Latest Odisha News

BREAKING NEWS

କବିତା : ଉତ୍କଳ ଗୌରବ ମଧୁସୂଦନ ଦାସ

ସୁବାସ ଚନ୍ଦ୍ର ତାରିଣୀ

ହେ ମହାମନୀଷୀ ହେ ମଧୁସୂଦନ
ନିର୍ମାତା ନବଉତ୍କଳର ,
ପ୍ରିୟଭାଜନହେ ଓଡିଆ ନିକଟେ
ହେ ଜାତୀୟଜୀବନର ।

ମହାତ୍ମା ଗାନ୍ଧିଙ୍କୁ ଜନତା କହନ୍ତି
ଭାରତର ରାଷ୍ଟ୍ର ପିତା,
ତଥା ସେହିପରି ମଧୁସୂଦନଙ୍କୁ
ଜାତୀୟ ଜନ ନିର୍ମାତା।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ
ଅଛି ତୁମ ଅବଦାନ ,
ଇତିହାସ ଏକ ଗୌରବ ଉଜ୍ଜ୍ବଳ
ବାରିଷ୍ଟର ମଧୁସୂଦନ ।

ସୁପରିଚିତ ହେ ମାନ୍ୟଗନ୍ୟ ତୁମେ
ସମ୍ବୋଧିତ ମିଷ୍ଟର ଦାସ ,
ଜାତୀୟତା ବୋଧ ଉତ୍କଳର ପ୍ରୀତି
ଓଡ଼ିଆ ଜାତି ବିଶ୍ବାସ ।

ଭାଷାପ୍ରୀତି ତୁମ ଗଭିର ମମତ୍ବ
ନାହିଁ ତାର ପଟାନ୍ତର ,
ଥିଲ ଜାତି ପ୍ରାଣ ଭାଷା ପ୍ରାଣ ବନ୍ଧୁ
ପ୍ରବକ୍ତା ଜାଗରଣର ।

ଆହେ ବାରିଷ୍ଟର ହେ ମଧୁସୂଦନ
ବରଣ୍ଯହେ ଦିଗପାଳ ,
ଉତ୍କଳ ଗୌରବ ଆହେ କୁଳବୃଦ୍ଧ
ଉଦ୍ଭାସିତ ଜ୍ଯୋତିଜ୍ବଳ ।

ଉତ୍କଳ ଜନକ ଭାବେ ପରିଚିତ
ପ୍ରାତଃ ସ୍ମରଣୀୟ ତୁମେ ,
ପୁରୁଷ ପୁଙ୍ଗବ ଉତୁଙ୍ଗ ବ୍ୟକ୍ତିତ୍ବ
ହୃଦୟେ ଖୋଜୁଛୁ ଆମେ ।

ମଧୁବାବୁଙ୍କର ମାନସ ସନ୍ତାନ
ଉତୁକଳ ସମ୍ମିଳନୀ ,
୧୯୦୩ ଜାନୁଆରୀ ଛଅ ଶୁଭଲଗନରେ
ହୋଇଥିଲା ଉଦ୍ଦଘାଟନୀ ।

ରେନେଁସାର ତୁମେ ପଥ ପଦର୍ଶକ
ଜାତୀୟତା ଜାଗରଣ ,
ରାଜ ନଇତିକ ଚିନ୍ତନ ଜଗତ
ଗୁରୁତ୍ବହେ ଅବଦାନ ।

ଉତ୍କଳ ଜନନୀ ସୁଯୋଗ୍ୟ ସନ୍ତାନ
ପ୍ରଥମହେ ଗ୍ରାଜୁଏଟ ,
ବିଦେଶ ଯାତ୍ରାରେ ପ୍ରଥମ ଓଡିଆ
ଆଇନରେ ଗ୍ରାଜୁଏଟ ।

ନଥିଲ କେବଳ ତୁମେ ଦେଶ ପ୍ରେମୀ
ସୁବକ୍ତା ବିଜ୍ଞ ଜନତା ,
ତୁମେ ପରା ଜଣେ ଚିନ୍ତା ନାୟକ ହେ
ଜାତୀୟବାଦୀ ହେ ପିତା ।

ଜାତୀୟ ଜୀବନ ଉନ୍ମେଷ ପାଇଁହେ
ଲେଖିଲ ଗୀତି କବିତା
ଜାଗରଣ କଲ ଓଡିଆ ପ୍ରାଣହେ
ସୃଷ୍ଟିକଲ ଜାତୀୟତା ।

ତୁଳସୀପଲ୍ଲୀ
ଭଞ୍ଜନଗର
ଗଞ୍ଜାମ

Leave A Reply

Your email address will not be published.