(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)
ଗାଁ ମଫସଲିଆ ସେ । ତାରି ପାଇଁ ଜୀବନ ଜୀଇଁବାର ଆଶା ଦେଖେ ମନୁଷ୍ୟ । ମାଟି ମାର ସେ କୁଶଳୀ କାରିଗର । ସଭ୍ୟତାର ମାପକାଠି । ସେ ନଥିଲେ ଦିନରେ ଦି ଓଳି ଖାଇବା ସ୍ୱପ୍ନ ପାଲଟିଯିବ । ସତରେ ସେ ହିଁ ପ୍ରକୃତ ବିନ୍ଧାଣୀ । ସମୟର ସାରାଂଶରେ ସେ ମୁକୁଟବିହୀନ ସମ୍ରାଟ । ତାରି ପାଇଁ ପଡ଼ିଆ ଜମି ଜୀବନ୍ୟାସ ପାଏ । କାଦୁଅ ବିଲର ସେ ଚିରପରିଚିତ ସାଥୀଟିଏ । ସେ ଧରିତ୍ରୀମାତାର ଅମୃତସନ୍ତାନ । ମାଟି ସହ ତାର ସମ୍ପର୍କ ସତରେ ଏକ ଅଭିନବ ପରିକଳ୍ପନା ।
ଅଧିକ ପଢନ୍ତୁ: ଆର.ଏନ.ଆର୍ – ୧୫୦୪୮ କିସମ ଧାନ ଚାଷ
ମୁଖର ଶବ୍ଦକୁ ହାତର ଯାଦୁଗରୀରେ ବାସ୍ତବତାର ରୂପ ଦେବାରେ ସେ ଧୂରନ୍ଧର । ଖରା ହେଉ କି ବର୍ଷା , କତ୍ତର୍ବ୍ୟର ପରିଧିରୁ ବିଚ୍ୟୁତ ହୁଏନାହିଁ । ସେଇଥି ପାଇଁ ତ ସେ ଜାତିର ଅନ୍ନଦାତା । ପାର୍ଥିବ ଜୀବନର ମହାର୍ଘ୍ୟ ଅନୁଭୂତି । ନିଜ ଜୀବନ ସଂଗ୍ରାମରେ ସେ ବିଜୟୀ ଯୋଦ୍ଧା । ସେ ଆଉ କେହି ନୁହେଁ ସଭ୍ୟତାର ମାପକାଠି , ଏ ସମାଜର ମଙ୍ଗୁଆଳ – ଚାଷୀ । ସେ ଚାଷୀ ମାନଙ୍କ ପାଇଁ ପ୍ରତି ଶୁକ୍ରବାର ଆସିବି କିଛି ନୂଆ ତଥ୍ୟ କୁ ନେଇ । କାରଣ ଆମ ଚାଷୀ ହିଁ ଆମ ପରିଚୟ ।
ଓଡ଼ିଶାର ଅର୍ଦ୍ଧେକାଂଶ ଚାଷୀ ଧାନ ଉପରେ ନିର୍ଭରଶୀଳ । ଏବେ ଖରିଫ ଋତୁରେ ଧାନ ଚାଷ ହେବ । ବହିନ ବୁଣା ଆରମ୍ଭ ହେବ । ତଳି ପଡ଼ିବ । ରୁଆ ହେବ । ଏମିତି ଅନେକ କିଛି କଥା । ତେବେ ମୋର ଏଇ ସ୍ତମ୍ଭ ମାଧ୍ୟମରେ ମୁଁ ଅନେକ କିଛି ଚାଷୀଙ୍କର ଗହନ କଥା ଆପଣଙ୍କୁ କହିଛି ।
ଅଧିକ ପଢନ୍ତୁ: ଶିଶୁ ପୁଣି କଲମ ଧରୁ, ହାତୁଡ଼ି ନୁହେଁ…
