Latest Odisha News

BREAKING NEWS

ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ନେଇ ମହିଳା ଥାନାରେ ମାମଲା

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ନେଇ ଭୟର ବାତାବରଣ ଜାରି ରହିଥିବା ସମୟରେ ଲୋକପ୍ରିୟ ଓଲିଉଡ ଗାୟକ ହ୍ୟୁମାନ ସାଗର ଏହା ଉପରେ ଏକ ଗୀତ ବୋଲି ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ।

ସାମାଜିକ କର୍ମୀ ସସ୍ମିତା ଦାସ ଏବଂ ସହଯୋଗୀମାନଙ୍କ ପକ୍ଷରୁ ଏହି ଗୀତକୁ ନିଷିଦ୍ଧ କରିବା ପାଇଁ କଟକ ମହିଳା ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି ।

‘ଝିଅ ନୁହେଁ ତୁ କରୋନା ଭାଇରସ’ ଏହି ଗୀତ ତଥା ମୁଜିକାଲ ଭିଡ଼ିଓ ପାଇଁ ହ୍ୟୁମାନ ସାଗରଙ୍କୁ ସୋସିଆଲ ମିଡିଆରେ କଠୋର ସମାଲୋଚନା କରାଯାଇଛି । କରୋନା ସଂକ୍ରମଣ ଭଳି ଏକ ଗମ୍ଭୀର ବିଷୟରେ ଏପରି ରୁଚିହୀନ ଓ ହାଲୁକା ଫୁଲକା ଗୀତ ପ୍ରସ୍ତୁତ କରିଥିବାରୁ ଗାୟକ, ଗୀତିକାର ଓ ପ୍ରଡକ୍ସନ ସଂସ୍ଥା ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ବରିଷ୍ଠ ସିନେ କଳାକାରମାନେ ମଧ୍ୟ ସମ୍ବେଦନଶୀଳ ସମୟରେ ଏଭଳି ଗୀତ ପ୍ରସ୍ତୁତିକୁ ଦୃଢ଼ ନିନ୍ଦା କରିଛନ୍ତି ।

ଏହି ଗୀତରେ ଏକ କଲେଜ ପଢୁଆ ଝିଅକୁ ମାରାତ୍ମକ କରୋନା ଭାଇରସ ସହ ତୁଳନା କରାଯାଇଛି । ଶିବ ଅଡିଓ ଦ୍ୱାରା ପ୍ରସ୍ତୁତ ଏହି ମ୍ୟୁଜ଼ିକ ଭିଡ଼ିଓରେ ହ୍ୟୁମାନ ସାଗର କଣ୍ଠ ଦେଇଥିବା ବେଳେ ଗୀତ ଲେଖିଛନ୍ତି ପବିତ୍ର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗଣେଶ ପ୍ରସାଦ ।

ୟୁଟ୍ୟୁବ ରେ ମାର୍ଚ୍ଚ ୭ରେ ଅପଲୋଡ଼ କରାଯାଇଥିବା ଏହି ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଏହି ଗୀତର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଥିଲା । ସୋସିଆଲ ମିଡ଼ିଆ ରେ ହ୍ୟୁମାନ ସାଗରଙ୍କର ଏହି ଗୀତ ଭାଇରାଲ ହେବା ସହ ପ୍ରାୟ ୩୦ ଲକ୍ଷରୁ ଉର୍ଧ୍ବ ଲୋକ ଏହାକୁ ଦେଖି ସାରିଥିବା କୁହାଯାଉଛି । ବିବାଦ ବଢିବା ପରେ ମୂଳ ମ୍ୟୁଜ଼ିକ ଭିଡ଼ିଓ ଏବେ ୟୁଟ୍ୟୁବ ରେ ମିଳୁନଥିବା ଦେଖାଯାଇଛି । ତେବେ ଏହି ଗୀତକୁ ବ୍ୟବହାର କରି ଆହୁରି ଅନେକ ଟିକ-ଟକ ଓ ୟୁ ଟ୍ୟୁବ ଭିଡ଼ିଓ ତିଆରି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.