ଭୁବନେଶ୍ୱର: ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ୁଛି। ବିଶେଷକରି ବାୟୁମଣ୍ଡଳରେ ପିଏମ ୨. ୫ ଓ ପିଏମ ୧୦ ଭଳି ସୂକ୍ଷ୍ମ ଧୂଳିକଣାର ମାତ୍ରା ବୃଦ୍ଧି ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି। ସକାଳ ଓ ସନ୍ଧ୍ୟା ସମୟ ରେ ପ୍ରଦୂଷିତ ବାୟୁର ପ୍ରଭାବ ଅଧିକ ଅନୁଭୂତ ହେଉଥିବାରୁ ଶିଶୁ, ବୟସ୍କ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ଯାନବାହନର ଧୂଆଁ, ଶିଳ୍ପାନୁଷ୍ଠାନରୁ ନିର୍ଗତ ପ୍ରଦୂଷକ, ନିର୍ମାଣ କାର୍ଯ୍ୟ ଓ ରାସ୍ତାର ଧୂଳି ବାୟୁର ଗୁଣବତ୍ତାକୁ ପ୍ରଭାବିତ କରୁଛି। ଏହାର ପ୍ରଭାବ କେବଳ ପରିବେଶ ମଧ୍ୟରେ ସୀମିତ ନ ରହି ମଣିଷର ଦୈନନ୍ଦିନ ଜୀବନ ଓ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି।
ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଏବେ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି। ଜନସଂଖ୍ୟା ଓ ଯାନବାହନ ସଂଖ୍ୟା ବୃଦ୍ଧି ସହ ସହରରେ ନିର୍ମାଣ କାର୍ଯ୍ୟର ସମ୍ପ୍ରସାରଣ ପ୍ରଦୂଷଣର ମାତ୍ରାକୁ ଆହୁରି ବଢ଼ାଉଛି। ବିଶେଷକରି ଟ୍ରାଫିକ୍ ଭିଡ଼ ଥିବା ରାସ୍ତା, ଶିଳ୍ପାଞ୍ଚଳ ଓ ନିର୍ମାଣସ୍ଥଳ ନିକଟରେ ରହୁଥିବା ଲୋକେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାସ୍ତାରେ ଯାନବାହନ ଚଳାଚଳ ସମୟରେ ଉଡ଼ୁଥିବା ଧୂଳିକଣା ମଧ୍ୟ ବାୟୁରେ ମିଶି ପ୍ରଦୂଷଣକୁ ବଢ଼ାଉଛି। ସେହିପରି ଖୋଲା ସ୍ଥାନରେ ଆବର୍ଜନା ଜାଳିବା ଏବଂ ଘରୋଇ ଇନ୍ଧନରୁ ନିର୍ଗତ ଧୂଆଁ ମଧ୍ୟ ବାୟୁର ଗୁଣବତ୍ତା ହ୍ରାସର ଅନ୍ୟତମ କାରଣ। ତେଣୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ ଶିଳ୍ପାନୁଷ୍ଠାନ ନୁହେଁ, ସହରାଞ୍ଚଳର ବିଭିନ୍ନ ପ୍ରଦୂଷଣ ଉତ୍ସ ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ।
PM2.5 ଓ PM10 କେତେ କ୍ଷତିକାରକ?
ପିଏମ ୧୦ ହେଉଛି ୧୦ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ଧୂଳିକଣା। ଏହା ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରି ନାକ, ଗଳା ଓ ଫୁସ୍ଫୁସ୍ରେ ଜମା ହୋଇପାରେ। ସେହିପରି ପିଏମ ୨. ୫ହେଉଛି ୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ଅତି ସୂକ୍ଷ୍ମ କଣିକା। ଏହାର ଆକାର ଅତି ଛୋଟ ହୋଇଥିବାରୁ ଫୁସ୍ଫୁସ୍ର ଗଭୀର ଅଂଶ ପର୍ଯ୍ୟନ୍ତ ପହଞ୍ଚିବା ସହ ରକ୍ତ ପ୍ରବାହରେ ମଧ୍ୟ ପ୍ରବେଶ କରିପାରେ। ଏହି କଣିକାଗୁଡ଼ିକ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ। ତେଣୁ ବାୟୁ ସ୍ୱଚ୍ଛ ଦେଖାଗଲେ ମଧ୍ୟ ସେଥିରେ କ୍ଷତିକାରକ ସୂକ୍ଷ୍ମ କଣିକା ରହିଥିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଦୀର୍ଘ ସମୟ ଧରି ଏହି କଣିକା ସଂସ୍ପର୍ଶରେ ରହିବା ଦ୍ୱାରା ଶ୍ୱାସକ୍ରିୟାଜନିତ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଫୁସ୍ଫୁସ୍ କର୍କଟ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିଥାଏ। ଆଜମା ଓ ବ୍ରୋଙ୍କାଇଟିସ୍ ଭଳି ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା ଅଧିକ ବିପଦଜନକ। ଏପରିକି