Latest Odisha News

BREAKING NEWS

ଆଇଏଏସ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବେ, ଯୋଗ ଦେଇ ପାରନ୍ତି ରାଜନୀତିରେ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଖୁବ ଶିଘ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ରୁ ସ୍ୱେଚ୍ଛାକୃତ ଅବସର ନେବେ । ସେଥିଲାଗି ସେ ଆବେଦନ କରିଛନ୍ତି ।

୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର୍ ଆଇଏଏସ ଅଫିସର ଅପରାଜିତା ଖୁବ ଶିଘ୍ର ସ୍ୱେଚ୍ଛାକୃତ ଅବସର ନେବା କଥା ‘ www.odishasambad.in  ’ କୁ କହିଛନ୍ତି । ଅବସର ନେବା ପରେ ତାଙ୍କର ଯୋଜନା ସେ ସ୍ପଷ୍ଟ କରିନାହାନ୍ତି । ଏକ ପ୍ରଶ୍ନର ଉତ୍ତରରେ ରାଜନୀତିରେ ଯୋଗ ଦେବା ନେଇ ସେ କିଛି ସ୍ପଷ୍ଟ ମତ ରଖି ନାହାନ୍ତି ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ସେପ୍ଟେମ୍ବର ୧୫ ରେ ଅପରାଜିତା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ଲାଗି ଦରଖାସ୍ତ ଦେଇଛନ୍ତି । ସେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ (ମନରେଗା)ଭାବେ କାର୍ଯ୍ୟରତ ଥିଲେ । ଅଗଷ୍ଟ ମାସରେ ତାଙ୍କର କେନ୍ଦ୍ରୀୟ ଡ଼େପୁଟେସନ ସରିଯାଇଛି ।

ଅନୁମାନ କରାଯାଉଛି, ଅପରାଜିତା ଆଗାମୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ସୂତ୍ରରୁ ଜଣାପଡ଼ିଛି ଏହି ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କମିଶନର ଲୋକସଭା ନିର୍ବାଚନ ଲଢିପାରନ୍ତି ।

୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବିଏମସିରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ବେଶ୍ ଲୋକପ୍ରିୟ ହୋଇଥିଲେ ।

ଯଦିଓ ଅପରାଜିତା ବିହାର ରାଜ୍ୟର ମୂଳ ବାସିନ୍ଦା କିନ୍ତୁ ସେ ତାଙ୍କର ବ୍ୟାଚମେଟ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିବା ପରେ ଓଡ଼ିଶାକୁ ହିଁ ତାଙ୍କର କର୍ମସ୍ଥଳୀ ଭାବେ ବାଛିଛନ୍ତି । ୨୦୧୩ ମସିହାରେ ସେ କେନ୍ଦ୍ରୀୟ ଡ଼େପୁଟେସନରେ ଯାଇଥିଲେ । ତାହା ପୂର୍ବରୁ ସେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସଚିବ, ଉଚ୍ଚଶିକ୍ଷା ସଚିବ, କନସୋଲିଡ଼େସନ କମିଶନର ଏବଂ ବସ୍ତ୍ର ଓ ବୟନଶିଳ୍ପ ସଚିବ ଭାବେ କାର୍ଯ୍ୟ କରିଥିଲେ । ତେବେ ଚାକିରିରେ ତାଙ୍କର ବାରମ୍ବାର ବଦଳି ସେତେବେଳେ ଭୃକୁଞ୍ଚନ ସୃଷ୍ଟି କରିଥିଲା । ସେ ସମୟରେ ଆଲୋଚନା ହେଉଥିଲା ଯେ, ଅପରାଜିତାଙ୍କ ସହିତ ଶାସକ ବିଜେଡ଼ିର ବଡପଣ୍ଡାମାନଙ୍କର ଭଲ ପଡୁନଥିଲା । ଏହି କାରଣ ଯୋଗୁଁ ହୁଏତ ୪୯ ବର୍ଷ ବୟସ୍କା ଅପରାଜିତା ରାଜନୀତିରେ ମିଶିବାକୁ ମନସ୍ଥ କରିଥାଇ ପାରନ୍ତି ।

ବିଜେଡ଼ିର ପ୍ରସନ୍ନ ପାଟ୍ଟଶାଣୀ ୧୯୯୮ ମସିହାରୁ ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି । ବିଗତ ୫ ଥର (୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪) ଲଗାତର ବିଜୟ ହାସଲ କରିଛନ୍ତି ପାଟ୍ଟଶାଣୀ ।

ଅପରାଜିତାଙ୍କ ସମ୍ଭାବ୍ୟ ରାଜନୀତିରେ ମିଶ୍ରଣ ବିଗତ କିଛି ଦଶନ୍ଧିରେ ଅମଲାତନ୍ତ୍ରୀଙ୍କ ଓଡ଼ିଶା ରାଜନୀତିରେ ସକ୍ରୀୟ ଭୂମିକାର ଧାରାକୁ ବଜାୟ ରଖିବ ।

Leave A Reply

Your email address will not be published.