Latest Odisha News

BREAKING NEWS

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର; ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ

ଭୁବନେଶ୍ୱର: ବର୍ତ୍ତମାନର ପାଲା ଜଗତରେ ଜଣେ ପ୍ରତିଷ୍ଠିତ ଗାୟକ ହେଉଛନ୍ତି ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ । ଉଭୟ ଆଲୋଚନା ଏବଂ ପୌରାଣିକ ଆଖ୍ୟାନକୁ ନେଇ ତାଙ୍କ ପାଲା ଗତିଶୀଳ, ଯାହାକି ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିଥାଏ ।

୧୯୫୬ ମସିହା ମାର୍ଚ୍ଚ ୬ ତାରିଖରେ ତତ୍କାଳୀନ କଟକ ଜିଲ୍ଲା ତଥା ବର୍ତ୍ତମାନର ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୋଳାପଙ୍କ ଗ୍ରାମରେ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ଜନ୍ମ ଗ୍ରହଣ କରିଥିଲେ ।

ଅଧିକ ପଢନ୍ତୁ – ବିଚକ୍ଷଣ ପାଲା ଗାୟକ: ଅନିରୁଦ୍ଧ ପାଣିଗ୍ରାହୀ

ବାପା କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଓ ମାଆ ସତ୍ୟଭାମା ଦେବୀଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରେ ସବୁଠୁ ବଡ ହେଉଛନ୍ତି ପ୍ରଫୁଲ୍ଲ । ତାଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ବାପାଙ୍କର ଦେହାନ୍ତ ହୋଇଥିଲା । ଆର୍ଥିକ ଅନଟନ ଭିତରେ ପିଲାଦିନ କଟିଥିଲା । ପିଲାଟି ଦିନରୁ କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ପ୍ରଫୁଲ୍ଲଙ୍କର ରୁଚି ରହିଥିଲା ।

ପ୍ରଫୁଲ୍ଲ ପାଖ ଗାଁ ତୁଲସୀରେ ହାଇସ୍କୁଲ ପର୍ଯ୍ୟନ୍ତ ପାଠପଢିଲେ । ନବମ ଶ୍ରେଣୀରେ ପଢୁଥିବା ବେଳେ ହାଇସ୍କୁଲର ହେଡ୍ ପଣ୍ଡିତ ବିନୋଦ ବିହାରୀ ମହାନ୍ତି ଗଣେଶ ପୂଜା ଅବସରରେ ପାଲା ପରିବେଷଣ କରିବାକୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଗୁରୁଙ୍କର ପ୍ରେରଣାରେ ଗଣେଶ ପୂଜାରେ ପ୍ରଥମେ ପ୍ରଫୁଲ୍ଲ ପାଲା ପରିବେଷଣ କରିଥିଲେ । ଭବିଷ୍ୟତରେ ଜଣେ ପାଲା ଗାୟକ ହେବା ପାଇଁ ଏହିଠାରୁ ସ୍ଥିର କରିଥିଲେ ।

ମାତ୍ର ୧୭ ବର୍ଷ ବୟସରେ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କର ବିବାହ ହୋଇଥିଲା । ତେବେ ପାଠ ପଢିବାର ଆଗ୍ରହରେ ଏହା କୌଣସି ବାଧା ସୃଷ୍ଟି କରିନଥିଲା । ଶ୍ୱଶୂର ରାଉରକେଲାରେ ରହୁଥିଲେ, ସେଠାକୁ ଯାଇ ବେଦବ୍ୟାସ ସଂସ୍କୃତ ଟୋଲରେ ନାମ ଦେଖାଇଲେ ପ୍ରଫୁଲ୍ଲ ।

ସେଠାରେ ମଧ୍ୟମା ପାସ୍ କରିବା ପରେ କିଛିଦିନ ଶିକ୍ଷକତା କରିଥିଲେ, ହେଲେ ପାଲା ନିଶା ତାଙ୍କୁ ଶିକ୍ଷକତାଠାରୁ ଦୂରେଇ ନେଇଥିଲା ।

ଅଧିକ ପଢନ୍ତୁ – ଲକ୍‌ଡାଉନ ଡାଏରୀ: ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀ ପୁରୁଣା ଅନୁଭୂତିକୁ କଲମରେ ସାଁଉଟିବାରେ ବ୍ୟସ୍ତ

୧୯୭୫ ମସିହାରେ ସେ ଗାୟକ ଭୂଷଣ ଘନଶ୍ୟାମ ନାୟକଙ୍କୁ ଗୁରୁ କରି ତାଙ୍କଠାରୁ ଚାମର ଗ୍ରହଣ କରିିଥିଲେ । ପରବର୍ତ୍ତୀ ସମୟରେ ୧୯୮୪ ମସିହାଠାରୁ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ମାନସ ଗୁରୁ କରି ତାଙ୍କୁ ଅନୁକରଣ କରିଥିଲେ ।

ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କର ରହିଛି ପାରଦର୍ଶୀତା । ରଘୁବଂଶ, ମାଘ, ରାମାଭିଷେକ ଆଦି ସଂସ୍କୃତ କାବ୍ୟ, ନାଟକ ପରିବେଷଣ କରି ସେ ଜନମାନସରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।

ଜଣେ ସଫଳ ପାଲା ଗାୟକ ହେବା ସହ ପ୍ରଫୁଲ୍ଲ ଆଚାର୍ଯ୍ୟ ଜଣେ ପାଲା ସଂଗଠନ । ବର୍ତ୍ତମାନ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସାଂଗଠନିକ ସମ୍ପାଦକ ରହିବା ସହ ଅବିଭକ୍ତ କଟକ ଜିଲ୍ଲାର ସଭାପତି ରହିଛନ୍ତି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟର ବିଭିନ୍ନ ସଂଗଠନ ଓ ପାଲା ମଞ୍ଚରୁ ସେ ପୁରସ୍କୃତ, ସମ୍ବର୍ଦ୍ଧିତ ହେବା ସହ ଅନେକ ଉପାଧି ମଧ୍ୟ ପାଇଛନ୍ତି । ୨୦୧୦ ମସିହାରେ ପ୍ରଫୁଲ୍ଲ ପାଠାଗାର ପକ୍ଷରୁ ରୌପ୍ୟ ମୁକୁଟ ସହ କଟକ ପାଲା ମଣ୍ଡପରୁ ଗୋଲ୍ଡ ମେଡାଲ ପାଇଛନ୍ତି ଶ୍ରୀଯୁକ୍ତ ଆଚାର୍ଯ୍ୟ ।

Leave A Reply

Your email address will not be published.