ରୁଷର କ୍ରମାଗତ ଆକ୍ରମଣ ଏବଂ ଆଗାମୀ ଭୀଷଣ ଶୀତଦିନକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ସରକାର ଦେଶର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ କଡ଼ା ନିୟମ ଜାରି କରିଛନ୍ତି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଏକ ନୂତନ ପ୍ରସ୍ତାବରେ ସ୍ବାକ୍ଷର କରିଛନ୍ତି, ଯାହା ଅନୁଯାୟୀ ଏଣିକି ୟୁକ୍ରେନୀୟ ଗଣମାଧ୍ୟମଗୁଡ଼ିକ ରୁଷୀୟ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍ ଆକ୍ରମଣରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକର କ୍ଷୟକ୍ଷତି ସମ୍ପର୍କରେ କୌଣସି ବିବରଣୀ ପ୍ରକାଶ କରିପାରିବେ ନାହିଁ ।
ଏହାବ୍ୟତୀତ ଭଙ୍ଗାଯାଇଥିବା ସ୍ଥାନଗୁଡ଼ିକର ମରାମତି ପାଇଁ କେତେ ସମୟ ଲାଗିବ ଏବଂ ସେଠାରେ ସୁରକ୍ଷା ବ୍ୟବସ୍ଥା ବା ପ୍ରତିରକ୍ଷା ଗଠନର ଅଗ୍ରଗତି କିପରି ଚାଲିଛି, ସେ ସମ୍ବନ୍ଧୀୟ *ଖବର, ଫଟୋ କିମ୍ବା ଭିଡିଓ ମଧ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ସମ୍ପୂର୍ଣ୍ଣ ବାରଣ* କରାଯାଇଛି। ସରକାରଙ୍କ ମତରେ, ଏପରି ସମ୍ବେଦନଶୀଳ ସୂଚନା ସର୍ବସାଧାରଣ ହେବା ଦ୍ୱାରା ରୁଷୀୟ ସେନାକୁ ପୁଣିଥରେ ସେହି ସ୍ଥାନଗୁଡ଼ିକରେ ସଠିକ୍ ଆକ୍ରମଣ କରିବା ପାଇଁ ସୁବିଧା ହୋଇଥାଏ, ଯାହାଦ୍ୱାରା ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଅଧିକ ଧନଜୀବନ ହାନି ଘଟିବାର ଆଶଙ୍କା ରହିଛି।
ରୁଷ ପକ୍ଷରୁ ଦେଶର ବିଦ୍ୟୁତ୍ ଗ୍ରୀଡ୍, ଜଳ ଯୋଗାଣ ଏବଂ ତାପଜ କେନ୍ଦ୍ରଗୁଡ଼ିକୁ କ୍ରମାଗତ ଭାବେ ଟାର୍ଗେଟ୍ କରାଯାଉଥିବାରୁ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦର ନିଷ୍ପତ୍ତିକ୍ରମେ ଏହି କଡ଼ା ପଦକ୍ଷେପ ନିଆଯାଇଛି। ଶୀତଦିନେ ସାଧାରଣ ନାଗରିକଙ୍କୁ ବିଦ୍ୟୁତ୍ ଓ ଗରମ ପାଣି ଯୋଗାଇବା ସରକାରଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଥିବାରୁ ଏହି ଗୋପନୀୟତା ଅବଲମ୍ବନ କରାଯାଉଛି। ଯଦି କୌଣସି ଗଣମାଧ୍ୟମ କିମ୍ବା ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି।
