Latest Odisha News

BREAKING NEWS

ଆଦର୍ଶ ଯୁବଗାୟକ : ଜୟଚନ୍ଦ୍ର ବଡଦଳାଇ

ବର୍ତ୍ତମାନର ପ୍ରତିଭାଧର ଯୁବ ଗାୟକମାନଙ୍କ ମଧ୍ୟରେ ଅନ୍ୟତମ ଜୟଚନ୍ଦ୍ର ବଡଦଳାଇ । ଖୁବ୍ କମ୍ ସମୟ ମଧ୍ୟରେ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଜୟଚନ୍ଦ୍ର ।
୧୯୮୨ ମସିହା ଆଷାଢ ମାସ ଏକାଦଶୀ ଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ରେବଣା ନୂଆଗାଁରେ ଜନ୍ମ ଗ୍ରହଣ କରିଥିଲେ ଜୟଚନ୍ଦ୍ର ବଡଦଳାଇ । ବାପା ଦିବାକର ବଡଦଳାଇ ଏବଂ ମାଆ ହୀରାମଣୀ ଦେବୀ । ଦୁଇ ଭାଇ ଓ ୪ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ଜୟଚନ୍ଦ୍ର । ଜେଜେବାପା ପ୍ରହଲ୍ଲାଦ ବଡଦଳାଇଥିଲେ ଜଣେ ପ୍ରତିଷ୍ଠିତ ସଂକୀର୍ତ୍ତନ ଗାୟକ । ବାପା ଥିଲା ଗାୟକ । ତେଣୁ ପିଲାଟିି ଦିନରୁ ଘରେ କଳା, ସାହିତ୍ୟ, ସଙ୍ଗୀତ ଓ ପାଲାର ପରିବେଶ ରହିଥିଲା, ଯାହାର ପ୍ରଭାବ ପିଲାଟିି ଦିନରୁ ପଡିଥିଲା ଜୟଚନ୍ଦ୍ରଙ୍କ ଉପରେ ।

ବାପା ମଧ୍ୟ ଚାହୁଁଥିଲେ ତାଙ୍କ ପରିବାରରୁ କେହି ଜଣେ ପାଲା ଗାୟକ ହୁଅନ୍ତୁ । ତେଣୁ ସେ ସାନ ପୁଅକୁ ପଞ୍ଚମ, ଷଷ୍ଠ ଶ୍ରେଣୀରୁ ଚାଣକ୍ୟଙ୍କ ଶ୍ଲୋକ ସହ ଅନେକ ନୀତିବାଣୀ ଶିଖାଇଥିଲେ । ସପ୍ତମ ଶ୍ରେଣୀ ବେଳକୁ ଜୟଚନ୍ଦ୍ର ହରିଶ୍ଚନ୍ଦ୍ର ନାଟକ ମୁଖସ୍ତ କରିସାରିଥିଲେ । ନିକଟସ୍ଥ ଗ୍ରାମର ଗାୟକ ବିହାରୀ ବନ୍ଧୁ ଜେନା ସେହି ନାଟକ ଲେଖିଥିଲେ ।

ମାଟ୍ରିକ ପାସ୍ ପରେ ଜୟଚନ୍ଦ୍ର ବ୍ରହ୍ମଗିରି ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଶାସ୍ତ୍ରୀ ଏବଂ ଉପଶାସ୍ତ୍ରୀ ପଢିଥିଲେ । ଏହାମଧ୍ୟରେ ୨୦୦୦ ମସିହାରେ ଜୟଚନ୍ଦ୍ର ବିଧିବଦ୍ଧ ପାଲା ଶିଖିବା ଆରମ୍ଭ କଲେ । ସେହିବର୍ଷ ଦଶହରା ଦିନ ଗ୍ରାମର ପିଙ୍ଗଳେଶ୍ୱର ମହାଦେବଙ୍କ ପୀଠରେ ଚାମର ଗ୍ରହଣ କଲେ । ବାପାଙ୍କର ଛାତ୍ର, ଗାୟକ ସୋମନାଥ ନାୟକ ଚାମର ପ୍ରଦାନ କଲେ । ପରବର୍ତ୍ତୀ ସମୟରେ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଗୁରୁ କରି ତାଙ୍କଠାରୁ ଶିକ୍ଷା ଗ୍ରହଣ କଲେ ।

ଚାମର ଗ୍ରହଣ କରିବା ପରେ ସେହି ୨୦୦୦ ମସିହାରେ ପ୍ରଥମ ବାଦୀପାଲାରେ ଅବତୀର୍ଣ୍ଣ ହୋଇଥିଲେ ଜୟଚନ୍ଦ୍ର । ବ୍ରହ୍ମଗିରିର ଘଟକୁଡି ଗ୍ରାମରେ ମଦନ ସ୍ୱାଇଁଙ୍କ ସହ ଜୟଚନ୍ଦ୍ର ବାଦୀପାଲା ଗାଇଥିଲେ । ଏହାପରଠାରୁ ସେ ଆଉ ପଛକୁ ଫେରିନାହାଁନ୍ତି । ପ୍ରତିବର୍ଷ ରାଜ୍ୟର କୋଣ ଅନୁକୋଣରେ ୧୨୦ରୁ ୧୫୦ ରାତି ପାଲା ପରିବେଷଣ କରୁଛନ୍ତି । ବର୍ତ୍ତମାନର ଯୁବ ଗାୟକମାନଙ୍କ ମଧ୍ୟରେ ଜୟଚନ୍ଦ୍ରଙ୍କର ସ୍ୱତନ୍ତ୍ର ପରିିଚୟ ରହିଛି । ସେ ଉଭୟ ଆଲୋଚନା ଏବଂ ବିଷୟ ଗାୟନରେ ସିଦ୍ଧହସ୍ତ ଥିବାରୁ ସବୁ ବର୍ଗର ଦର୍ଶକ ତାଙ୍କ ପାଲାକୁ ଆଗ୍ରହରେ ଗ୍ରହଣ କରୁଛନ୍ତି ।  

ଚାକିରି ପଛରେ ନଗୋଡାଇ ପ୍ରଥମରୁ ପାଲାକୁ ନିଜ ଜୀବନର ବ୍ରତ ଆଉ ବୃତ୍ତି ଭାବେ ଜୟଚନ୍ଦ୍ର ଗ୍ରହଣ କରିନେଇଛନ୍ତି । ବର୍ଷ ତମାମ ପାଲାରେ ନିଜକୁ ନିୟୋଜିତ ରଖିଛନ୍ତି । ସବୁଠାରୁ ବଡକଥା ହେଉଛି ଅନେକ ଉଦୀୟମାନ ଗାୟକଙ୍କୁ ସେ ପାଲା କ୍ଷେତ୍ରରେ ପ୍ରବେଶ କରାଇଲେଣି । ବର୍ତ୍ତମାନ ସୁଦ୍ଧା ୮ ଜଣ ଗାୟକଙ୍କୁ ସେ ପାଲା ଶିକ୍ଷା ଦେଲେଣି । ଅନେକ ଯୁବ ଗାୟକଙ୍କ ପାଇଁ ସେ ଆଦର୍ଶ ପାଲଟିଛନ୍ତି ।

Leave A Reply

Your email address will not be published.