୧୯୯୯ର ମହାବାତ୍ୟା ହେଉ , ହୁଡ଼ହୁଡ଼, ତିତଲି , ଫନି ପରି ବାତ୍ୟାର ବିଭୀଷିକା ହେଉ କି ଚକଡ଼ା ପୋକର ବିତ୍ପାତ ହେଉ , ଏସବୁଥିରେ ବେଶ ସୁଦୃଢ଼ ମନୋବଳ ସହ ଚାଷୀ ଏହାକୁ ସାମ୍ନା କରିଛି , ମୁକାବିଲା ବି କରିଛି ଆଉ ଅଣ୍ଟା ସଳଖି ଠିଆ ହେଇଛି । ଯେଉଁ ବାତ୍ୟା ଦିନେ ଚାଷ ଜମିକୁ ବିପର୍ଯ୍ୟସ୍ତ କରିଥିଲା , ପୁଣି ସେ କ୍ଷେତରେ ଫରଫର ହେଇ ଧାନ କେଣ୍ଡା ହସିଛି , ପୁଣି ସୋରିଷର ମହମହ ବାସ୍ନା ସାଙ୍ଗକୁ ହଳଦୀର ଆବରଣରେ ପରିବେଶ ବି ମୁଗ୍ଧ ହୋଇଛି । କିନ୍ତୁ ଚାଷୀ କେବେ ବସିନି । ଚାଷୀ ମନଦୁଃଖ କରିଛି , ଅନୁତାପ କରିଛି କିନ୍ତୁ ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୋଇନାହିଁ । ସେ ସୃଷ୍ଟି କରିଛି ଆଦର୍ଶ ଓ ବାସ୍ତବତାର ନୂଆ ଏକ ରୂପରେଖ । ସେ କାଦୁଅ ବିଲରେ ପଶେ କିନ୍ତୁ ଶେଷରେ ସୁବର୍ଣ୍ଣର ମାହୋଲ ବି ରଚନା କରିଦିଏ । ଆଉ ଏଇ କରୋନାର ଭୟାବହତା ଆଉ ଡ଼ର ଭିତରେ ସମସ୍ତେ ଆମେ ଘରେ ସୁରକ୍ଷିତ ରହୁଛନ୍ତି ସତ କିନ୍ତୁ ଚାଷୀର ମନ ସେଇ ଚାଷ ଜମିରେ । ସେ ପରା ତାର ମାନସ ସନ୍ତାନ । ଦିହେଁ ଦୁହିଁକୁ ଛାଡ଼ି କେମିତି ବି ରହିବେ । ବର୍ଷ ବର୍ଷ ଧରି ଏଇ ଅତୁଟ ସମ୍ପର୍କକୁ ଯିଏ ଛିନ୍ନ କରିପାରିନି , ଏ ଭୟାବହତା କଣ ବା କରିବ । ଆଜି ବି ଚାଷୀ ଚାଷ ଜମିରେ ବେଶ ଖୁସିରେ ଚାଷ କରୁଛି । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଛି । ସାମାଜିକ ଦୂରତା ରଖି ଚାଷ ବି କରୁଛି ।
ପ୍ରଥମ ଭାଗରେ ମୁଁ ପୁଣି ଥରେ ସେଇ କଥାକୁ ଦୋହରାଇବାକୁ ଚାହିଁବି ଯାହା ପାଇଁ ଚାଷୀ ବିଗତ ବର୍ଷ ମାନଙ୍କରେ ଅବିରତ ସଂଗ୍ରାମ କରିଆସୁଛନ୍ତି । ସବୁ ସମୟରେ କେବଳ ଓଡ଼ିଶା ନୁହେଁ,ଭାରତରେ ମଧ୍ୟ ବିଭିନ୍ନ ରାଜ୍ୟମାନଙ୍କରେ ଚାଷୀ ମାନେ ନିଜ ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି । ନାସିକ୍ ଠାରେ ଏକ ବିରାଟ ପଦଯାତ୍ରା ଏହାର ଉଦାହରଣ କ଼ିନ୍ତୁ ପରିତାପର ବିଷୟ ଏହିକି ଯେ ସରକାର ଏହାକୁ ଦୃଷ୍ଟିଦେଉନାହାନ୍ତି ନା ଏଥିପ୍ରତି ଅବହେଳା କରୁଛନ୍ତି ।
