Latest Odisha News

BREAKING NEWS

ଜନଜାତିଙ୍କ ନିଜସ୍ୱ ଲିଖନ ଓ ଲେଖକଙ୍କ ପାଇଁ ନୂତନ ଦିଗନ୍ତ; ଡିଜିଟାଲାଇଜେସନ୍ ହେବ ଅନନ୍ୟ ମାଧ୍ୟମ

ଭୁବନେଶ୍ବର: ଜନଜାତିଙ୍କ ନିଜସ୍ବ ଲେଖନ ଓ ଲେଖକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ଡିଜିଟାଲାଇଜେସନ୍ ମାଧ୍ୟମରେ ଆଦିବାସୀଙ୍କୁ ଯୋଡିବାର ପ୍ରୟାସ ଆରମ୍ଭ ହୋଇଛି। ସେମାନଙ୍କ କଥା କାହାଣୀକୁ ହାତ ପାପୁଲିରେ ପାଇ ପାରିବେ ପାଠକ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ(ଏଟିଏଲସି) ଦ୍ବାରା ଗତ ସେପ୍ଟେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୪ ଦିବସୀୟ ଜନଜାତି ଲେଖକ ସମ୍ମିଳନୀ ଆଜି ସଫଳତାର ସହ ସମାପ୍ତ ହୋଇଛି । ସାନ୍ତାଳୀ, ମୁଣ୍ଡାରୀ, ବିଂଝାଲ୍, କନ୍ଧ, ସଉରା, କୁଇ, କୁଭି, ଓରାମ, ଦେଶିଆ, ହୋ, ଖଡ଼ିଆ, କିସାନ, ଜୁଆଙ୍ଗ, ଗାଦବା, ଭୂମିଜ, ଗଣ୍ଡୀ ଭାଷାଭାଷୀ ସମୁଦାୟରୁ ଆସିଥିବା ପ୍ରାୟ ୮୦ ଜଣ ପ୍ରତିଷ୍ଠିତ ଲେଖକ ଓ ଲେଖିକାଙ୍କୁ ନେଇ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗର କମିଶନର ଶ୍ରୀମତି ରୂପା ରୋଶନ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ବିଭିନ୍ନ ଭାଷା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବ ଓ ଆଗାମୀ ପିଢି ଜନଜାତିଙ୍କ ସଭ୍ୟତା ବିଷୟରେ ଅବଗତ ହୋଇପାରିବେ । ସେ କହିଛନ୍ତି, ଲେଖକ ମାନେ ଯେତେ ଅଧିକ ଲେଖନୀ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ(ଏଟିଏଲସି) କୁ ଦେବେ ସେତେ ଅଧିକ ଡିଜିଟାଲ୍ ସମ୍ପ୍ରସାରଣ ବଢିବା ସହ ଆଦିବାସୀ ଭାଷା ସଂରକ୍ଷଣ କରାଯାଇ ରଖାଯାଇପାରିବ।

ଜନଜାତି ସମ୍ପଦ୍ରାୟରୁ ପ୍ରତିନିଧିତ୍ବ କରୁଥିବା ଲେଖକ ମାନେ ନିଜର ସାଂସ୍କୃତିକ ବୈଭବକୁ ଲୋକଲୋଚନକୁ ଆଣିବା ପାଇଁ ସୁଯୋଗ ପାଉନଥିଲେ ମାତ୍ର ବର୍ତ୍ତମାନ ତାଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇଦିଆଯିବ। ରାଜ୍ୟରେ ବିଭିନ୍ନ ଜନଜାତି ଭାଷାରେ ଶିକ୍ଷାର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମନ୍ତବ୍ୟ ରଖିଛନ୍ତି ବିଭାଗୀୟ କମିଶନର। ଜନଜାତି ଲେଖକଙ୍କ ପାଣ୍ଡୁଲିପିକୁ ଡିଟିପି କରାଯାଇ ଡିଜିଟାଲାଇଜ୍ କରାଯିବ ବୋଲି ମତ ବ୍ୟକ୍ତ କରିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ତଥା ଏକାଡେମୀର ସଦସ୍ୟ ସଚିବ ଶ୍ରୀଯୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ। ପର୍ଯ୍ୟାୟ କ୍ରମେ ଏହି ପାଣ୍ଡୁଲିପି ଗୁଡିକୁ ପ୍ରକାଶନ କରାଯିବା ଫଳରେ ପାଠକ ଏହାକୁ ଅଧିକରୁ ଅଧିକ ପଢିପାରିବେ।

ସମ୍ମିଳନୀରେ ଏକାଡେମୀର ସହ ନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ଭୂତିଆ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)ର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ଏକାଡେମୀର ଗବେଷଣା ସହାୟକ ଡ. ସଂଯୁକ୍ତା କୁମାରୀ ମହାରଣା, ଶ୍ରୀମତୀ ପାଞ୍ଚାଳୀ ସାହୁ, ଶ୍ରୀ ଭାଗ୍ୟରଥି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସମ୍ମିଳନୀକୁ ପରିଚାଳିତ କରିଥିଲେ ବହୁଭାଷୀ ଶିକ୍ଷା ରାଜ୍ୟ ସଂଯୋଜକ ଡ. ପରମାନନ୍ଦ ପଟେଲ।

Leave A Reply

Your email address will not be published.