Latest Odisha News

BREAKING NEWS

୧୯୮୩ ବିଶ୍ୱକପ : ଆରମ୍ଭ ହେଲା ଭାରତୀୟ କ୍ରିକେଟର ସ୍ୱର୍ଣ୍ଣିମ କ୍ଷଣ

୧୯୭୫ ଓ ୧୯୭୯ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣି ପାରି ନ ଥିଲା । ଏପରିକି ୧୯୮୩ ବିଶ୍ୱକପରେ କ୍ରିକେଟପ୍ରେମୀମାନେ ଭାରତ ଚାମ୍ପିୟନ ହେବେ ବୋଲି ଆଶା କରି ନ ଥିଲେ । କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ସ୍ମରଣୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣିମ କ୍ଷଣ ଆରମ୍ଭ କରି ଦେଇଥିଲେ । ହକିର ଜ୍ୱରକୁ ଚାପି ଦେଇ ଘରେ ଘରେ କ୍ରିକେଟର ପ୍ରଭାବ ବଢ଼ିବାରେ ଲାଗିଲା–

ଇଂଲଣ୍ଡରେ ୯ରୁ ୨୫ ଜୁନ ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଏଥିରେ ୮ଟି ଦେଶ ଅଂଶଗ୍ରହଣ କରିଥିଲେ । ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ପାକିସ୍ତାନ ଗ୍ରୁପଏ ରେ ଏବଂ ଭାରତ, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଓ ଜିମ୍ବାୱେ ରହିଥିଲେ । ଏଥର ମ୍ୟାଚ ସଂଖ୍ୟା ବୃଦ୍ଧି କରାଯାଇଥିଲା । ଲିଗ ପର୍ଯ୍ୟାୟରେ ଭାରତ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ପ୍ରଥମ ମୁକାବିଲାରେ ୧୦୧ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ୬୬ ରନରେ ବିଜୟୀ ହୋଇଥିଲା । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୬୨ ଓ ୧୧୮ ରନ ବ୍ୟବଧାନରେ ୨ଟି ଯାକ ମ୍ୟାଚ ହାରିଥିଲା । ସେହିପରି ଜିମ୍ବାୱେ ବିପକ୍ଷରେ ଭାରତ ୨ଟି ଯାକ ମ୍ୟାଚ ଜିତିଥିଲା ।ଜିମ୍ବାୱେ ବିପକ୍ଷରେ କପିଳଙ୍କ ଅବିସ୍ମରଣୀୟ ଇନିଂସ: ଜିମ୍ବାୱେ ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ କରି ନାଟକୀୟ ଢ଼ଙ୍ଗରେ ୧୭ ରନରେ ୫ଟି ୱିକେଟ ହରାଇଥିଲା । ଏକ ନିଶ୍ଚିତ ପରାଜୟ ଆଡକୁ ଗତି କରୁଥିବା ବେଳେ ସଙ୍କଟମୋଚକ କପିଳ ଦେବ ୧୩୮ ବଲରେ ୧୬ ଚୌକା ଓ ୬ ଛକା ସହାୟତାରେ ୧୭୫ ରନ କରିଥିଲେ । ରୋଜର ବିନ୍ନୀ ୨୨ ଓ ସୟେଦ କିରମାନୀ ୨୪ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଜବାବରେ ଜିମ୍ବାୱେ ଟିମ ୫୭ ଓଭରରେ ୨୩୫ ରନ କରି ଅଲଆଉଟ ହୋଇ ଯାଇଥିଲେ । ଜିମ୍ବାୱେ ବିପକ୍ଷରେ ଭାରତର ଏହି ବିଜୟ ଟିମକୁ ଶୃଙ୍ଖଳିତ ଓ ଏକଜୁଟ କରିଥିଲା ।ସେମିଫାଇନାଲ: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଇଂଲଣ୍ଡକୁ ୨୧୩ ରନରେ ଅଲଆଉଟ କରି ଦେଇଥିଲା । ଗ୍ରୀମ ଫ୍ଲାୱାର ୩୩ ରନ କରିଥିଲେ । କପିଳ ଦେବ ୩ଟି ଏବଂ ମହିନ୍ଦର ଅମରନାଥ ଓ ରୋଜର ବିନ୍ନୀ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ଯଶପାଲ ଶର୍ମାଙ୍କ ୬୧,ସନ୍ଦୀପ ପାଟିଲଙ୍କ ୫୧ ଓ ଅମରନାଥଙ୍କ ୪୬ ରନ ସହାୟତାରେ ୫୪.୪ ଓଭରରେ ୬ ୱିକେଟରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟ ଦଳ ଭାବେ ୱେଷ୍ଟଇଣ୍ଡିଜ ଫାଇନାଲକୁ ଉନ୍ନୀନ ହୋଇଥିଲା ।ଫାଇନାଲ: ୱେଷ୍ଟଇଣ୍ଡିଜ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲେ । ଆଉ ସମସ୍ତ କ୍ରିକେଟପ୍ରେମୀ ୱେଷ୍ଟଇଣ୍ଡିଜ ହ୍ୟାଟ୍ରିକ ଟାଇଟଲ ହାସଲ କରିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲେ । ଅପରପକ୍ଷରେ ଭାରତ ପାଟିରେ ବିଜୟ ସ୍ୱାଦ ଲାଗି ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୫୪.୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇ ଯାଇଥିଲା । କ୍ରିଷ୍ମାଚାରୀ ଶ୍ରୀକାନ୍ତ ୩୮ ଓ ଅମରନାଥ ୨୬ ରନ କରିଥିଲେ । ୱେଷ୍ଟଇଣ୍ଡିଜ ନିକଟରେ ଏହି ଲକ୍ଷ୍ୟ କିଛି ଅସମ୍ଭବ ନ ଥିଲା । ଅମରନାଥ, ମଦନ ଲାଲ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରି କିଛି ଅସମ୍ଭବ ନୁହେଁ ପ୍ରମାଣ କରିଥିଲେ ।

୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ୫୨ ଓଭରରେ ୧୪୦ ରନ କରି ଅଲଆଉଟ ହୋଇଯାଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଭିଭିଆନ ରିଚାର୍ଡ୍ସ ସର୍ବାଧିକ ୩୩ ରନ କରିଥିଲେ । କପିଳ ଦେବ ଯେଉଁ ଭଳି ଢ଼ଙ୍ଗରେ ଦୌଡି ଦୌଡି ତାଙ୍କ କ୍ୟାଚ ନେଇଥିଲେ ତାହା ଏବେ ବି ସ୍ମରଣୀୟ ହୋଇ ରହିଛି । ଲର୍ଡସ ବାଲକୋନୀରେ ବିଶ୍ୱକପ ଟ୍ରଫି ଧରି ଭାରତୀୟ ଟିମ ଇତିହାସ ରଚିଥିଲେ । ଏହା ପରେ ଘରେ ଘରେ ବଲ ଗଡିଲା । ଖେଳାଳିଙ୍କ ଅନୁସରଣ କରିବା ଯୁବ ପିଢ଼ୀଙ୍କ ଟ୍ରେଣ୍ଡ ପାଲଟିଲା । ଆଉ ଶେଷରେ କ୍ରିକେଟ ଭାରତରେ ଏକ ଅନଔପଚାରିକ ଧର୍ମ ଏବଂ ରୋଗରେ ପରିଣତ ହୋଇଗଲା ।

Leave A Reply

Your email address will not be published.