Latest Odisha News

BREAKING NEWS

ମୂଲ୍ୟହୀନ ବିତର୍କ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଆଜିକାଲି ବୈଦ୍ୟୁତିକ ଗଣମାଧ୍ୟମ ତଥା ସମ୍ବାଦ ଚ୍ୟାନେଲ୍ ମାନଙ୍କରେ ସମ୍ବାଦ ପରିବେଷଣ ବ୍ୟତୀତ ଭିନ୍ନ ଭିନ୍ନ ବିଷୟରେ ଷ୍ଟୁଡ଼ିଓରେ ବିତର୍କ ଆୟୋଜନ କରିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଉଭା ହୋଇଛି । କିନ୍ତୁ ଏହି ବିତର୍କ କାର୍ଯ୍ୟକ୍ରମକୁ କିଛି ସମୟ ଦେଖିଲେ ଜଣେ ସଚେତନ ଓ ସମ୍ବେଦନଶୀଳ ଦର୍ଶକର ମନ ବିରକ୍ତିରେ ଭରି ଉଠିବାଟା ନିଶ୍ଚିତ । କାରଣ ଏପରି ବିତର୍କ କାର୍ଯ୍ୟକ୍ରମ ଅନେକ ସମୟରେ କେବଳ ତୁ ତୁ ମେ ମେ ତଥା ଆରୋପ ପ୍ରାତ୍ୟାରୋପରେ ହିଁ ସୀମିତ ରହିଥାଏ । ଏହି ବିତର୍କରୁ କିଛି ବି ତତ୍ୱ ବା ତଥ୍ୟ ଭିତିକ ସୂଚନା ମିଳିନଥାଏ । ସମସ୍ତେ କେବଳ ନିଜ ନିଜ ଦଳର ଆଭିମୁଖ୍ୟକୁ ଚଢ଼ା ଗଳାରେ କହିଥାନ୍ତି, ଯାହାର ଆଲୋଚ୍ୟ ପ୍ରସଙ୍ଗ ସହିତ ଅନେକ ସମୟରେ କିଛି ବି ସଂପର୍କ ନଥାଏ । ଆଲୋଚ୍ୟ ପ୍ରସଙ୍ଗର ଇତିହାସ, ଅସଲ କାରଣ ବା ସାମଗ୍ରିକ ପରିଣାମକୁ ଉଚିତ୍ ଭାବେ କେହି ବି ଉପସ୍ଥାପନ କରିନଥାନ୍ତି । ଅନେକ ସମୟରେ ଦେଖାଯାଏ ଯେ, ବିତର୍କ ଆୟୋଜନ କରୁଥିବା ଉପସ୍ଥାପକ ବି ପ୍ରସଙ୍ଗର ମୂଳକୁ ଯିବାକୁ ଚାହିଁନଥାନ୍ତି ଓ ଉଭୟ ଦଳର ପ୍ରବକ୍ତାଙ୍କୁ ନିଜ କଥାରେ ଭଡ଼୍‌କେଇ ଯୁକ୍ତି ତର୍କକୁ ଉତ୍ସାହିତ କରୁଥାନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଆମ ଦେଶରେ ସଂପ୍ରତି ୪୦୦ରୁ ଅଧିକ ସମ୍ବାଦ ଚ୍ୟାନେଲ ଅଛି ଓ ସମସ୍ତ ଚ୍ୟାନେଲ୍ ପ୍ରତିଦିନ ଭିନ୍ନ ଭିନ୍ନ ବିଷୟରେ ବିତର୍କ ଆୟୋଜନ କରିଥାନ୍ତି । ଏହି ବିତର୍କରେ ଦୁଇ ତିନୋଟି ଦଳର ପ୍ରବକ୍ତାଙ୍କ ସହିତ ଜଣେ ଦୁଇଜଣ ବିଶେଷଜ୍ଞ (ପ୍ରସଙ୍ଗର ସପକ୍ଷବାଦୀ ଓ ବିରୋଧୀ) ଯୋଗ ଦେଇଥାନ୍ତି । ସମ୍ବାଦ ଚ୍ୟାନେଲମାନେ ଜାଣି ଜାଣି ଏଭଳି ଲୋକମାନଙ୍କୁ ଡାକିଥାନ୍ତି ଯେପରି ଗରମାଗରମ ଯୁକ୍ତି ତର୍କ ହେବ । ଅନେକ ସମୟରେ ଦେଖାଯାଇଛି ଯେ, ଟିଭି ଷ୍ଟୁଡ଼ିଓରେ ଚାଲୁଥିବା ଏହି ବିତର୍କ ସବୁ ଶାଳୀନତାର ସୀମା ଲଙ୍ଘନ କରି ଅତ୍ୟନ୍ତ ଅରୁଚିପୂର୍ଣ୍ଣ ଝଗଡ଼ାରେ ପରିଣତ ହୋଇଯାଏ । ବେଳେବେଳେ ଦେଖାଯାଇଛି ଯେ, ଉଭୟ ଦଳର ପ୍ରବକ୍ତା ଯୁକ୍ତି କରୁ କରୁ ପରସ୍ପରଙ୍କ ସହିତ ହାତାହାତି ବି ହୋଇଛନ୍ତି । ଏଥିରେ କେବଳ ଉଭୟ ଦଳର ପ୍ରବକ୍ତାଙ୍କ ଭୂମିକା ନଥାଏ, ଚ୍ୟାନେଲ୍‌ର ଉପସ୍ଥାପକଙ୍କର ବି ସମାନ ଭୂମିକା ଥାଏ । କାରଣ ସେ ହିଁ ଅହରହ ନିଆଁରେ ଘିଅ ପକେଇବା ପରି ପରିସ୍ଥିତି ତିଆରି କରୁଥାନ୍ତି । ଏହି ବିତର୍କକୁ ଜଣେ ଯଦି ମୂଳରୁ ଶେଷ ଯାଏ ଦେଖେ ତେବେ ଦେଖି ସାରିବା ପରେ ସେ ଉପରୋକ୍ତ ପ୍ରସଙ୍ଗକୁ କିଛି ବି ବୁଝିପାରିବ ନାହିଁ । କାରଣ ଅନେକ ସମୟରେ ବିତର୍କ ପ୍ରସଙ୍ଗର ମୌଳିକ ଦିଗଠାରୁ ଅନେକ ଦୂରରେ ଥାଏ । ଅନେକ ବିତର୍କ କାର୍ଯ୍ୟକ୍ରମରେ ଦେଖାଯାଇଛି ଯେ, ଭାଗ ନେଇଥିବା ଦଳର ପ୍ରବକ୍ତା ମାନଙ୍କର ଉପରୋକ୍ତ ପ୍ରସଙ୍ଗ ଉପରେ ଆଦୌ ଧାରଣା ନଥାଏ । ଯଦି ବି ଥାଏ, ସେ କେବଳ ନିଜର ତଥା ଦଳର ବିଚାରକୁ ବାରମ୍ବାର ଉପସ୍ଥାପନ କରିଥାନ୍ତି । ସମୁଦାୟ ପ୍ରସଙ୍ଗକୁ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ତାର ପ୍ରଭାବକୁ ଜମାରୁ ବି ଛୁଇଁବାକୁ ଚାହାନ୍ତି ନାହିଁ । ସେମାନେ କେବଳ ବିରୋଧ କରିବା ପାଇଁ ବିରୋଧ କରୁଥାନ୍ତି ନଚେତ ସମର୍ଥନ କରିବା ପାଇଁ ପ୍ରସଙ୍ଗ ସପକ୍ଷରେ ବଡ଼ ବଡ଼ ପାଟିରେ କହୁଥାନ୍ତି । କେତେକ ସମୟରେ ଦେଖାଯାଇଛି ସମ୍ବାଦ ଚ୍ୟାନେଲ୍‌ର ଉପସ୍ଥାପକଙ୍କର ମଧ୍ୟ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଯଥେଷ୍ଟ ମୌଳିକ ଧାରଣା ନଥାଏ । ସେ କେବଳ ଜାଣି ଜାଣି ବିତର୍କ ତଥା ଆଲୋଚନାକୁ ଏପଟ ସେପଟ କରୁଥାନ୍ତି । ଯେପରି ଭାଗନେଇଥିବା ଲୋକମାନେ ପରସ୍ପରଙ୍କ ସହ ଯୁକ୍ତି କରିବେ । ଟିଭି ପରଦା ଉପରେ ହେଉଥିବା ଏକ ବିତର୍କକୁ ସାରା ଦେଶର ଲୋକମାନେ ଦେଖନ୍ତି । ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଦାୟିତ୍ୱର ସହ ହେବା କଥା ଏବଂ ଏଥିରୁ ସାଧାରଣ ଲୋକମାନେ ବହୁତ କିଛି ଶିକ୍ଷା ପାଇବା କଥା । କିନ୍ତୁ ଏହା ବାରମ୍ବାର ଦେଖାଯାଇଛି ଯେ, ଟିଭି ପରଦା ଉପରେ ହେଉଥିବା ଏହି ସବୁ ବିତର୍କ ଅତ୍ୟନ୍ତ ହାଲୁକା ଢ଼ଙ୍ଗରେ ଓ ଅପରିପକ୍ୱତାର ସହ ପରିଚାଳନା ହୋଇଥାଏ । ଏଥିରୁ କିଛି ଶିକ୍ଷା ମିଳିବା ପରିବର୍ତେ ମନ ଭିତରେ ସେହି ପ୍ରସଙ୍ଗକୁ ନେଇ ସନ୍ଦେହ ବଢ଼ିଥାଏ ଓ ମୁଣ୍ଡ ଭିତରେ କେବଳ କାଦୁଅ ଜମା ହୋଇଯାଏ । ଏଭଳି ବିତର୍କରେ ଦେଖାଯାଏ ଯେ, ଉପସ୍ଥାପକଙ୍କ ପ୍ରଶ୍ନ ଥିବ ଗୋଟିଏ ପଟେ, ପ୍ରବକ୍ତା ତଥା ସପକ୍ଷବାଦୀ ଓ ବିପକ୍ଷବାଦୀ ବିଶେଷଜ୍ଞମାନେ ଉତ୍ତର ଦେଉଥିବେ ଆଉ ଗୋଟିଏ ପଟେ । ସେଥିରେ ପୁଣି ଜଣେ ଜଣକୁ ଶୁଣି ସାରି କହିବା ପରି ସାଧାରଣ ଶିଷ୍ଟାଚାର ବି ନଥିବ । ଏଥିରୁ ଲୋକମାନେ ବା କ’ଣ ଶିଖିବେ! ଗୋଟିଏ ସମୟ ଥିଲା ଲୋକମାନେ ସମ୍ବାଦ ଚ୍ୟାନେଲମାନଙ୍କର କଥାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ । କିନ୍ତୁ ଆଜି ଲୋକମାନେ ସବୁଠାରୁ ଅଧିକ ମଜା କରୁଛନ୍ତି ସମ୍ବାଦ ଚ୍ୟାନେଲ୍ ମାନଙ୍କର ବିତର୍କକୁ ନେଇ । ମନୋରଞ୍ଜନ ଚ୍ୟାନେଲମାନଙ୍କୁ ଆଜିକାଲି ଲୋକମାନେ ଯେତେ ଗମ୍ଭୀରତାର ସହ ଦେଖୁଛନ୍ତି, ସେତିକି ଗମ୍ଭୀରତାର ସହ ସମ୍ବାଦ ଚ୍ୟାନେଲମାନଙ୍କୁ ଦେଖୁନାହାନ୍ତି । କାରଣ ଆଜିକାଲି ସମ୍ବାଦ ଚ୍ୟାନେଲମାନେ ମନୋରଞ୍ଜନ ଚ୍ୟାନେଲଗୁଡ଼ିକଠାରୁ ଅଧିକ କମେଡ଼ି କରୁଛନ୍ତି ।

