ଭାରତୀୟ ଦଳରୁ ବାଦ୍ ପଡ଼ିବା ସତ୍ତ୍ୱେ ପୂର୍ବତନ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶାବାଦୀ ଅଛନ୍ତି । ପାଞ୍ଚ ବର୍ଷ ଧରି କ୍ରମାଗତ ଦେଶ ପାଇଁ ଖେଳିବା ପରେ ହଠାତ୍ ଦଳରୁ ଦୂରେଇ ରହିବା କଷ୍ଟଦାୟକ ବୋଲି ସେ ସ୍ୱୀକାର କରିଛନ୍ତି, କିନ୍ତୁ କଠିନ ସମୟ ପରେ ଭଲ ଦିନ ନିଶ୍ଚୟ ଆସିବ ବୋଲି ସେ ବିଶ୍ୱାସ ରଖନ୍ତି । ସୂର୍ୟ୍ୟକୁମାର ବର୍ତ୍ତମାନ ଘରୋଇ କ୍ରିକେଟ୍ରେ ମୁମ୍ବାଇ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳୁଛନ୍ତି ଏବଂ ଏଥିରେ ଦୁଇଟି ଅର୍ଦ୍ଧଶତକ ହାସଲ କରି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଆଇପିଏଲ୍ ଏବେ ବହୁ ଦୂରରେ ଥିବାରୁ ସୂର୍ୟ୍ୟକୁମାର ସେ ବାବଦରେ ଚିନ୍ତା କରୁନାହାନ୍ତି ।
ସୟଦ ମୁସ୍ତାକ ଅଲି ଟ୍ରଫି ପରେ ବିଜୟ ହଜାରେ ଟ୍ରଫି ଏବଂ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ୟ୍ୟାୟ ଖେଳାଯିବ । ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ସୁପର ଲିଗ୍ର ପ୍ରତ୍ୟେକ ମ୍ୟାଚ୍ ଜିତିବା ଏବଂ ଫାଇନାଲ୍ ହାସଲ କରିବା ଉପରେ ରହିଛି । ଖରାପ ଫର୍ମ ପାଇଁ ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ତାଙ୍କ ବ୍ୟାଟିଂରେ କୌଣସି ବଡ଼ ତ୍ରୁଟି ନଥିଲା ବୋଲି ସୂର୍ୟ୍ୟକୁମାର କହିଛନ୍ତି। ଗତ ପାଞ୍ଚ ବର୍ଷ ଧରି ସେ ଯେଉଁ ଶୈଳୀରେ ଖେଳି ଆସୁଛନ୍ତି, ଏବେ ମଧ୍ୟ ସେହିଭଳି ଖେଳୁଛନ୍ତି । ଗତ ୮ରୁ ୧୦ ସପ୍ତାହ ଧରି ସେ କଠିନ ବ୍ୟାଟିଂ ଅଭ୍ୟାସ କରିଛନ୍ତି ଏବଂ ଏହାର ପ୍ରଭାବ ପଡ଼ିଆରେ ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ, ଯେତେ ଅଧିକ ପରିଶ୍ରମ କରାଯାଏ, ଭାଗ୍ୟ ସେତେ ସାଥ୍ ଦିଏ। ଅନ୍ଧାର ରାତି ପରେ ସକାଳ ହୁଏ ଏବଂ ସେତେବେଳ ପର୍ୟ୍ୟନ୍ତ ଖେଳ ଜାରି ରହିବା ଉଚିତ ।
