ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ଯୁବତୀ ଅପହରଣ ଘଟଣାରେ ପୋଲିସକୁ ବଡ଼ ସଫଳତା । ଅପହରଣର କିଛି ଘଣ୍ଟା ମଧ୍ୟରେ ଯୁବତୀଙ୍କୁ ଉଦ୍ଧାର କଲା ଆର୍ ଉଦୟଗିରି ଥାନା ପୋଲିସ । ହେଲେ ମୁଖ୍ୟ ଅପହରଣକାରୀକୁ ଏବେବି ଧରିବାରେ ଅସଫଳ ରହିଛି ପୋଲିସ ।
ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅଙ୍କ ସହ ଗଜପତି ଜିଲ୍ଲା ରାମଗିରି ନିକଟ ଅଞ୍ଚମା ଗାଁକୁ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରିବା ବାଟରେ କାନକଟା ରାସ୍ତାରୁ ବାପା-ମା’ଙ୍କ ସାମ୍ନାରେ ଝିଅକୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ପ୍ରଥମେ ତେଲ ସରିଯିବାର ବାହାନା ଦେଖାଇ ବାଇକ୍ ଅଟକାଇଲେ ଦୁର୍ବୃତ୍ତ । ଆଉ ତା’ପରେ ବାପାଙ୍କ ସାମ୍ନାରେ ମା’ ଓ ଝିଅଙ୍କୁ ଜୋର ଜବରଦସ୍ତ ବୋଲେରୋରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ ।
ଖବର ପାଇ ଆର. ଉଦୟଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ବାରମ୍ବାର ଚଢ଼ାଉ ଓ ତଦନ୍ତ ଫଳରେ ରାତି ପ୍ରାୟ ୧୨ଟା ବେଳକୁ ଅପହରଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଠାବ କରାଯାଇଥିଲା । ଗାଡ଼ି ସହ ଅପହୃତା ଯୁବତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ବୋଲେରୋ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।
