Latest Odisha News

ତିନି ଦିନରେ ରାଜଧାନୀରେ କରୋନା ପଜିଟିଭଙ୍କ ସଂଖ୍ୟା ୮ଗୁଣ ବଢିଲା; ଭୟଭୀତ ନ ହୋଇ ସତର୍କ ରହିବାକୁ କହିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜଧାନୀରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ତିନି ଦିନରେ ଆଠ ଗୁଣ ବଢି ଚାରିରୁ ୩୨ରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର ଚାରି ଜଣ କରୋନା ପଜିଟିଭ ମିଶାଇ ରାଜ୍ୟରେ ମୋଟ ପାଞ୍ଚ ଜଣ ଚିହ୍ନଟ ହୋଇଥିଲେ । ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୩୯ ପହଁଚିଥିବା ବେଳେ କେବଳ ଭୁବନେଶ୍ୱରରେ ଏହା ୩୨ ହୋଇଛି ।

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସହରବାସୀଙ୍କୁ ଦାୟିତ୍ୱସମ୍ପନ୍ନ ହୋଇ ଘରେ ରହି କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି । ସମସ୍ତେ ମିଳିତ ଭାବରେ ଉଦ୍ୟମ କଲେ କରୋନାକୁ ହରାଯାଇପାରିବ ବୋଲି ଉଲ୍ଲେଖ କରି ବିଭାଗ ପକ୍ଷରୁ ସମସ୍ତଙ୍କୁ ଏହି ସଙ୍କଟ ସମୟରେ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।

କରୋନା ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସମ୍ଭାବ୍ୟ ବ୍ୟକ୍ତିଙ୍କୁ ଠାବ କରାଯାଇ ଅଲଗା ରଖାଯିବ ଏବଂ ସେମାନଙ୍କ ସ୍ୱାବ୍ ନମୁନା ପରୀକ୍ଷଣ କରାଯିବ ବୋଲି ବିଭାଗ ସୂଚନା ଦେଇଛି । ଅଧିକ ଲୋକଙ୍କୁ ସଂକ୍ରମିତ ହେବାରୁ ରୋକିବା ପାଇଁ ଏହା ଏକମାତ୍ର ଉପାୟ ହୋଇଥିବାରୁ ଲୋକେ ଘର ମଧ୍ୟରେ ରହି ସଂକ୍ରମଣର ଏହି ଶୃଙ୍ଖଳକୁ ଭାଙ୍ଗିପାରବେ ବୋଲି କୁହାଯାଇଛି ।

Leave A Reply

Your email address will not be published.