Latest Odisha News

ଦେବ୍ରୀଗଡ଼ ବାଘ ମୃତ୍ୟୁ ଘଟଣା: ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଲେ

ବରଗଡ଼: ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଦେବ୍ରୀଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚ୪ଜଣଙ୍କୁ ଗିରଫ କରି ଅଭିଯୁକ୍ତମାନଙ୍କୁ ୨ଦିନିଆ ରିମାଣ୍ଡରେ ନେଇଛନ୍ତି ।

ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତ ଗିରଫ ହେବାପରେ ବରଗଡ଼ ଏସଡ଼ିଜିଏମ କୋର୍ଟ କ୍ରାଇମବ୍ରାଞ୍ଚକୁ ୨ ଦିନିଆ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କ୍ରାଇମବ୍ରାଞ୍ଚ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ବରଗଡ଼ ଥାନାରେ ପଚରାଉଚରା ନିମନ୍ତେ ବରଗଡ଼ ଥାନାକୁ ଆଣିଛନ୍ତି । ଏହି ତଦନ୍ତ ଟିମର ନେତୃତ୍ୱ ନେଇଛନ୍ତି ଡ଼ିଏସପି ବିଳାସିନୀ ନାୟକ । ଅଭିଯୁକ୍ତମାନେ ବାଘକୁ ମାରି ମାଟିରେ ପୋତିଦେଇଥିବାର ଅଭିଯୋଗ ହୋଇଥିଲା ।

ବାଘର ଗଳିତ ମୃତଦେହକୁ ପୋଲିସ ଦ୍ୱାରା ଅକ୍ଟୋବର ୨୯ ତାରିଖ ଦିନ ଉଦ୍ଧାର କରାଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡ଼ିଜି, ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ୪ଜଣ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ପଚରାଉଚରା ନିମନ୍ତେ ୨ଦିନିଆ ରିମାଣ୍ଡରେ ଅଣାଯିବା ପରେ ଅରୁଣ ବୋଥ୍ରା ଯିଏକି ସମ୍ପୂର୍ଣ୍ଣ ଘଟଣାର ତଦାରଖ କରୁଛନ୍ତି ସେ ବରଗଡ଼ ଅଭିମୁଖେ ଆସୁଛନ୍ତି ।

ଏହି ଘଟଣାରେ ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତମାନେ ହେଲେ – ଖଜୁରିଆ ଗ୍ରାମର ସତ୍ୟବ୍ରତ ସାହୁ ଓ ସୁଶିଲ ଭୁଏ, କୁଦପଡ଼ା ଗାଁର ଗୌରୀ ମିର୍ଦ୍ଧା ଏବଂ ମୁଣ୍ଡପଡ଼ା ଗ୍ରାମର ଜାକ୍ରିୟା ଟୁଡୁ । ଗିରଫ ହୋଇ ପୋଲିସ ନିକଟରେ ସମସ୍ତ ଘଟଣା ସ୍ୱୀକାର କରିଛନ୍ତି ଏହି ୪ଜଣ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କ କହିବାନୁଯାୟୀ, ଅକ୍ଟୋବର ୧୩ ତାରିଖରେ ଅଭୟାରଣ୍ୟର ଉପକଣ୍ଠରେ ବଣୁଆ ଭାଲୁ ଲାଗି ବସାଇଥିବା ଜାଲରେ ବାଘ ପଡ଼ିଥିବାର ଦେଖି ତାକୁ ମାରି ଦେଇଥିଲେ ଅଭିଯୁକ୍ତ ମାନେ । ମୃତ ବାଘର ଦାନ୍ତ ଏବଂ ନଖ ସଂଗ୍ରହ କରି ମାଟିରେ ପୋତିଦେଇଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ସମସ୍ତ ଅଭିଯୁକ୍ତ ।

Leave A Reply

Your email address will not be published.