ଆଜିକାଲି ଆହୁରି ଦେଖାଯାଉଛି ଯେ, ସମ୍ବାଦ ଚ୍ୟାନେଲମାନଙ୍କର ନିଜସ୍ୱ ଏକ ଏଜେଣ୍ଡା ରହୁଛି । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ସେମାନେ କଳେବଳେ କୌଶଳେ ଭଲ କିମ୍ବା ଖରାପ ପ୍ରମାଣ କରିବାକୁ ଚାହାଁନ୍ତି । ସେମାନେ ମଧ୍ୟ ନିର୍ଦ୍ଧିଷ୍ଟ ଦଳର ସପକ୍ଷ ଓ ବିପକ୍ଷରେ ପରିଣତ ହୋଇଗଲେଣି । ତେଣୁ ଏଭଳି ବିତର୍କ ଚାଲୁଥିବା ବେଳେ ସେମାନେ ସିନା ଉପସ୍ଥାପକ ଚୌକିରେ ବସୁଛନ୍ତି, କିନ୍ତୁ ଅସଲରେ ସେମାନେ ଗୋଟିଏ ପକ୍ଷକୁ ଉପସ୍ଥାପନ କରୁଥାନ୍ତି । ତେଣୁ ଏଭଳି ବିତର୍କ କାର୍ଯ୍ୟକ୍ରମରେ ସେମାନଙ୍କର ନିରପେକ୍ଷତା ଆଦୌ ରହୁନି । ଅନେକ ସମ୍ବାଦ ଚ୍ୟାନେଲ୍ ନିଜ କଥାକୁ ଏତେ ଜୋର୍‌ରେ ପ୍ରବକ୍ତା ତଥା ବିଶେଷଜ୍ଞମାନଙ୍କ ଉପରେ ଲଦି ଦିଅନ୍ତି ଯେ, ସେମାନେ ଟିଭି ଷ୍ଟୁଡ଼ିଓରୁ ଉଠି ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ସଂପ୍ରତି ବଦଳୁଥିବା ରାଜନୈତିକ ଚିତ୍ରପଟ୍ଟରେ ରାଜନୈତିକ ଦଳମାନଙ୍କରେ ପ୍ରବକ୍ତା ନାମକୁ ପଦବୀଟିକୁ ସବୁଠାରୁ ଅଧିକ ଗୁରୁତ୍ୱ ମିଳିବାକୁ ଲାଗୁଛି । ଏହାର ଅର୍ଥ ନୁହେଁ ପୂର୍ବରୁ ରାଜନୈତିକ ଦଳମାନଙ୍କରେ ପ୍ରବକ୍ତା ନଥିଲେ । ପୂର୍ବରୁ ବି ପ୍ରବକ୍ତା ଥିଲେ, କିନ୍ତୁ ସେମାନଙ୍କର ଆଜି ପରି ସେତେ ଗୁରୁତ୍ୱ ନଥିଲା । ଆଜି ରାଜନୈତିକ ଦଳମାନଙ୍କରେ ପ୍ରବକ୍ତାମାନଙ୍କର ଗୁରୁତ୍ୱ ବଢ଼ିଥିବାର ମୂଖ୍ୟ କାରଣ ହେଉଛି, ଟିଭି ଷ୍ଟୁଡ଼ିଓରେ ଆୟୋଜନ ହେଉଥିବା ଏହି ସବୁ ବିତର୍କ କାର୍ଯ୍ୟକ୍ରମ । ଆଜି ଦଳରେ ଏକାଧିକ ପ୍ରବକ୍ତା ରହୁଛନ୍ତି । କାରଣ ସମ୍ବାଦ ଚ୍ୟାନେଲମାନଙ୍କର ସଂଖ୍ୟା ବହୁତ ବଢ଼ିଛି । ସେହି ହିସାବରେ ଟିଭି ବିତର୍କରେ ଭାଗନେବା ପାଇଁ ଦଳରେ ପ୍ରବକ୍ତାମାନଙ୍କର ସଂଖ୍ୟା ବି ବଢ଼ିଛି । ଏହି ପ୍ରବକ୍ତାମାନଙ୍କର ମୁଖ୍ୟ କାମ ହେଉଛି, ଟିଭି ପରଦାରେ ନିଜ ଦଳର କଥା କହିବେ ଓ ଟିଭି ବିତର୍କରେ ନିଜ ଦଳ ପକ୍ଷରୁ ଯୁକ୍ତି କରିବେ । ପରିସ୍ଥିତି ଆଜି ଏପରି ହୋଇଛି ଯେ, ରାଜନୈତିକ ଦଳମାନେ ନିଜ ଦଳର ପ୍ରବକ୍ତାମାନଙ୍କର ଏକ ତାଲିକା ଆଗୁଆ ଟିଭି ଚ୍ୟାନେଲ୍ ମାନଙ୍କୁ ପ୍ରଦାନ କରୁଛନ୍ତି ଓ ଟିଭି ଚ୍ୟାନେଲ୍ ମାନେ ଭିନ୍ନ ଭିନ୍ନ ବିତର୍କରେ ଅଂଶ ଗ୍ରହଣ କରିବା ପାଇଁ ସେଇମାନଙ୍କୁ ଡାକୁଛନ୍ତି ।

