Latest Odisha News

BREAKING NEWS

ଭିନ୍ନକ୍ଷମମାନଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ରେ ଖୋଲିଲା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’

ସୁନ୍ଦରଗଡ଼ : ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’କୁ ଆଜି ଲୋକାର୍ପଣ କରାଯାଇଛି । ପଶ୍ଚିମାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ ଏହାକୁ ଲୋକାର୍ପିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମା ଏକ୍କା, ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭିନ୍ନକ୍ଷମମାନଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଏହି କେନ୍ଦ୍ରରେ ଗରିବ ଶ୍ରେଣୀର ଭିନ୍ନକ୍ଷମମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏଥି ସହିତ ସେମାନଙ୍କୁ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ସୁଯୋଗ ଦେବା ହେଉଛି ଏହି କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ।

ଏଠାକୁ ଆସୁଥିବା ସମସ୍ତ ରୋଗୀଙ୍କୁ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ତେବେ ବର୍ଷକୁ ୪ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବର୍ଗର ଭିନ୍ନକ୍ଷମ ହିତାଧିକାରୀଙ୍କ କ୍ଷେତ୍ରରେ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାର ସୁବିଧା ରହିଛି।
ଲୋକାର୍ପଣ ଅବସରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ‘‘ଏହି ପୁନର୍ବାସ କେନ୍ଦ୍ରରେ ଅତ୍ୟାଧୁନିକ ରୋବଟିକ୍ସ ଫିଜିଓଥେରାପି ସୁବିଧା ରହିଛି। ଅତ୍ୟାଧୁନିକ ଲାବୋରେଟୋରୀ ସହିତ ଭିନ୍ନକ୍ଷମମାନେ ନିଜକୁ ପରିଚାଳନା କରିବା ପାଇଁ ତାଲିମ ଏବଂ ସେମାନଙ୍କର ଯତ୍ନ ନେବାର ବ୍ୟବସ୍ଥା ରହିଛି। ତେଣୁ ଏଥିରୁ ବହୁ ଲୋକ ଉପକୃତ ହେବେ ।’’

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମ୍‌ଏଫ୍) ପକ୍ଷରୁ ୧୩ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର‌୍ୟ୍ୟ ପାଇଁ ଡିଏମ୍‌ଏଫ୍ ନିୟମିତ ଭାବରେ ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇ ଦେଇ ଆସୁଛି।

Comments are closed.