Latest Odisha News

BREAKING NEWS

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ୩ ହଜାର ଲେଖାଏଁ ସହାୟତା ପ୍ରଦାନ

ଭୁବନେଶ୍ବର : ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି । ଏହି ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି ।

ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍‌ରେ ଘର ମରାମତି ସହାୟତା ବିଷୟରେ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ଆଜି ହିତାଧିକାରୀଙ୍କୁ ସହାୟତା ଦିଆଯାଇଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ । ୨୦୧୪ରେ ରାଜ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍‌କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟବାସୀଙ୍କୁ ଦେଇଥିବା କଥା ଅନୁଯାୟୀ ଆମେ କାମ କରୁଛୁ । ୨୦୧୪ରୁ ଆଜି ପର୍ଯ୍ୟନ୍ତ ଆମେ ୩୧ ଲକ୍ଷ ପରିବାରକୁ ପକ୍‌କା ଘର ଯୋଗାଇ ଦେଇଛୁ । ସବୁ ଗ୍ରାମୀଣ ପକ୍‌କା ଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ ବୋଲି ସେ କହିଥିଲେ ।

କେନ୍ଦ୍ର ଯୋଜନାରେ ଲୋକଙ୍କୁ ଘର ମିଳୁ ନଥିବା ବିଷୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଫନି ବାତ୍ୟା ସମୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଛି । ତା ସହିତ ଆମର ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜନଜାତି ଭାଇଭଉଣୀମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଚାହିଁ ରହିଛନ୍ତି । ସେମାନେ ବର୍ତ୍ତମାନ ଯେଉଁ ଭଙ୍ଗା ଘରେ ରହୁଛନ୍ତି, ତାର ମରାମତି ପାଇଁ ୫୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆମେ ସଂଗ୍ରହ କରାଯାଉଛି, ଏବଂ ଖୁବଶୀଘ୍ର ସେମାନଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ ୧୨ ଲକ୍ଷ ୨୫ ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା (ଗ୍ରାମୀଣ)ରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି । ଏହି ପରିବାର ବର୍ତ୍ତମାନ ଯେଉଁ ଘରେ ରହୁଛନ୍ତି, ତାର ମରାମତି ପାଇଁ ବିଜୁ ପକ୍କା ଘର ଯୋଜନାରୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.