ଆଜି ଯେତେବେଳେ ଆମେ ଦେଖୁଛେ ଚ୍ୟାନେଲମାନଙ୍କରେ ଚାଲୁଥିବା ଏହି ବିତର୍କ କାର୍ଯ୍ୟକ୍ରମ ଅତ୍ୟନ୍ତ ନିମ୍ନମାନର ହେଉଛି, ତାର ଅନେକ କାରଣ ମଧ୍ୟରୁ ଏହି ପ୍ରବକ୍ତାମାନେ ମଧ୍ୟ ଏକ ପ୍ରମୁଖ କାରଣ । ଯେଉଁ ପ୍ରବକ୍ତାମାନେ ଟିଭି ଷ୍ଟୁଡ଼ିଓରେ ବସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିବେ, ସେମାନେ ଦଳ ଦ୍ୱାରା ଅତି ହାଲୁକା ଭାବେ ଚୟନ ହୋଇ ଆସୁଛନ୍ତି । ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ଜନସଂପର୍କ, ରାଜନୈତିକ ବୁଝାମଣା ଆଦିକୁ ବିଚାରକୁ ନିଆଯାଉଛି ବୋଲି ଜଣାପଡ଼ୁନାହିଁ । ପ୍ରବକ୍ତାମାନଙ୍କର ବିତର୍କରୁ ଜଣା ପଡ଼ୁଛି ଯେ, ପ୍ରସଙ୍ଗର ଇତିହାସ, ସାମଗ୍ରିକ ପ୍ରଭାବ ଆଦି ଉପରେ ତାଙ୍କର ଆଦୌ ବି ଧାରଣା ନାହିଁ । ଏପରିକି ଅନେକ ଦଳର ପ୍ରବକ୍ତା ମାନଙ୍କର ଦୂର ଦୂର ପର୍ଯ୍ୟନ୍ତ ଜନଜୀବନ ସହିତ ସଂପର୍କ ନାହିଁ । ସେମାନଙ୍କୁ ଭିତରୁ ଅନେକ ଆଦୌ ବି କୌଣସି ନିର୍ବାଚନରେ ଭାଗ ନେଇ ନାହାନ୍ତି କି ଜନସମସ୍ୟା ଉପରେ ସେମାନଙ୍କର ଧାରଣା ନାହିଁ । ଏଭଳି ଲୋକମାନେ ଯେତେବେଳେ ଟିଭି ଷ୍ଟୁଡ଼ିଓକୁ ବିତର୍କ ପାଇଁ ଆସୁଛନ୍ତି, ସେମାନେ ସେହି ପ୍ରସଙ୍ଗ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହିବା ପରିବର୍ତେ କେବଳ ନିଜ ଦଳର ଆଭିମୂଖ୍ୟକୁ ଏକସିଙ୍ଗିଆ ଭାବେ ବର୍ଣ୍ଣନା କରୁଛନ୍ତି । ବେଳେବେଳେ ଦେଖାଯାଉଛି ଯେ, ଉପସ୍ଥାପକ ପଚାରୁଥିବେ ଆପଣଙ୍କ ଦଳ ଏହି ଯେଉଁ କାମଟି କଲା ଏହା ଲୋକଙ୍କ ପାଇଁ ଭଲ ହେବ କି ଖରାପ ହେବ । ତାର ଉତ୍ତରରେ ଜଣେ ପ୍ରବକ୍ତା କହୁଥିବେ ଅମକ ମସିହାରେ ବିରୋଧୀ ଦଳ ଏପରି କରିଥିଲେ, ସେତେବେଳେ କାହିଁକି ଆପଣ ପଚାରୁନଥିଲେ । ଶେଷ ପର୍ଯ୍ୟନ୍ତ ବି ଉପରୋକ୍ତ ପ୍ରବକ୍ତାଙ୍କର ମତ କ’ଣ, ସେଥିରେ ଲୋକଙ୍କର ଲାଭ ହେବ କି କ୍ଷତି ହେବ, ଜଣାପଡ଼ୁନି ।

