Latest Odisha News

+୨ ପରୀକ୍ଷା ଲାଗି କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା; ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟ ଘଡ଼ି, ମୋବାଇଲ୍ ଫୋନ୍ ମନା !

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଅର୍ଥାତ୍ ମାର୍ଚ୍ଚ ୩ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ଏବର୍ଷ ପରୀକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ଭାବେ କଡ଼ାକଡ଼ି କରାଯାଇଛି । ଉଭୟ ପରୀକ୍ଷାକେନ୍ଦ୍ର ଏବଂ ପରୀକ୍ଷାର୍ଥୀଙ୍କ ଉପରେ ରହିବ କଡ୍ଡା ନଜର । ପରୀକ୍ଷାକେନ୍ଦ୍ରକୁ ମୋବାଇଲ ଏବଂ ସ୍ମାର୍ଟ ଘଣ୍ଟା ମନା । ପରୀକ୍ଷାର୍ଥୀମାନେ ସାଧାରଣ ଘଣଣ୍ଟା ପରୀକ୍ଷାକେନ୍ଦ୍ରକୁ ନେଇ ପାରିବେ । ଚଳିତବର୍ଷ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ଥିବା ବେଳେ ପରୀକ୍ଷାକେନ୍ଦ୍ରରେ ସ୍କ୍ୱାର୍ଡ ବ୍ୟବସ୍ଥା କଡ଼ାକଡ଼ି କରାଯିବ । ତେବେ ଯେଉଁ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ହୋଇପାରି ନାହିଁ ସମ୍ପୃକ୍ତ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଘୋଷଣା କରାଯାଇଛି ।

ସମସ୍ତ ପରୀକ୍ଷାକେନ୍ଦ୍ର ଗୁଡ଼ିକରେ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସ୍କ୍ୱାଡ ଅଧିକାରୀ ଜଗି ରହିବେ । ପ୍ରଶ୍ନପତ୍ର ପହଞ୍ଚିବା ପରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବା ସମ୍ପର୍କରେ ସ୍ୱତନ୍ତ୍ର ରିପୋର୍ଟ +୨ ପରିଷଦରେ ହବ୍ ସୁପରଭାଇଜର ଏବଂ ଡେପୁଟି ସୁପରଭାଇଜର ଦାଖଲ କରିବେ ।

ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପୂର୍ବରୁ ପ୍ରଥମସ୍ତରରେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରାଯିବ । ଏବଂ ଆଡମିଟ୍ କାର୍ଡ ଯାଞ୍ଚ ହେବ । ପରୀକ୍ଷାକେନ୍ଦ୍ରରେ ଅବଜରଭର, ସୁପରଭାଇଜର ପ୍ରଶ୍ନପତ୍ର ଖୋଲି ଶ୍ରେଣୀରେ ଥିବା ଇନ୍‌ଭିଜିଲେଟରଙ୍କୁ ପ୍ରଶ୍ନପତ୍ର ପ୍ୟାକେଟ୍ ପ୍ରଦାନ କରିବେ । ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରରେ ସୁପରିଟେଣ୍ଡେଣ୍ଟଙ୍କ ପ୍ରକୋଷ୍ଠରେ ଥିବା ଲକରରେ ସମ୍ପୃକ୍ତ ପରୀକ୍ଷାକେନ୍ଦ୍ରରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ମୋବାଇଲ ଫୋନ୍ ରଖାଯିବ ।

ଯଦି କୌଣସି ଅଧ୍ୟାପକ କିମ୍ବା କର୍ମଚାରୀଙ୍କ ପାଖରେ ମୋବାଇଲ ଥିବା ଜଣାପଡେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀ କେବଳ ରୋଲ୍ ନମ୍ବର ଉଲ୍ଲେଖ କରିବେ । ପିଲାଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା ହେବ । ପିଇବା ପାଣିର ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ କେବଳ ଥରେ ୨ମିନିଟ୍ ଲାଗି ୟୁରିନାଲକୁ ଛଡ଼ାଯିବ । ୟୁରିନାଲକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଏବଂ ଖାତା ଇନ୍‌ଭିଜିଲେଟରଙ୍କ ପାଖରେ ଦାଖଲ କରିବାକୂୁ ପଡିବ । ୨ମିନିଟରୁ ଯଦି କୌଣସି ପିଲା ଅଧିକ ସମୟ ରହେ ତେବେ ତୁରନ୍ତ ଯାଞ୍ଚ କରାଯିବ । ଚଳିତବର୍ଷ +୨ପରୀକ୍ଷା ସମୟରେ କୌଣସି ଅଧ୍ୟାପକ, ଅଧ୍ୟାପିକା ଛୁଟି ନେଇପାରିବେ ନାହିଁ । ପରୀକ୍ଷା ସମୟରେ ଯଦି କୌଣସି ଶିକ୍ଷକ ଛୁଟି ଲାଗି ଆବେଦନ କରନ୍ତି ତେବେ ସେମାନଙ୍କ ଛୁଟି ମଞ୍ଜୁର ହେବ ନାହିଁ । ପ୍ରଥମ ପର୍ଯ୍ୟାୟ ଖାତାଦେଖା ପ୍ରକ୍ରିୟା ଏପ୍ରିଲ ୧ରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଖାତାଦେଖା ଲାଗି ୫୮ଟି ମାନୁଆଲ ଏବଂ ୩୩ଟି ଇ-ମୂଲ୍ୟାଙ୍କନ କେନ୍ଦ୍ର କରାଯିବ । ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁଯାୟୀ ୨୪ଲକ୍ଷ ୬୫ହଜାର ଉତ୍ତରଖାତା ମୂଲ୍ୟାଙ୍କନ କରାଯିବ । ତେଣୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ଉତ୍ତରଖାତା ଦେଖିବା ଲାଗି ୧୭ହଜାର ୩୫୦ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିୟୋଜିତ କରାଯିବ । ଏମାନଙ୍କ ମଧ୍ୟରୁ ମୂଲ୍ୟାଙ୍କନ କେନ୍ଦ୍ରଗୁଡିକରେ ସୁପରିଟେଷଣଡଣ୍ଟ ଭାବେ ସରକାରୀ କଲେଜର ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବା ସହ ଖାତାଦେଖା ପ୍ରକ୍ରିୟାରେ ସରକାରୀ କଲେଜର ବରିଷ୍ଟ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ । ମାତ୍ର ଅନେକ ବିଷୟ ଲାଗି ସରକାରୀ କଲେଜଗୁଡିକରେ ଅଧ୍ୟାପକ, ଅଧ୍ୟାପିକାଙ୍କ ସଂଖ୍ୟା ଖୁବ କମ୍ ଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା +୨ ପରିଷଦ ପକ୍ଷରୁ କରାଯାଇଛି ।

Leave A Reply

Your email address will not be published.