତି ବିନା କୌଣସି ଆଇନଗତ ଅଧିକାର କିମ୍ବା ବୈଧ ଅନୁମତିରେ ଅନଧିକୃତ ଭାବେ ଜବରଦଖଲ କରି ରହିଛନ୍ତି। ତେବେ ଏଭଳି ଅନଧିକୃତ ଦଖଲ କିମ୍ବା ନିର୍ମାଣ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ସପକ୍ଷରେ କୌଣସି ଆଇନସମ୍ମତ ମାଲିକାନା ବା ସ୍ୱତ୍ୱାଧିକାର ସୃଷ୍ଟି ହୁଏ ନାହିଁ ବୋଲି ପର୍ଷଦ ସ୍ପଷ୍ଟ କରିଥିଲେ। ଭୌତିକ ଦଖଲ ଏବଂ ବୈଧ ମାଲିକାନା ଦୁଇଟି ପୃଥକ୍ ବିଷୟ। ଜମି ଉପରେ ଦୀର୍ଘଦିନ ଧରି ଜବରଦଖଲ ରହିବା କିମ୍ବା ସେଠାରେ ସ୍ଥାୟୀ ନିର୍ମାଣ ହେବା ମାତ୍ରେ ମୂଳ ମାଲିକାନା ଆଇନତଃ ପରିବର୍ତ୍ତିତ ହୋଇଯାଏ ନାହିଁ। ସେହିପରି ରାଜସ୍ୱ ରେକର୍ଡରେ ଦୀର୍ଘଦିନ ଧରି କାହାରି ନାମ ରହିଥିବା ମଧ୍ୟ ନିଜେ ମାଲିକାନା ସୃଷ୍ଟି କରେ ନାହିଁ। ତେଣୁ ଉପଲବ୍ଧ ଐତିହାସିକ ଦସ୍ତାବିଜ, ମୂଳ ମାଲିକାନା ସମ୍ବନ୍ଧୀୟ ପ୍ରମାଣ ଓ ବୈଧାନିକ ବ୍ୟବସ୍ଥା ଆଧାରରେ ଜମିର ପ୍ରକୃତ ସ୍ୱତ୍ୱାଧିକାର ନିର୍ଦ୍ଧାରଣ କରିବା ସହ ଅନଧିକୃତ ଜବରଦଖଲର ଆଇନସମ୍ମତ ସମାଧାନ କରାଯିବା ଆବଶ୍ୟକ ବୋଲି ପର୍ଷଦ ମତ ଦେଇଥିଲେ।
ସମସ୍ତ ପକ୍ଷର ଯୁକ୍ତି, ଶ୍ରୀମନ୍ଦିରର ବୈଧାନିକ ସ୍ୱତ୍ୱଲିପି, ଐତିହାସିକ ସେବା ବ୍ୟବସ୍ଥା, ପୁରୁଣା ନିଲାମ ଓ ହସ୍ତାନ୍ତର ଦଲିଲ, ବିପକ୍ଷ ପକ୍ଷର ସତ୍ୟପାଠ ଏବଂ ପୁରୀ ତହସିଲଦାରଙ୍କ କ୍ଷେତ୍ର ତଦନ୍ତ ରିପୋର୍ଟର ସମଗ୍ର ଅନୁଧ୍ୟାନ ପରେ ପର୍ଷଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପାର୍ଥକ୍ୟକୁ ସ୍ପଷ୍ଟ କରିଛନ୍ତି। ମୂଳ ସେବାଧାରୀଙ୍କର ସମ୍ପୂର୍ଣ୍ଣ ହସ୍ତାନ୍ତରଯୋଗ୍ୟ ମାଲିକାନା ପ୍ରମାଣିତ ହୋଇନଥିବା ସ୍ଥଳେ ପରବର୍ତ୍ତୀ ଦଲିଲ ଓ କ୍ରମାଗତ ରାଜସ୍ୱ ରେକର୍ଡ ଆଧାରରେ ମହାପ୍ରଭୁଙ୍କ ମୂଳ ଅଧିକାରକୁ ଅସ୍ୱୀକାର କରିବାର ଯଥେଷ୍ଟ ଆଇନଗତ ଆଧାର ନାହିଁ ବୋଲି ପର୍ଷଦ ନିଷ୍କର୍ଷରେ ପହଞ୍ଚିଛନ୍ତି।
ଏହି ଆଧାରରେ ରାଜସ୍ବ ପର୍ଷଦ ୮୧ ଏକରରୁ ଉର୍ଦ୍ଧ ଜମି ସମ୍ପର୍କରେ ମନ୍ଦିର ପ୍ରଶାସନର ଦାବିକୁ ଗ୍ରହଣ କରି ଉକ୍ତ ଜମିର ହାଲ୍ ସ୍ୱତ୍ୱଲିପି ସଂଶୋଧନ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାବିକ-ହାଲ୍ ପ୍ଲଟ୍ର ପ୍ରମାଣିତ ସମ୍ପର୍କ ଓ ସମ୍ପୃକ୍ତ ପ୍ଲଟ୍ଗୁଡ଼ିକର ବିବରଣୀ ଯାଞ୍ଚ କରି ଏହି ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ମାରଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀଙ୍କ ନାମରେ ରେକର୍ଡ କରିବାକୁ କୁହାଯାଇଛି।