ଏବେ ସମୟ ଆସିଛି, ଲୋକମାନେ କେବଳ ମୁକ ଦର୍ଶକ ନସାଜି ଟିଭି ଷ୍ଟୁଡ଼ିଓରେ ଆୟୋଜନ ହେଉଥିବା ଏଭଳି ବିତର୍କ କାର୍ଯ୍ୟକ୍ରମକୁ ପ୍ରଶ୍ନ କରିବାର ଓ ଆବଶ୍ୟକ ସ୍ଥଳେ ଟିଭି ବନ୍ଦ କରିଦେବାର । ଏଭଳି ବିତର୍କ କାର୍ଯ୍ୟକ୍ରମରୁ କୌଣସି ନୂତନ ସୂଚନା ତଥା ଜ୍ଞାନ ବଢ଼ିବା ଭଳି କିଛି ଜିନିଷ ମିଳୁନି କିମ୍ବା ରାଜନୈତିକ ଦଳମାନଙ୍କର ଠୋସ୍ ଉଦ୍ଦେଶ୍ୟ ଜାଣିହେଉନି ତେବେ କି ମୂଲ୍ୟ ଏଭଳି ବିତର୍କ କାର୍ଯ୍ୟକ୍ରମକୁ ଦେଖି ନିଜର ସମୟ ନଷ୍ଟ କରିବାର ଓ ପରିଶେଷରେ ଅଯଥାରେ ମାନସିକ ଚାପ ବଢ଼େଇବାର ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

e-mail-bichitrabiswal@gmail.com

 

Leave A Reply

Your email address will not be published.