Latest Odisha News

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ: ବିନା ଭକ୍ତରେ ଚାଲିଛି ସ୍ନାନ ଯାତ୍ରା

ପୁରୀ: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତୀ । ଇତିହାସରେ ପ୍ରଥମଥର ପାଇଁ ଭକ୍ତଙ୍କ ବିନା ଚାଲିଛି କଳାଠାକୁରଙ୍କ ସ୍ନାନ ଯାତ୍ରା। କରୋନା କଟକଣା ଯୋଗୁଁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ସୀମିତ ସେବାୟତ ସହ ଚାଲିଛି ଶ୍ରୀଜୀଉଙ୍କ ନୀତିକାନ୍ତି ।ଧାଡ଼ି ପହଣ୍ଡି କରି ଅଧରାତିରେ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜୀଉ ।

ରତ୍ନସିଂହାନସରୁ ଓହ୍ଲାଇ ଆସି ଶ୍ରୀଜିଉମାନେ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ରାତି ୧ଟାରେ ମଙ୍ଗଳାର୍ପଣ ପରେ ୪ଟା ଭିତରେ ପହଣ୍ଡି ବିଜେ ନୀତି ହୋଇଛି। ଆଜି ଦିନ ୧୨ଟା ମଧ୍ୟରେ ମହାପ୍ରଭୁଙ୍କୁ ହାତୀବେଶରେ ସୁସଜ୍ଜିତ କରାଯିବ ବୋଲି ସୂଚନା ରହିଛି।

ସକାଳ ୪ଟା ୪୦ରେ ମଇଲମ, ୫ଟାରେ ତଡ଼ପ ଲାଗି, ୫ଟା ୩୦ରେ ଅଧର ପୋଛା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ଅବକାଶ,ରୋଷହୋମ, ସୂର୍ଯ୍ୟପୂଜା, ବେଶଶେଷ, ଦ୍ୱାରପାଳ ପୂଜା, ଜଳ ବିଜେ, ପୂଜା, ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶରେ ଛେରା ପହଁରା ନୀତି ହେବ।

ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ପବିତ୍ର ଜଳ ବିଜେ ନୀତି ଆରମ୍ଭ ହୋଇଛି । ଶୀତଳା ମନ୍ଦିର ନିକଟ ସୁନା କୂଅରୁ ସୁନା ଗୋସେଇଁ ୧୦୮ କୁମ୍ଭ ଜଳ ଆଣିଛନ୍ତି। ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୫ କୁମ୍ଭ ଜଳ, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କର ୧୮ କୁମ୍ଭ ଜଳ ରହିଛି।

ନୀତିକାନ୍ତି ସମୟ:

ଦିନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା, ୧ଟାରୁ ୩ଟା ମଧ୍ୟରେ ଘଣ୍ଟଛତା ସକାଳଧୂପ, ୪ଟାରେ ହାତୀବେଶ ମଇଲମ, ୪ଟା ୩୦ରେ ପୁଷ୍ପାଞ୍ଜଳୀ ଓ ଡୋରଲାଗି, ୫ଟାରୁ ୮ଟା ମଧ୍ୟରେ ବାହୁଡା ପହଣ୍ଡି, ୮ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ, ୯ଟାରୁ ୧୨ଟା ମଧ୍ୟରେ ତାଟି ବନ୍ଧା, ରାତି ୧୨ଟା ୩୦ରେ ୧୦ ଅବତାର ବିଜେ ଅନୁଷ୍ଠିତ ହେବ। ରାତି ୧ଟାରେ ଠାକୁରଙ୍କୁ ମହାସ୍ନାନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

Comments are closed.