ସୁସ୍ଥ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ପ୍ରଦୂଷିତ ବାୟୁରେ ଦୀର୍ଘ ସମୟ ରହିବା ଦ୍ୱାରା କାଶ, ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ ଓ ଆଖିରେ ଜ୍ୱଳନ ଭଳି ସମସ୍ୟା ଦେଖାଦେଇପାରେ। ଛୋଟ ପିଲାଙ୍କ ଫୁସ୍ଫୁସ୍ର ବିକାଶ ଉପରେ ମଧ୍ୟ ପ୍ରଦୂଷିତ ବାୟୁର ନକାରାତ୍ମକ ପ୍ରଭାବ ପଡ଼ିପାରେ। ବୟସ୍କ ଓ ପୂର୍ବରୁ ହୃଦ୍ରୋଗ କିମ୍ବା ଫୁସ୍ଫୁସ୍ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ବିପଦ ଆହୁରି ଅଧିକ।
ମାସ୍କ ପିନ୍ଧିବାକୁ ପରାମର୍ଶ
ଶୀତଦିନେ ବାୟୁ ପ୍ରଦୂଷଣରୁ ନିଜକୁ ସୁରକ୍ଷିତ ରଖିବା ନେଇ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକଙ୍କ କହିବା ଅନୁଯାୟୀ, ଏ ସମୟରେ ସମସ୍ତେ ମାସ୍କ ପିନ୍ଧନ୍ତୁ। ବିଶେଷକରି ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ଜରୁରୀ। ଅଧିକ ପ୍ରଦୂଷଣ ଥିବା ସମୟରେ ଅନାବଶ୍ୟକ ଭାବେ ବାହାରେ ରହିବା ଓ ଖୋଲା ସ୍ଥାନରେ ଅଧିକ ବ୍ୟାୟାମ କରିବାରୁ ନିବୃତ୍ତ ରହିବା ଉଚିତ। ଆବଶ୍ୟକସ୍ଥଳେ ଏନ ୯୫ ମାସ୍କ ବ୍ୟବହାର କରିବା ଉପଯୋଗୀ। ବିଶେଷକରି ଶିଶୁ, ବୟସ୍କ ଓ ଶ୍ୱାସଜନିତ ରୋଗୀମାନେ ଏ ଦିଗରେ ଅଧିକ ସତର୍କ ରହିବା ଆବଶ୍ୟକ।
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସାମୂହିକ ପଦକ୍ଷେପ ଜରୁରୀ
ବାୟୁ ପ୍ରଦୂଷଣର ମୁକାବିଲା କେବଳ ସରକାର କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦାୟିତ୍ୱ ନୁହେଁ। ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଆବଶ୍ୟକ। ଖୋଲା ସ୍ଥାନରେ ଆବର୍ଜନା ଜାଳିବା ବନ୍ଦ କରିବା, ଯାନବାହନର ନିୟମିତ ପ୍ରଦୂଷଣ ଯାଞ୍ଚ କରିବା, ନିର୍ମାଣ ସ୍ଥଳରେ ଧୂଳି ନିୟନ୍ତ୍ରଣ ବ୍ୟବସ୍ଥା କରିବା ଏବଂ ଶିଳ୍ପାନୁଷ୍ଠାନରୁ ନିର୍ଗତ ଧୂଆଁ ଉପରେ ନଜର ରଖିବା ଜରୁରୀ।ନିର୍ମାଣ କାର୍ଯ୍ୟ ସମୟରେ ନିୟମିତ ପାଣି ସିଞ୍ଚନ, ନିର୍ମାଣ ସାମଗ୍ରୀକୁ ଘୋଡ଼ାଇ ରଖିବା ଏବଂ ରାସ୍ତାର ଧୂଳି ନିୟନ୍ତ୍ରଣ ଭଳି ପଦକ୍ଷେପ ଗ୍ରହଣ କରାଗଲେ ଧୂଳିକଣାର ପ୍ରସାର କମାଯାଇପାରିବ।
ଏଥିସହ ବାୟୁର ଗୁଣବତ୍ତା ସୂଚକାଙ୍କ ଉପରେ ନିୟମିତ ନଜର ରଖିବା ମଧ୍ୟ ଜରୁରୀ। ଏକ୍ୟୁଆଇ ମାଧ୍ୟମରେ ବାୟୁର ପ୍ରଦୂଷଣ ସ୍ତର ଓ ତାହାର ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କରେ ଜାଣିହେବ। ପ୍ରଦୂଷଣ ସ୍ତର ଅଧିକ ଥିବା ସମୟରେ ବାହାରେ ଅଧିକ ସମୟ ରହିବାରୁ ଦୂରେଇ ରହିବା, ଅନାବଶ୍ୟକ ଯାତ୍ରା କମାଇବା ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବା ଭଳି ଅଭ୍ୟାସ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟକ ହୋଇପାରିବ।
ଶୀତ ଋତୁରେ ବାୟୁ ପ୍ରଦୂଷଣକୁ କେବଳ ଏକ ଋତୁକାଳୀନ ସମସ୍ୟା ଭାବେ ଦେଖିଲେ ଚଳିବ ନାହିଁ। ଏହାର ପ୍ରଭାବ ମଣିଷର ଜୀବନ ଓ ସ୍ୱାସ୍ଥ୍ୟ ଉପରେ ଦୀର୍ଘକାଳୀନ ଭାବେ ପଡ଼ିପାରେ। ତେଣୁ ବାୟୁର ଗୁଣବତ୍ତା ଉପରେ ନିୟମିତ ନଜର ରଖିବା ସହ ପ୍ରଦୂଷଣ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସୁରକ୍ଷା ଓ ଜନସଚେତନତାକୁ ଗୁରୁତ୍ୱ ଦେବା ସମୟର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।
