କଟକ: କୋଭିଡ-୧୯ ମହାମାରୀ ମଧ୍ୟରେ ଅସ୍ଥି ମଜ୍ଜା ପ୍ରତିରୋପଣ କରି ପୁଣି ଏକ ମାଇଲଖୁଣ୍ଟ ହାସଲ କରିଛି ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ । ଏହାଛଡା ହେମାଟୋଲୋଜି ବିଭାଗର ଏହା ୭୭ ତମ ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ ।
ଲକଡାଉନ୍ ପରଠାରୁ ପାଖାପାଖି ୩ ମାସରୁ ଅଧିକ ସମୟ ହେବ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) ୟୁନିଟ୍ ବନ୍ଦ ରହିଥିଲା।
ନୂତନ ଗାଇଡଲାଇନ ଅନୁଯାୟୀ ନୟାଗଡ଼ ଜିଲ୍ଲାର ଖାମରସାହିର ସତ୍ୟବାଦୀ ନାୟକ (୫୫)ଙ୍କର କରୋନାଭାଇରସ ଟେଷ୍ଟ ପରେ ଏହି ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା।
ସେ ଏକ ପ୍ରକାର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ। କେମୋଥେରାପିର ୧୦ ରାଉଣ୍ଡ ପରେ ତାଙ୍କୁ ଏସସିବିକୁ ରେଫର୍ କରାଯାଇଥିଲା। ତେବେ କୋଭିଡ-୧୯ ହେତୁ ତାଙ୍କର ଅସ୍ତ୍ରୋପଚାର ବନ୍ଦ ହୋଇଯାଇଥିଲା।
ଅସ୍ତ୍ରୋପଚାର ପାଇଁ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିବା ସହ ସାଧାରଣ ଓଟି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ ବାହାରିବା ପରେ ଅପରେସନ ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।
ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି ଯେ ଏସସିବି ହେଉଛି ରାଜ୍ୟ ପରିଚାଳିତ ଦେଶର ଏକମାତ୍ର ଚିକିତ୍ସାଳୟ, ଯାହାକି ୭୭ଟି ଅସ୍ଥି ମଜ୍ଜା ପ୍ରତିରୋପଣ କରିଛି ଏବଂ ଏକାଧିକ ମାଇଲୋମାରେ ପୀଡିତ ରୋଗୀଙ୍କୁ ବିଏମଟି ସମ୍ପୂର୍ଣ୍ଣ ମାଗଣାରେ ସେବା ଯୋଗାଇ ଦେଇଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଶେଷ ବିଏମଟି କରାଯାଇଥିଲା, ଯାହା ପରେ କୋଭିଡ-୧୯ ଯୋଗୁଁ ବିଏମଟି ବନ୍ଦ କରାଯାଇଥିଲା। ତେବେ ରବିବାର ଦିନ ସଫଳ ଅସ୍ତ୍ରୋପଚାର ପରେ ଆସନ୍ତା ଜୁନ୍ ୨୫ରେ ଢେଙ୍କାନାଳର ଜଣେ ୫୮ ବର୍ଷ ବୟସ୍କା ରୋଗୀଙ୍କ ଉପରେ ବିଭାଗ ଏହାର ୭୮ ତମ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ବୋଲି ସେ ସୂଚନା ଦେଇଛନ୍ତି।
Comments are closed.