ଓଡ଼ିଶାର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । କ୍ଷେତରେ ଖଟିଲେ ଚାଷୀଟିଏ ପରିବାର ପୋଷେ । କିନ୍ତୁ ଯଦି ସେଇ ଚାଷୀକୁ ଅଣଦେଖା କରାଯାଏ,ଏହା କଣ ଅନ୍ୟାୟ ନୁହେଁ? ଥରେ ନିଜ ଅନ୍ତରାତ୍ମାକୁ ପଚାରିଲେ –ଚାଷୀଟିଏ କଣ କେବେ ବଡ଼ବଡ଼ ଘର,ଗାଡ଼ି ଏସବୁ ସରକାରଙ୍କ ପାଖେ ମାଗିଥାଏ ନା କେବେ ନୁହେଁ ବରଂ ନିଜ ସାଭିମାନ ପାଇଁ ସରକାରଙ୍କ ପାଖେ ଅଭିମାନ କରେ । ହେଲେ ଆଜି ଏସବୁ ନିଷ୍ଫଳ । ସେସବୁ ଅଭିମାନକୁ ଶୁଣିବା ଦୂରକଥା ,ଥରେ ହେଲେ ବି ଏହାର ସଫଳ ରୂପାୟନ କଥା ଚିନ୍ତା ହୋଇନି । ଯେଉଁ ଚାଷୀକୁଳ ଭିଜାମାଟିରେ କର୍ଷଣ କରି ଶ୍ୟାମଳ ଜମିରେ ସୁବର୍ଣ୍ଣ ପରିପାଟୀର ଦୃଷ୍ଟି ଆକର୍ଷଣ କରେ,ଆଜି ସେମାନଙ୍କ ଦାବି ଶୁଣିବାକୁ କେହି ବି ପ୍ରସ୍ତୁତ ନୁହେଁ । ପ୍ରତିଟି ସମୟରେ ଚାଷୀଙ୍କୁ ଅଗ୍ରାଧିକାର ମିଳୁଛି ସତ , କିନ୍ତୁ ତୃଣମୂଳ ସ୍ତରରେ ଚାଷୀଙ୍କ କଥା ପ୍ରତି ଦୃଷ୍ଟି ଦିଆଗଲେ , ଏହା କୃଷି ଭିତ୍ତିଭୂମିକୁ ସୁଦୃଢ଼ କରାଇପାରିବ ।
ଯଦିଓ ସରକାର ଯୋଜନା ପ୍ରଣୟନ କରୁଛନ୍ତି , ଏହାକୁ କାର୍ଯ୍ୟକାରୀ କରିବା ତଥା ଲୋକଙ୍କ ନିକଟରେ ପହଁଚେଇବା ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ । କାରଣ ଚାଷୀ ହସିଲେ ଦେଶ ହସିବ । ସୁତରାଂ ଚାଷୀଙ୍କ ପାଇଁ ସମ୍ମାନ ରହୁ , ସେମାନଙ୍କୁ ଯଥୋଚିତ ନ୍ୟାୟ ମିଳୁ । ଜୟ ଯବାନ , ଜୟ କିଶାନ ।
ବାସୁଦେବପୁର, ଭଦ୍ରକ, ମୋ-୬୩୭୦୨୩୬୬୪୯, ଇମେଲ – dshuvam97@gmail.com
(କୃଷି ସ୍ନାତକ , ସେଂଚୁରିଆନ ବିଶ୍ୱବିଦ୍ୟାଳୟ , ପାରଳାଖେମୁଣ୍ଡି ଓ ସମ୍ପାଦକ – ଶ୍ୟାମଳ ସୁବର୍ଣ୍ଣ (କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.