Latest Odisha News

‘ଅମ୍ଫାନ’ ମୁକାବିଲା: ଓଡ଼ିଆରେ ୧୦ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ

ନୂଆଦିଲ୍ଲୀ: ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ବା ଏନ୍‌ଡିଆର୍‌ଏଫ୍‌ର ୧୭ଟି ଟିମ୍‌କୁ ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁତୟନ କରାଯାଇଛି । ଏନେଇ ଏନ୍‌ଡିଆର୍‌ଏଫ୍ ମୁଖ୍ୟ ଏସ୍‌.ଏନ୍ ପ୍ରଧାନ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ମୁଖ୍ୟାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମେ ରାଜ୍ୟ ସରକାର, ଭାରତୀୟ ପାଣିପାଗ ବିଭାଗ ଏବଂ ସମସ୍ତ ଷ୍ଟେକହୋଲଡ଼ର ଏଜେନ୍ସି ସହ ଯୋଗାଯୋଗ କରୁଛୁ। ଏନଡିଆରଏଫ ସ୍ଥିତିକୁ ଦେଖି ଦଳଗୁଡିକୁ ଆଗୁଆ ନିୟୋଜିତ କରିଛି। ପଶ୍ଚିମବଙ୍ଗରେ ସାତୋଟି ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଦଳଗୁଡିକ ୬ଟି ଜିଲ୍ଲା- ଦକ୍ଷିଣ ୨୪ପରଗାନା, ଉତ୍ତର ୨୪ପରଗାନା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହାୱଡା ଏବଂ ହୁଗୁଳିରେ ମୁତୟନ ହୋଇଛନ୍ତି । ସେହିଭଳି ଓଡ଼ିଶାରେ ସାତଟି ଜିଲ୍ଲା – ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ୧୦ଟି ଟିମ୍ ନିୟୋଜିତ ହୋଇଛନ୍ତି।

ଆଇଏମଡି ରିପୋର୍ଟ ଅନୁଯାୟୀ, ବାତ୍ୟା ‘ଅମ୍ଫାନ୍’ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରୁଛି ଏବଂ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ପ୍ରାୟ ଉତ୍ତର ଦିଗକୁ ଗତିଶୀଳ ହେବ। ଏହାପରେ ଏହା ମୋଡ଼ ବଦଳାଇ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ଅତି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିବା ପରେ ୨୦ ତାରିଖ ଅପରାହ୍ଣ ବା ସନ୍ଧ୍ୟା ବେଳକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥିତ ସାଗର ଦ୍ୱୀପପୁଞ୍ଜ (ପଶ୍ଚିମବଙ୍ଗ) ଏବଂ ହଟିୟା ଦ୍ୱୀ ପପୁଞ୍ଜ (ବାଂଲାଦେଶ) ମଧ୍ୟ ଦେଇ ସ୍ଥଳଭାଗକୁ ପ୍ରବାହିତ ହେବ।

Comments are closed.