Latest Odisha News

ଜନ୍ମଦିନରେ ଖୁବ ମନେ ପଡ଼ନ୍ତି, ଚିର ସବୁଜ ଅକ୍ଷୟ ମହାନ୍ତି…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଦିନ । ଯେକୋଣସି ବୟସର ଶ୍ରୋତାଙ୍କୁ କିମିଆ କରିଦେବା ପରି ଅକ୍ଷୟଙ୍କ ସୁମଧୁର କଣ୍ଠସ୍ୱର ଆଜି ମଧ୍ୟ ବେଶ୍ ଜନପ୍ରିୟତା ହାସଲ କରିପାରିଛି ।

 

ଅକ୍ଷୟ ମହାନ୍ତି ଗାଇଥିବା ଶହ ଶହ ମନଛୁଆଁ ଗୀତ ମଧ୍ୟରୁ ତାଙ୍କର ଅନେକ ଗୀତ ଗୁଡ଼ିକ ଆଜି ମଧ୍ୟ ଆଦୃତି ଲାଭ କରିପାରିଛି । ତାଙ୍କର କେତେଗୁଡ଼ିଏ ଗୀତ ମଧ୍ୟରୁ ସଫଳତାର ବେଶ୍ ଶୀର୍ଷରେ ରହିଛି – ପୂଣ୍ୟର ନଦୀ ତୀରେ ପାପର ତରୁ ଡ଼ାଳେ, ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି, ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ, ଯା ଯାରେ ଭାସି ଭାସି ଯାଆ ନଉକା ମୋର ଭାସି ଯାଆ, ଏଇ ଚୁମକି, ଟିକ୍ ଟିକ୍ ଟିକ୍ ଘଣ୍ଟା ଚାଲେ, ରଜା ଝିଅ ସାଙ୍ଗେ, କଳଙ୍କିତ ଏଇ ନାୟକ, ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପାରା, ଠିକ୍ ତୋରି ପରି ଝିଅଟିଏ ଦେଇଥିଲା ମୋତେ ବହିଟିଏ, ଏ ଏ ଆଲୋ ଆଲୋ ମଣି, କାଳି ଗୋରୀ ଦୁହେଁ ଗାଧେଇ,

ସାବି ସାବି ତୁ ତ ମୋର ନାଲି ପାନ ବିବି, ଆଲୋ ରତନୀ ଗଜ ଗମନୀ, ହେ ଫଗୁଣ ତୁମେ ଗଲା ପରେ ପରେ, ବେବି ଏକ୍କା ଗେଲହା ଝିଅ, ନଦୀର ନାମ ଅଳସ କନ୍ୟା, ରକତ ଟଳମଳ, ହସ ତୋ ଲକ୍ଷେ ଟଙ୍କା, ମାଠିଆରେ ଗୋଟେ କଣା, ରେଳଗାଡ଼ି ଯାଉଛି ଗଡ଼ି ଗଡ଼ି, ଅବୁଝା ପ୍ରିୟତମା, ସକାଳର ଗାଡ଼ି ଏବଂ ନଣ୍ଡା ମୁଣ୍ଡିଆ ଡ଼ାଇଭର ପରି ଅନେକ ମନଛୁଆଁ ଗୀତକୁ ଆଜି ମଧ୍ୟ ଶ୍ରୋତାମାନେ ଗୁଣୁଗୁଣୁ ହୋଇଥାଆନ୍ତି ।

ଚିର ସବୁଜ ଅକ୍ଷୟ ମହାନ୍ତି କଟକ ସହରରେ ୧୨ ଅକ୍ଟୋବର ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଖୋକାଭାଇ ରୂପେ ସଙ୍ଗୀତ ଦୁନିଆରେ ପରିଚିତ ଥିବା ଅକ୍ଷୟଙ୍କର ପିତା ଥିଲେ ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣା ମଞ୍ଜରୀ ମହାନ୍ତି ।

ଓଡ଼ିଆ ସଙ୍ଗୀତ ଦୁନିଆର ଅମର ଆତ୍ମା ଅକ୍ଷୟ ମହାନ୍ତି କଟକର ଷ୍ଟୁଆର୍ଟ ସାଇନ୍ସ କଲେଜ, ରେଭେନ୍ସା କଲେଜ, ମଧୁସୁଦନ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ଏକାଧାରାରେ ସେ ଥିଲେ ଗାୟକ, ଗୀତିକାର, ନିର୍ଦ୍ଦେଶକ, ଗାଳ୍ପିକ, ଔପନ୍ୟାସିକ ତଥା ସୁଲେଖକ । ସେ ଓଡ଼ିଆ ଲଘୁସଙ୍ଗୀତ, ସିନେମା ଗୀତ, ଭଜନ ଓ ଓଡ଼ିଶୀ ମଧ୍ୟ ଗାଇଛନ୍ତି । ସେ ପ୍ରାୟ ୭୫ଟି ଓଡ଼ିଆ ଚଳଚ୍ଚିତ୍ର ଲାଗି ମଧ୍ୟ ଗୀତ ରଚନା କରିଛନ୍ତି । ଅନେକ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଖୋକାଭାଇ ।

ଜଣେ ସୁଲେଖକ ଭାବେ ସେ ଅନେକ ଉପନ୍ୟାସ ଓ ଗଳ୍ପଗୁଚ୍ଛ ରଚନା କରିଯାଇଛନ୍ତି ।

ତାଙ୍କ ଅନବଦ୍ୟ ପ୍ରକାଶନ ମଧ୍ୟରେ ରହିଛି – ଅନେଶତ ରାଣୀ, ବିଚାର, ନଗ୍ନ ମୋନାଲିସା, ବାଃ ବାଃରେ ଆମେରିକା, ଆର୍ଯ୍ୟଦଶର ଆତ୍ମଲିପି, ଗୋଟିଏ କୁହୁ ଅନେକ ଉହୁ, ଜୟା ନୁହେଁ ଜାୟା, ଅଫେରା, ଗାୟକ ଏବଂ ବାମପନ୍ଥୀ ।

ଚିର ସବୁଜ ଅକ୍ଷୟ ମହାନ୍ତିଙ୍କୁ ଆଜି ତାଙ୍କର ଜନ୍ମଦିନରେ ସ୍ମୃତିଚାରଣ କରିଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସେ ପୁରୀ ବେଳାଭୂମିରେ ଅକ୍ଷୟଙ୍କ ଏକ ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।

ପ୍ରକୃତରେ ଅକ୍ଷୟ ତାଙ୍କର ସୁମଧୁର କଣ୍ଠ ତଥା ପ୍ରଚଣ୍ଡ ସାରସ୍ୱତ ପ୍ରତିଭା ଲାଗି ଚିରଦିନ ମନେ ରହିଥିବେ ଅଗଣିତ ଓଡ଼ିଆ ଶ୍ରୋତାଙ୍କ ହୃଦୟ ଭିତରେ ।

Leave A Reply

Your email address will not be published.