ରାୟପୁର: ଅଶୁଭ ଶନିବାର । ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍ ରାୟପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି । ସକାଳୁ ସକାଳୁ ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା ।
ରାୟପୁଟ ନିକଟ ଚେରିଖେଡି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ପ୍ରାଥମିକ ସୂଚନା ଅନୁସାରେ ବସରେ ପାଖାପାଖି ୫୦ ଜଣ ଶ୍ରମିକ ଥିଲେ ।
Seven people killed, seven injured after a bus transporting labourers from Ganjam in Odisha to Surat in Gujarat, collided with a truck at Cheri Khedi in Raipur, early morning today: Ajay Yadav, SSP Raipur, Chhattisgarh pic.twitter.com/2f9pwxuJ6g
— ANI (@ANI) September 5, 2020
ତେବେ ମୃତାହତମାନଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନି । ବସଟି ଗଞ୍ଜାମରୁ ସୁରତ ଯାଉଥିଲା । ଅନୁମାନ କରାଯାଉଛି ମୃତକମାନେ ଗଞ୍ଜାମ ଜିଲ୍ଲାର ହୋଇ ପାରନ୍ତି । ଏତେ ଜୋରରେ ଦୁର୍ଘଟଣା ଘଟିଛି ଯେ, ବସଟି ଭାଙ୍ଗିରୁଜି ସମ୍ପୂର୍ଣ୍ଣ ଚୁରମାର । ଦୁର୍ଘଟଣାସ୍ଥଳରେ ଏଣେତେଣେ ପଡିଛି ଲୋକଙ୍କ ଜିନିଷପତ୍ର ।
କରୋନା ଲକଡାଉନ୍ ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କୁ ସୁରତ ଫେରାଇ ନେଉଛନ୍ତି ବିଭିନ୍ନ କମ୍ପାନୀ । ସେଠାରେ କାମ କରୁଥିବା କିଛି ଶ୍ରମିକଙ୍କୁ ନେଇ ବସଟି ଯାଉଥିଲା । କିଏ ଜାଣିଥିଲା ବାଟରେ ଛକି ରହିଛି ମୃତ୍ୟୁ ଫାଶ । ଏମିତି ଦୁର୍ଘଟଣାର ଶିକାର ହେବ ବସ୍ ?
ପେଟ ପାଇଁ ସୁରତ ଯାଉଥିଲେ । ପରିବାର ଲୋକଙ୍କ ମୁହଁରେ ଦାନା ଦେବାକୁ ଭିଟାମାଟି ଛାଡ଼ିଥିଲେ । ମନରେ କେତେ କଣ ଆଶା ରହିଥିଲା ।କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଅଧାବାଟରେ ସ୍ୱପ୍ନ ଧୂଳିସାତ ହୋଇଗଲା । ଅକାଳରେ ଲିଭିଗଲା ଜୀବନ ଦୀପ ।
Comments are closed.