Latest Odisha News

BREAKING NEWS

ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ: ସରକାରଙ୍କ ଦ୍ୱାରା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ସମାବେଶରେ ଯୋଗଦେବାକୁ ହଜାର ହଜାର ଚାଷୀ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିଲେ । ଭୁବନେଶ୍ୱର ସହର ମଧ୍ୟକୁ ପ୍ରବେଶ କରିବାକୁ ହଂସପାଳ ଏବଂ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋଠାରେ ଏକଜୁଟ ହୋଇଥିଲେ ।

ତମାଣ୍ଡୋଠାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପକ୍ଷରୁ ୧୪୪ ଧାରା ଜାରିକୁ ନମାନି କୃଷକମାନେ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଖଣ୍ଡଗିରି ସମେତ ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରେ ଆନ୍ଦୋଳନକାରୀମାନଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।

ସେହିପରି ହଂସପାଳ ନିକଟରେ ଆନ୍ଦୋଳନକାରୀଙ୍କ ଅନ୍ୟ ଏକ ପଟୁଆରକୁ ପୋଲିସ ପକ୍ଷରୁ ରୋକା ଯାଇଥିଲା । ସୂଚନାନୁଯାୟୀ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ ପୋଲିସ ୧୬ ନଂ ଜାତୀୟ ରାଜପଥ କଡ଼ର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା ।

ଚାଷୀମାନଙ୍କ ସ୍ୱାର୍ଥରକ୍ଷା ଲାଗି ସରକାର ସାମାଜିକ ସୁରକ୍ଷା ନେଇ ଅଧ୍ୟାଦେଶ ଜାରି କରିବାକୁ ଚାଷୀମାନେ ଦାବୀ କରୁଥିବା ସୂଚନା ମିଳିଛି । ତେବେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି, ରାଜ୍ୟ ସରକାର କୃଷକମାନଙ୍କୁ ୪ର୍ଥଥର ଲାଗି ତାଙ୍କର ପ୍ରତିଶ୍ରୁତି ପାଳନ କରି ପାରିନାହାନ୍ତି ।

ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ଏଥର ଏନେଇ ଆମେ ରାଜ୍ୟ ସରକାରଙ୍କ ନିକଟରେ ଅଧ୍ୟାଦେଶ ଜାରି କରିବାକୁ ଦାବି କରିଥିଲୁ ।

ରାଜ୍ୟ ସରକାର ଚାଷୀମାନଙ୍କର ସମସ୍ୟାର ସମାଧାନ କରିବା ଲାଗି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ କୃଷି ଓ ସମବାୟ ମନ୍ତ୍ରୀ ମଧ୍ୟ ସଦସ୍ୟ ରହିଛନ୍ତି ।

ରାଜଧାନୀରେ ବିରାଟ କୃଷକ ସମାବେଶ ଏବଂ ଚାଷୀମାନଙ୍କର ଦାବି ସମ୍ପର୍କରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ଗଠିତ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଚାଷୀମାନଙ୍କ ଦାବି ଓ ସ୍ୱାର୍ଥ ଉପରେ ବିଚାର କରି ସରକାରଙ୍କୁ ସୁପାରିଶ କରିବ ।

ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିରେ ରାଜ୍ୟ କୃଷି, ପଞ୍ଚାୟତିରାଜ ଏବଂ ସମବାୟ ବିଭାଗ ମନ୍ତ୍ରୀ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.