Latest Odisha News

BREAKING NEWS

କରୋନା ସୈନିକ : ଜରୁରୀ ସେବାରେ ‘ପବିତ୍ର’ ସିପାହୀ, ସଂକ୍ରମଣର ଆଶଙ୍କାରେ କେବେ ବି ହୋଇନାହାନ୍ତି ସ୍ୱାର୍ଥପର

ଭୁବନେଶ୍ୱର : ଦୁନିଆ ତାଙ୍କୁ ଝାପସା ଦିଶେ । ହେଲେ ସେ ସ୍ପଷ୍ଟ ଦେଖି ପାରନ୍ତି ଦୁନିଆର ଯନ୍ତ୍ରଣାକୁ । ତେଣୁ ତ କରୋନା ବେଳେ ସାମାଜିକ ଦୂରତା ନାଁରେ ସେ ହୋଇପାରିନାହାନ୍ତି ସ୍ୱାର୍ଥପର । ସମାଜର ସେବା ପାଇଁ ସେ ପାଲଟିଛନ୍ତି ସେନାପତି । ଆଉ ନିଜ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସୈନିକ । ହଁ, ଆମେ କହୁଛୁ କରୋନା ସୈନିକ ପବିତ୍ର ମୋହନ ସାହୁଙ୍କ କଥା । ଭୁବନେଶ୍ୱରର ଗଜପତି ନଗରରେ ସ୍ୱସ୍ତି ଫୁଏଲ ସେଣ୍ଟର ନାମରେ ରହିଛି ତାଙ୍କର ରହିଛି ଏକ ଗ୍ୟାସ ଏଜେନ୍ସି ।

ଏକ ରୋଗର ଶିକାର ହୋଇ ପବିତ୍ରଙ୍କର ଦୃଷ୍ଟି ଶକ୍ତି କମିଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁସାରେ ତାଙ୍କୁ ଏହି ସମୟରେ ଘରୁ ବାହାରିବା କଥା ନୁହେଁ । କିନ୍ତୁ ଗ୍ୟାସ ସିଲିଣ୍ଡର ଯୋଗାଣ ସଂସ୍ଥା ଭଳି ଏକ ଜରୁରୀକାଳୀନ ସେବାରେ ଥିବାରୁ ଏସବୁକୁ ଖାତିର ନ କରି ସେ ଲୋକଙ୍କୁ ବଢାଇଛନ୍ତି ସହଯୋଗର ହାତ । । ତାଙ୍କୁ ସହାୟତା କରୁଛନ୍ତି ତାଙ୍କ ପାଖରେ କାମ କରୁଥିବା ୨୫ ଜଣ କର୍ମଚାରୀ ।

ପବିତ୍ର ଓ ତାଙ୍କ କର୍ମଚାରୀମାନେ କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ ଲାଇନକୁ ପାଳନ କରିଆସୁଛନ୍ତି । ଏବେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହୋଇଥିବାରୁ ଦୋକାନର କର୍ମଚାରୀମାନେ ଟିକେ ଜଲଦି ଆସି କାମ ଆରମ୍ଭ କରୁଛନ୍ତି । ଗ୍ରାହକମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ପବିତ୍ର । ସେପଟେ ନିଜ କର୍ମଚାରୀଙ୍କ ସୁରକ୍ଷା ପ୍ରତି ବି ସେ ବେଶ୍ ଯତ୍ନଶୀଳ । ସମସ୍ତଙ୍କୁ ମାସ୍କ ଓ ଗ୍ଲୋବ୍ସ ପ୍ରଦାନ କରିଛନ୍ତି । ଏଥି ସହ ବାରମ୍ବାର ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ।

ପବିତ୍ର କହିଛନ୍ତି, ‘ ଲକ୍ ଡାଉନ ଯୋଗୁଁ ହୋଟେଲ ବନ୍ଦ ରହୁଥିଲା । ଏଜେନସିର କର୍ମଚାରୀ ଓ ଗ୍ୟାସ ଟ୍ରକ ନେଇ ଆସୁଥିବା ଡ୍ରାଇଭର ଓ ହେଲପର ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲି । ’

ଖାଲି ତ ନିଜ କର୍ତ୍ତବ୍ୟ କଲେ ଚଳିବନି ସେପଟେ ନିଜ ପରିବାର ଓ ପରିବାର ସଦସ୍ୟଙ୍କ ସୁରକ୍ଷାର ଦାୟିତ୍ୱ ବି ପବିତ୍ର ବାବୁଙ୍କ ଉପରେ । ତାଙ୍କ ବଡ ଝିଅ ମୋନାଲିସା ଏବେ ଦିଲ୍ଲୀରେ ଏକ କମ୍ପାନୀରେ କାର୍ଯ୍ୟରତ । ତା ସୁରକ୍ଷା ନେଇ ସବୁ ବେଳେ ଚିନ୍ତିତ ସେ ।

ଏ ନେଇ ସେ କହନ୍ତି, ‘ପିଲା ପାଖରେ ଥିଲେ କଥା ଅଲଗା କିନ୍ତୁ ଝିଅ ଦୂରରେ ରହୁଥିବା ଜଣେ ବାପା ହିସାବରେ ମୋ ମନ ଛଟପଟ ହୁଏ । ଏଥି ପାଇଁ ରାତିରେ ନିଦ ବି ହଉନି । ତଥାପି ସେ ଯେଉଁଠାରେ ରହିଛି ସେଠାକାର କେୟାର ଟେକର ବହୁତ ଭଲ ଲୋକ ହୋଇଥିବାରୁ ମୁଁ ଟିକେ ମନକୁ ବୁଝାଇ ଦିଏ । ’

ଯେମିତି ସୈନିକଟିଏ ଦେଶମାତୃକାର ସେବା କରିବା ସହ ଆମକୁ ସୁରକ୍ଷା ଦେଇଆସୁଛି ସେହିପରି ଏହି କରୋନା ସୈନିକମାନଙ୍କ ପାଇଁ ଆମେ ଏହି ଘଡି ସନ୍ଧି ମୂହୁର୍ତ୍ତରେ ଶାନ୍ତିରେ ଟିକେ ବଞ୍ଚିପାରୁଛେ ।

Leave A Reply

Your email address will not be published.