Latest Odisha News

ବିଶ୍ୱର ୧୦ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ ପାଇଁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ।

ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍ ଓ ଜିମ୍ନାଷ୍ଟିକ୍ କ୍ରୀଡ଼ାବିତ ସିମୋନ ବାଇଲସଙ୍କ ନାମ ସହିତ ନୀତାଙ୍କ ନାମ ରହିଛି ।

କ୍ରୀଡ଼ା ବ୍ୟବସାୟ ନେଟୱର୍କ “ଆଇସ୍ପୋର୍ଟସକନେକ୍ଟ’ ପକ୍ଷରୁ ଏହାର “କ୍ରୀଡ଼ାରେ ସବୁଠାରୁ ପ୍ରଭାବଶାଳୀ ମହିଳା’ର ୨୦୨୦ ତାଲିକାକୁ ପ୍ରକାଶ କରାଯାଇଛି ଓ କୁହାଯାଇଛି ଯେ ୨୫ ଜଣଙ୍କୁ ନେଇ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା ଏବଂ ବିଶେଷଜ୍ଞ କମିଟିର ମତାମତ ମିଳିବା ପରେ ଶ୍ରେଷ୍ଠ ୧୦ ଜଣ ମହିଳାଙ୍କ ତାଲିକା ପ୍ରକାଶ କରିବାକୁ ନିଷ୍ପତି ହୋଇଥିଲା ।

କ୍ରୀଡ଼ା କ୍ଷେତ୍ରର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବା ଲାଗି ଗଠନ କରାଯାଇଥିବା କମିଟିରେ ଟେଲ୍‌ଷ୍ଟ୍ରାର ଗ୍ଲୋବାଲ ସେଲସ୍ ହେଡ୍ ଆନ୍ନା ଲକ୍‌ଉଡ୍‌, ୱାଇ ସ୍ପୋର୍ଟସ୍‌ର ମ୍ୟାନେଜିଂ ପାର୍ଟନର୍ ତଥା ଓମେନ ଇନ ସ୍ପୋର୍ଟସ୍‌ର ପୂର୍ବତନ ଅଧ୍ୟକ୍ଷା ସେଲି ହାଙ୍କକ୍‌, ଆଇସିସି ପାଇଁ ଗଣମାଧ୍ୟମ ସତ୍ୱଧିକାରର ପୂର୍ବତନ ମୁଖ୍ୟ ଆରତି ଦେବାସ ଓ ଆଇସ୍ପୋର୍ଟସକନେକ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରିଣୀ ବର୍ମା ସଦସ୍ୟା ରହିଥିଲେ ।

ଆଇସ୍ପୋର୍ଟସକନେକ୍ଟ ପକ୍ଷରୁ ନୀତା ଅମ୍ବାନିଙ୍କ ସଂକ୍ରାନ୍ତରେ କୁହାଯାଇଛି ଯେ, ନୀତାଙ୍କ ନେତୃତ୍ୱରେ ମୁ୍‌ମ୍ବାଇ ଇଣ୍ଡିଆନ ଦଳ ଆଇପିଏଲ ଇତିହାସରେ ସବୁଠୁ ସଫଳ ହୋଇପାରିଛି ଏବଂ ସେ ଦେଶର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ସହିତ ଜଡ଼ିତ ରହିଛନ୍ତି ।

ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ମହିଳାମାନେ ହେଉଛନ୍ତି ଜିମ୍ନାଷ୍ଟିକ୍ ଖେଳାଳୀ ସିମୋନ୍ ବାଇଲ୍‌ସ, ଫୁଟବଲ୍ ଖେଳାଳୀ ମେଗାନ ରାପିନୋ, ଟେନିସ ତାରକା ସେରେନା ୱିଲିୟମସ ଓ ନାଓମି ଓସାକା, ଫର୍ମୁଲା ୧ର ବିପଣନ ଓ ଯୋଗାଯୋଗ ନିର୍ଦେଶିକା ଏଲି ନୋରମାନ୍‌, ଡବ୍ଲୁଏନବିଏର କମିସନର କ୍ୟାଥି ଏଞ୍ଜେଲବର୍ଟ, ଫିଫାର ସେକ୍ରେଟାରି ଜେନେରାଲ ଫାତମା ସାମୋଉରା, ସ୍ପେସିଆଲ ଅଲିମ୍ପିକ୍ସର ସିଇଓ ମେରି ଡେଭିସ ଓ ଓମେନ୍‌ସ କ୍ରିକେଟ ଇସିବିର ପରିଚାଳନା ନିର୍ଦେଶିକା କ୍ଲେୟାର କନୋର୍ ।

ନୀତା ଅମ୍ବାନି ୨୦୧୪ ଜୁନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡରେ ସାମିଲ ହୋଇଥିଲେ । ତାଙ୍କ ମାଲିକାନାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚାରି ଥର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଟାଇଟଲ ଜିତିଛି ।

ଆଇସ୍ପୋର୍ଟସକନେକ୍ଟ ତରଫରୁ କୁହାଯାଇଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୟନ କରାଯାଇଥିବା କ୍ରୀଡ଼ା କ୍ଷେତ୍ରର ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜା ଓ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ନାମ ଥିଲା ।

Comments are closed.