Latest Odisha News

BREAKING NEWS

ମା’ର ଆକୁଳ ନିବେଦନ, ମୋ ଝିଅକୁ ବଞ୍ଚାଇ ଦିଅ

କଳାହାଣ୍ଡି: ମୋ ଝିଅକୁ ବଞ୍ଚାଇ ଦିଅ । ମୋ ଝିଅ ଅଜଣା ରୋଗରେ ପୀଡ଼ିତ । ଝିଅକୁ ଭଲ କରିବା ପାଇଁ ଦରକାର ହେଉଛି ଲକ୍ଷ୍ୟଧିକ ଟଙ୍କା । ଝିଅର ରୋଗ ପାଇଁ ଏମିତି ଆକୁଳ ନିବେଦନ କରିଛନ୍ତି ମା’ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଦଲକିମୁଣ୍ଡା ଗ୍ରାମର ବାପା ଠାକୁର ବିଶି ଓ ମା’ ଶକୁନ୍ତଳା ବିଶିଙ୍କ କୁନି ଝିଅ ତରୁଣୀକୁ ହୋଇଛି ବିରଳ ରୋଗ । ଜନ୍ମ ହେବାର ୨ମାସ ପରେ ତରୁଣୀର ମୁଣ୍ଡ ବଢିବାରେ ଲାଗିଲା । ବାପା-ମା’ ଆଖପାଖ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଧାର କରଜ କରି, ବାସନ କୁସନ ବନ୍ଧା ପକେଇ ବାପା-ମା’ କଟକ ବଡ଼ ଡାକ୍ତରଖାନାକୁ ନେଇ ତରୁଣୀର ଚିକିତ୍ସା କରାଇଥିଲେ । ସେଠାରେ ଅପରେସନ ମଧ୍ୟ ହୋଇଥିଲା । ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ତରୁଣୀକୁ ସେମାନେ ଘରକୁ ନେଇ ଆସିଥିଲେ । ଏବେ ତରୁଣୀର ମୁଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି ।

ଡାକ୍ତର କହୁଛନ୍ତି ତରୁଣୀର ଉନ୍ନତମାନ ଚିକିତ୍ସା ଆବଶ୍ୟକ । ଏଥିପାଇଁ ଲକ୍ଷ୍ୟାଧିକ ଟଙ୍କା ଦରକାର । ଏତେ ଟଙ୍କା ଯୋଗାଡ଼ କରିବା ବାପା-ମା’ ପକ୍ଷେ ସମ୍ଭବ ନାହିଁ । ବାପା ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଏପଟେ ନିଜ ରୋଗୀଣା ଝିଅକୁ ଧରି ବସିଛି ମା’ ଶକୁନ୍ତଳା ।

ସରକାର ଗରିବ ଲୋକଙ୍କ ସ୍ୱାସ୍ଥ୍ର୍ୟ ପାଇଁ ଅନେକ ଯୋଜନା କରିଛନ୍ତି ହେଲେ ତରୁଣୀ ପାଇଁ ଯୋଜନା ଅଧା ବାଟରେ ଅଟକି ଯାଇଛି ।

Leave A Reply

Your email address will not be published.