Latest Odisha News

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେବେ ଉନ୍ମୋଚନ ହୋଇଥିଲା ରାମାୟଣ ଷ୍ଟାମ୍ପ ?

ଭୂବନେଶ୍ୱର: ବହୁ ଅପେକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପାଇଁ ଚଳଚଂଚଳ ସାରା ଭାରତ । ନିମନ୍ତ୍ରିତ ଅତିଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ।

ଏପରି ସ୍ଥିତିରେ କିଛି ପୋଷ୍ଟାଲ୍ ଷ୍ଟାମ୍ପ ଯାହା ରାମାୟଣ ସହ ସଂପୃକ୍ତ, ତାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଫେସ୍‌ବୁକ୍ ଓ ଟୁଇଟର୍‌ରେ ଏହି ଫଟୋଗୁଡିକ ଶେୟାର ହୋଇଥିଲାବେଳେ କ୍ୟାପ୍ସନ୍ ରହିଛି “ଭୂମିପୂଜନ ଅବସରରେ ନରେନ୍ଦ୍ର ମୋଦି ଲୋକାର୍ପିତ କଲେ ରାମାୟଣ ଷ୍ଟାମ୍ପ” ।

ତେବେ ନିକଟ ଅତୀତରେ ସରକାରୀ ସ୍ତରରେ ଏପରି କୌଣସି ଘୋଷଣା ହୋଇନଥିଲାବେଳେ ଏପରି ଖବର ସୋସିଆଲ ମିଡିଆକୁ ଆସିଲା କିଭଳି ? ଏହି ଘଟଣା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ ମନରେ ସୃଷ୍ଟି କରିଥିଲା ଅସରନ୍ତି ପ୍ରଶ୍ନ ।

ରାମ ମନ୍ଦିର ଭୂମିପୂଜନ ଭଳି ସମ୍ବେଦନଶୀଳ ସମାରୋହ ସହ ଷ୍ଟାମ୍ପ ଗୁଡିକ ଜଡିତ ଥିବାରୁ ଆରମ୍ଭ ହୋଇଥିଲା ସତ୍ୟର ସନ୍ଧାନ । ଅନେକ ଫେସ୍‌ବୁକ୍ ଓ ଟୁଇଟର୍ ପୋଷ୍ଟର ଖୋଳତାଡ କରିବା ପରେ ବି ଏତେଟା ବଳିଷ୍ଠ ତଥ୍ୟ ଆମର ହସ୍ତଗତ ହୋଇନଥିଲା ।

ଶେଷରେ ଅନ୍ୟ ଉପାୟ ନ ପାଇଁ ରିଭର୍ସ ଇମେଜ ସାହାରାରେ ସେପ୍ଟେମ୍ବର ୨୩, ୨୦୧୭ର ଏକ ଟୁଇଟ୍ ଆମ ନଜରକୁ ଆସିଥିଲା । ଟୁଇଟର ହ୍ୟାଣ୍ଡଲରର ନାମ ରହିଥିଲା “@BetterPhilately” । ଏହି ଟୁଇଟରେ ତିନୋଟି ଫଟୋ ରହିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ହାତରେ ଷ୍ଟାମ୍ପ୍‌ବୁକ୍ ରହିଥିଲା । ଆଉ ଏଥିରେ କ୍ୟାପ୍ସନ ରହିଥିଲା “ବାରଣାସୀରେ ଭାରତୀୟ ପୋଷ୍ଟ ଜାରି କଲା ରାମାୟଣ ଉପରେ ଆଧାରିତ ପୋଷ୍ଟାଲ୍ ଷ୍ଟାମ୍ପ” ।

ଏହି ଟୁଇଟକୁ ଦେଖିବା ପରେ ସ୍ପଷ୍ଟ ହୋଇଥିଲା ଏହି ଫଟୋ ହିଁ ସଦ୍ୟ ସ୍ଥିତିରେ ଭାଇରାଲ୍ ହୋଇଛି । ପରେ ଅଧିକ ଯାଂଚ କରିବା ପରେ ସାମ୍ନାକୁ ଆସିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟ୍ । ଯାହା ୨୦୧୭, ସେପ୍ଟେମ୍ବର ୨୨ରେ ଟୁଇଟ୍ ହୋଇଥିଲା । ତେବେ ଖାଲି ଏତିକି ନୁହେଁ ବରଂ ଏନ୍‌ଡିଟିଭି ଓ ଇଣ୍ଡିଆ ପୋଷ୍ଟେଜ ଷ୍ଟାମ୍ପ୍ସ ୱେବସାଇଟରେ ମଧ୍ୟ ସମାନ ସୂଚନା ରହିଥିଲା ।

ଏହି ସମସ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ରାମ ମନ୍ଦିର ଜନ୍ମଭୂମି ଅବସରରେ ନୁହେଁ ବରଂ ବହୁ ପୂର୍ବରୁ ଏହି ଷ୍ଟାମ୍ପ ଗୁଡିକ ଲୋକାର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.