ଭୁବନେଶ୍ବର: ଆସନ୍ତା ୧୨ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।
ଅନ୍ୟପଟେ ରାଜ୍ୟରେ ଏବେ ଜାରି ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ଷା । କିଛି ସ୍ଥନରେ ପ୍ରବଳ ବର୍ଷା ଅନୁଭୂତ ହେୁଥିବା ବେଳେ ଆଉ କିଛି ସ୍ଥାନରେ ମେଘ ଢାଙ୍କି ରହିଛି । ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭୀଷଣ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନରେ ବେଗ ଘଣ୍ଟାପ୍ରତି ରହିପାରେ ୩୦-୪୦ କିଲୋମିଟର ରହିବ ।
ସେହିପରି ୧୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ବି ପବନ ବହିବା ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ବି ରହିଛି । ତେବେ ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନାହିଁ ସ୍ପଷ୍ଟ ସୂଚନା ଦେଇନି ପାଣିପାଗ ବିଭାଗ।
ଆଗାମୀ ୬ରୁ ୭ ଦିନ ଯାଏଁ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୭ ଜୁଲାଇ ଯାଏଁ ମଧ୍ୟ ଏବଂ ପୂର୍ବୋତ୍ତର ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଏବେ ରେଜ୍ୟରେ ମୌସୁମୀ ବର୍ଷା ୧୯ ପ୍ରତିଶତ ଅଧିକ ହେଲାଣି । ଏହାର ପ୍ରଭାବରେ ନଇନାଳ ପୂରଣ ହୋଇଥିବରୁ ରାଜ୍ୟର ବିଭିନ୍ନ ସ୍ଥନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କେଉଁଠି ରାସ୍ତା ଧୋଇଗଲାଣି ତ ଆଉ କେଉଁଠି ନଈ ଉଛୁଳି ଘରେ ପାଣି ପଶିଲାଣି ।
ଅନ୍ୟପଟେ ଆଜି ହୀରାକୁଦ ଛାଡ଼ିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା ପରେ ଡ୍ୟାମର ୧୨ଟି ଗେଟ୍ ଖୋଲାଯାଇଥିବା ସୂଚନା ରହିଛି । ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍ ଖୋଲାଯାଇଛି । ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ ୬୦୯.୦୬ ଫୁଟ ଉଚ୍ଚତାର ଜଳ ରହିଛି ।
ଏହି ସମୟରେ ଜଳଭଣ୍ଡାରକୁ ୧,୩୦,୦୨୮ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩୮୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା । ସେଥିରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପାୱାର ଚାନେଲ ଦେଇ ୩୪,୩୧୩ କ୍ୟୁସେକ୍ ଓ ଜଳସେଚନ ପାଇଁ ୩୨୨୩ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୩୪ କ୍ୟୁସେକ୍ ପାଣି ଟାଣୁଛନ୍ତି ।
Comments are closed.