Latest Odisha News

BREAKING NEWS

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଇଣ୍ଟେଲ୍ କ୍ୟାପିଟାଲ୍‌

ଭୁବନେଶ୍ୱର: ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି । ଇଣ୍ଟେଲ୍ କ୍ୟାପିଟାଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ।

ଜିଓ ପ୍ଲାଟଫର୍ମସ୍‌ରେ ନିକଟରେ ପୁଞ୍ଜିନିବେଶ କରିଥିବା ବିଶ୍ୱର ବିଶିଷ୍ଟ ନିବେଶକମାନଙ୍କ ତାଲିକାରେ ଏବେ ଇଣ୍ଟେଲ୍ ସାମିଲ୍ ହୋଇଛି । ଏହି ନିବେଶକମାନେ ଜିଓ ପ୍ଲାଟଫର୍ମସରେ ମୋଟ ୧,୧୭,୫୮୮.୪୫ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି।

ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି।

ଇଣ୍ଟେଲ୍ କ୍ୟାପିଟାଲ୍ ବିଶ୍ୱ ସ୍ତରରେ ଅଭିନବ କଂପାନିଗୁଡ଼ିକରେ ନିବେଶ କରୁଛି ଯେଉଁମାନେ ବୈପ୍ଳବିକ ପ୍ରଯୁକ୍ତି ଯଥା କ୍ଲାଉଡ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା ଓ ୫ଜି ଉପରେ କାର୍ଯ୍ୟ କରୁଛନ୍ତି ।

ସେମିକଣ୍ଡକ୍ଟର ଶିଳ୍ପରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ହେଉଛି ଇଣ୍ଟେଲ୍ କ୍ୟାପିଟାଲ୍‌, ଯାହା କମ୍ପ୍ୟୁଟିଙ୍ଗ୍ ଓ ଯୋଗାଯୋଗ ପ୍ରଯୁକ୍ତି ସହିତ ଡାଟା କୈନ୍ଦ୍ରୀକ ଭବିଷ୍ୟତର ଢାଞ୍ଚା ପ୍ରସ୍ତୁତ କରୁଛି ଯାହା ହେଉଛି ବିଶ୍ୱ ସ୍ତରୀୟ ଅଭିନବ ପଦକ୍ଷେପର ମୂଳଦୁଆ।

ଇଟେଂଲ୍ ଭାରତରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛି ଏବଂ ଆଜିର ଦିନରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଷ୍ଟେଟ୍ ଅଫ୍ ଆର୍ଟ ଡିଜାଇନ୍ କେନ୍ଦ୍ରରେ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଛି।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଆମର ରହିଥିବା ଲକ୍ଷ୍ୟରେ ଅବତୀର୍ଣ୍ଣ ହୋଇ ଆମ ସହିତ ସମ୍ପର୍କକୁ ପ୍ରଯୁକ୍ତି କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଦୃଢ଼ କରିଥିବାରୁ ଆମେ ବହୁତ ଖୁସି । ନୂତନ ପ୍ରଯୁକ୍ତିରେ ଭାରତର ଦକ୍ଷତାକୁ ବଢ଼ାଇବାରେ ଇଣ୍ଟେଲ୍ ସହିତ କାର‌୍ୟ୍ୟ କରିବାକୁ ଆମେ ଉତ୍ସାହିତ ଯାହା ଆମ ଅର୍ଥନୀତିର ସବୁ କ୍ଷେତ୍ରକୁ ସଶକ୍ତ କରିବ ଏବଂ ୧୩୦ କୋଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବ।’’

ଇଣ୍ଟେଲ୍ କ୍ୟାପିଟାଲ୍‌ର ସଭାପତି ୱେଣ୍ଡେଲ୍ ବ୍ରୁକସ୍ କହିଛନ୍ତି ଯେ, “ନିଜର ଉଲ୍ଲେଖନୀୟ ଇଞ୍ଜିନିୟରିଂ ଦକ୍ଷତାକୁ ଉପଯୋଗ କରି ଭାରତ ପାଇଁ ସୁଲଭ ମୂଲ୍ୟର ଡିଜିଟାଲ୍ ସେବାର ଶକ୍ତି ଆଣିବା ଉପରେ ଜିଓ ପ୍ଲାଟଫର୍ମ ଗୁରୁତ୍ୱ ଦେଉଛି। ଯାହା ଜନଜୀବନକୁ ସମୃଦ୍ଧ କରିବା ଲାଗି ବୈପ୍ଳବିକ ପ୍ରଯୁକ୍ତି ପ୍ରଦାନ କରିବା ପାଇଁ ଇଣ୍ଟେଲ୍ ରଖିଥିବା ଲକ୍ଷ୍ୟ ସହ ମେଳ ଖାଉଛି । ଆମର ବିଶ୍ୱାସ ରହିଛି ଯେ ଡିଜିଟାଲ୍ ସୁଯୋଗ ହାସଲ ଏବଂ ଡାଟା ବଳରେ ବ୍ୟବସାୟ ଓ ସମାଜରେ ବୈପ୍ଳବିକ ଉନ୍ନତି ହାସଲ କରାଯାଇପାରିବାର କ୍ଷମତା ରହିଛି।

ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.