Latest Odisha News

BREAKING NEWS

ରାଜଧାନୀରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ସମ୍ପର୍କୀତ କର୍ମଶାଳା

ଭୁବନେଶ୍ୱର : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଂଚଳିକ ଜନସମ୍ପର୍କ ବ୍ୟୁରୋ ଓଡିଶା ପକ୍ଷରୁ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନ କର୍ମଶାଳାକୁ ଉଦଘାଟନ କରି ନୂଆପଡା ବିଧାୟକ ବସନ୍ତ ପଣ୍ଡା କହିଛନ୍ତି ଯେ, ସ୍ୱଚ୍ଛତା ହେଉଛି ଏକ ଦୃଷ୍ଟିଭଙ୍ଗୀ ଏବଂ ଏହା ଭାରତୀୟ ଦର୍ଶନର ଏକ ଅବିଛେଦ୍ୟ ଅଂଶ ।

ଜୀବନର ତଥା ପ୍ରଶାସନର ପ୍ରତ୍ୟେକ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଗଲେ ଶାରୀରିକ, ମାନସିକ ସ୍ୱଚ୍ଛତା ସହ ଏକ ଦୁର୍ନୀତିମୁକ୍ତ ଭାରତ ଗଠନ କରାଯାଇପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଦେଶର ୬,୫୨,୦୦୦ ଗ୍ରାମକୁ ଆଗାମୀ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ କରିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେଦ୍ର ମୋଦୀଙ୍କ ଲକ୍ଷ୍ୟ ଏବଂ ସମସ୍ତେ ଏ ଦିଗରେ ସହଯୋଗର ହାତ ବଢାଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗର ମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଥିଲେ ହରପ୍ପା ମହେଞ୍ଜୋଦାରୋ ସଭ୍ୟତାରୁ ଭାରତୀୟ ସଂସ୍କୃତିରେ ସ୍ୱଚ୍ଛତାର ଉଦ୍ୟମ ଆରମ୍ଭ ହୋଇଛି । ବର୍ତ୍ତମାନ ଦେଶର ସହରାଂଚଳରେ ୩୬ କୋଟି ୬୦ ଲକ୍ଷ ଲୋକ ସହରାଂଚଳରେ ରହୁଥିବାରୁ ଏହି କାର୍ଯ୍ୟକ୍ରମକୁ ସହରାଂଚଳରେ ଗୁରୁତ୍ୱ ଦିଆଯାଇଛି । ବହୁ ପୂର୍ବରୁ ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାର ବିଭିନ୍ନ ସମୟରେ କାର୍ଯ୍ୟକାରୀ କରିଥିଲେ ମଧ୍ୟ ୨୦୧୪ ମସିହା ଅକ୍ଟୋବର ୨ ତାରିଖ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଏକ ମିଶନ ଭାବେ ଗ୍ରହଣ କରି ଦେଶର ସମସ୍ତ ୬ ଲକ୍ଷ ୫୨ ହଜାର ଗାଁକୁ ବାହ୍ୟମଳମୁକ୍ତ କରିବା ଯୋଜନା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ ।

ଏହି ଉଦଘାଟନୀ ଉତ୍ସବରେ ଆକାଶବାଣୀର ସମ୍ବାଦଦାତା ତଥା ଉପନିର୍ଦ୍ଦେଶକ ସୁଧାର ଶେଖର ଧଡ଼ା, ପତ୍ର ସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ଆଂଚଳିକ ଜନସମ୍ପର୍କ ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ରାମେଶ୍ୱର ନାୟକ, ମହେନ୍ଦ୍ର ପ୍ରସାଦ ଜେନା, ମନମୋହନ ପାଢୀ ଓ ଜିତେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଆଂଚଳିକ ଜନସମ୍ପର୍କ ବ୍ୟୁରୋର ସମସ୍ତ କ୍ଷେତ୍ରୀୟ ଅଧିକାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଗୃହ ଓ ନଗର ଉନ୍ନୟନ ବିଭାଗର ବିଶେଷଜ୍ଞ ସମୀର ପଣ୍ଡା, ୟୁନିସେଫ ବିଶେଷଜ୍ଞ ରୁଦ୍ରପ୍ରସନ୍ନ ରଥ ଏବଂ ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନର ମନୋରଞ୍ଜନ ସାହୁ ପ୍ରମୁଖ ସ୍ୱଚ୍ଛ ଭାରତ ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଆଗାମୀ ଦିନରେ ରାଜ୍ୟର ୫ଟି ପ୍ରମୁଖ ସହର ଯଥା, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ଓ ରାଉରକେଲାରେ ବିଭାଗ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କିତ ୩୦ଟି ସ୍ୱତନ୍ତ୍ର ସଚେତନତା ଅଭିଯାନର ଆୟୋଜନ କରାଯିବ ।

Leave A Reply

Your email address will not be published.