Latest Odisha News

BREAKING NEWS

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କମଲ୍ ହାସନ୍

ଚେନ୍ନାଇ: ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକ୍କାଲ ନୀଧି ମୟିୟମ (ଏମଏନଏମ)ର ପ୍ରତିଷ୍ଠାତା ତଥା ଅଭିନେତା କମଲ୍ ହାସନଙ୍କୁ ସାକ୍ଷାତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଉପଦେଶ ତଥା ପରାମର୍ଶ ଗ୍ରହଣ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି ଲୋକପ୍ରିୟ ଅଭିନେତାରୁ ରାଜନେତା ପାଲଟିଥିବା କମଲ୍ ହାସନ ।

“ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକୁ ନୂଆକରି ଆସିବା ବେଳେ ଅନେକ ସମାଲୋଚିତ ହୋଇଥିଲେ, କିନ୍ତୁ ସେତେବେଳେ ସମାଲୋଚନା କରୁଥିବା ସେହି ପୋଖତ ରାଜନୀତିଜ୍ଞ ଅପେକ୍ଷା ଏବେ ଅଧିକ ହାସଲ କରିସାରିଛନ୍ତି ।” ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଶାସନର ପ୍ରଶଂସା କରି ଏହିକଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି କମଲ୍ ହାସନ ।

ଏହି ଲୋକପ୍ରିୟ ଅଭିନେତା କମଲ୍ କହିଛନ୍ତି, ନବୀନ ସାଧାରଣ ଜନତାଙ୍କ ପାଇଁ ଅନେକ ନୂଆ ଯୋଜନା ପ୍ରସ୍ତୁତ କରି ତାହାକୁ ରାଜ୍ୟରେ କାର୍ଯ୍ୟକାରୀ କରିଥିଲେ ଏବଂ ସଫଳ ମଧ୍ୟ ହେଲେ । ସେଥିମଧ୍ୟରୁ କେତେକ ଯୋଜନା ଗୁଡ଼ିକ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଛି । ଓଡ଼ିଶାର ପ୍ରାକୃତିକ ଦୁର୍ବିପାକ ସମୟରେ ଦୃଢ ପଦକ୍ଷେପ ସମଗ୍ର ଦେଶରେ ପ୍ରଶଂସିତ ହୋଇ ପାରିଛି । ନବୀନଙ୍କର ଅନେକ କାର୍ଯ୍ୟାଧାରାକୁ ଏହି ସମ୍ମିଳନୀରେ ପ୍ରଶଂସା କରିଥିଲେ ରାଜନେତା କମଲ୍ ହାସନ ।

ଆଜି ଅନୁଷ୍ଠିତ ହୋଇଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ’ରେ ପୁଞ୍ଜି ନିବେଶକମାନଙ୍କୁ ସମ୍ବୋଧିତ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ସେମାନଙ୍କୁ
ଓଡ଼ିଶାରେ ବିପୁଳ ପୁଞ୍ଜି ନିବେଶ କରିବାକୁ ଅନୁରୋଧ କରିଥିଲେ ।

“ମୁଁ ପ୍ରସନ୍ନତାର ସହିତ ଘୋଷଣା କରୁଛି ଯେ, ଆସନ୍ତା ନଭେମ୍ବର ୧୧ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କ୍ଷମତାର ପ୍ରଦର୍ଶନ କରିବା ଲାଗି ‘ମେକ ଇନ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାକୁ ଯାଉଛୁ,” ବୋଲି ମୁଖ୍ୟମନ୍ତ୍ରୀ ଏହି ଇନଭେଷ୍ଟର୍ସ ମିଟରେ ପ୍ରକାଶ କରିଥିଲେ ।
ଏହି ଅବସରରେ ମଙ୍ଗଳବାର ଦିନ ତାମିଲନାଡୁର ରାଜଧାନୀ ଚେନ୍ନାଇଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ଓଡ଼ିଶା ଭବନକୁ ଉଦଘାଟିତ କରିଛନ୍ତି ।

ଏହି ‘ଓଡ଼ିଶା ଭବନ’ ୨୨ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର କଳାତ୍ମକ ସୁବିଧା ସହିତ ନିର୍ମିତ ହୋଇଛି ।

‘ଓଡ଼ିଶା ଭବନ’କୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜୟଲଳିତାଙ୍କ ସହଯୋଗରେ ଏହି ଅତିଥି ଭବନ ନିର୍ମାର ସମ୍ଭବ ହୋଇପାରିଥିଲା ତାହାକୁ ସ୍ମୃତିଚାରଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତକ୍ରାଳୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦ୍ୱାରା ଏହି ‘ଓଡ଼ିଶା ଭବନ’ର ଶିଳାନ୍ୟାସ ୨୦୧୨ ମେ ୧୧ ତାରିଖରେ ହୋଇଥିଲା ।

Leave A Reply

Your email address will not be published.