Latest Odisha News

BREAKING NEWS

ମାନବିକତାର ପ୍ରତୀକ: ଡାକ୍ତର ସନାତନ ରଥ

ଭାରତର ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ଡା. ସନାତନ ରଥ ଆଉ ନାହାଁନ୍ତି । ଏ ମହାଶୟଙ୍କୁ ଜୀବନରେ ଥରେ ମାତ୍ର ଦର୍ଶନ କରିଛି । କିନ୍ତୁ ସେ ସାକ୍ଷାତ ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି ।

୧୯୭୪ ମସିହା କଥା । ସେତେବେଳେ ମୁଁ ବାଲେଶ୍ୱର ଜିଲ୍ଲା ଭଣ୍ଡାରିପୋଖରୀ ପି.ଏଚ୍‌.ସି.ରେ ବ୍ଲକ୍ ଏକ୍ସ୍‌ଟେନ୍‌ସନ୍ ଏଜୁକେଟର୍ (ପରିବାର ନିୟନ୍ତ୍ରଣ) ରୂପେ ପୋଷ୍ଟିଂ ହୋଇଥାଏ । ପୋଷ୍ଟିଂର ଅଳ୍ପଦିନ ପରେ ମାସ୍ ଏଜୁକେଶନ୍ ଟ୍ରେନିଂ ନିମନ୍ତେ ଅର୍ଡର ଆସିଲା । କଟକ ଏସ୍‌.ସି.ବି. ମେଡିକାଲ କଲେଜ୍ କମ୍ପାଉଣ୍ଡରେ ଥିବା ପରିବାର କଲ୍ୟାଣ ଟ୍ରେନିଂ ସେଂଟରରେ ଜଏନ୍ କରି ସେଂଟରର ହଷ୍ଟେଲରେ ରହୁଥାଏ । ସେତିକିବେଳେ ମୋ ସାନଭାଇ ଦୈତାରିର ଶାଶୁ, କୋପଣ୍ଡର ‘ରାଉତବୋଉ’ଙ୍କର ଅପରେସନ୍ ହୋଇଥାଏ । ଡା. ଋଥ ଅପରେସନ୍ କରିଥିଲେ । ହଷ୍ଟେଲ ଓ ୱାର୍ଡ ପାଖାପାଖି ଥିବାରୁ ଦିନରେ ଥରେ/ଦୁଇଥର ତାଙ୍କୁ ସାକ୍ଷାତ କରି ଭଲମନ୍ଦ ବୁଝୁଥାଏ । ଥରେ ରାତି ପ୍ରାୟ ୯ଟା ବେଳେ ଶାଶୁଙ୍କର କୌଣସି ଅସୁବିଧା ହେବାରୁ ମୁଁ ଡଂ. ଋଥଙ୍କ କଲେଜ ପରିସରରେ ଥିବା ତାଙ୍କ କ୍ୱାର୍ଟରକୁ ଗଲି ।

ସେତେବେଳେ ପୁରୁଣା ବଡ ଆଜ୍‌ବେଷ୍ଟସ୍ ଛାଉଣୀ କ୍ୱାର୍ଟରରେ ପ୍ରଫେସରମାନେ ରହୁଥିଲେ । ନାମଫଳକ ଦେଖି ଗେଟ୍ ଖୋଲି ଭିତରକୁ ଗଲି । ବିରାଟ ବାରଣ୍ଡାଟି ସରୁ କାଠପଟାରେ ଜାଲି କରି ଆବଦ୍ଧ କରାଯାଇଛି । ବାରଣ୍ଡାର ଲାଇଟ୍ ଲିଭାଇ ଦିଆଯାଇଛି । ଜଣେ ବୟସ୍କ ବ୍ୟକ୍ତି ଗଞ୍ଜି ପିନ୍ଧି ବାରଣ୍ଡାରେ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଖୁବ୍ ଚିନ୍ତିତ ହୋଇ ପଦଚାରଣ କରୁଛନ୍ତି । ବାରଣ୍ଡାକୁ ଯିବା ପାଇଁ କାଠ ଜାଲି ଦ୍ୱାର ନିକଟରେ ପହଂଚିଲି । ସେତେବେଳେ ବାରଣ୍ଡାର ଗୋଟିଏ ମୁଣ୍ଡରୁ ଫେରୁଥିବା ଅବସ୍ଥାରେ ମୋତେ ଦେଖି “କିଏ” ବୋଲି ପଚାରିଲେ । ମୁଁ ରୋଗୀର ୱାର୍ଡ ଓ ବେଡ୍ ନମ୍ବର କହି ତାଙ୍କରି ଆଟେଣ୍ଡାଂଟ୍ ବୋଲି ପରିଚୟ ଦେଲି । ସେ ଦ୍ୱାର ଖୋଲିଲେ ଓ ବାରଣ୍ଡା ଲାଇଟ୍ ଜଳାଇ ଦେଲେ । ଭିତରକୁ ଯାଇ ରୋଗୀର ଅସୁବିଧା ସବୁ କହିଲି । ମୋତେ ଯାହା ଉପଦେଶ ଦେବା କଥା, ଦେଇ ସାରିବା ପରେ ମୁଁ ଫେରି ଆସିବା କଥା; କିନ୍ତୁ ମୁଁ ଚୂପ୍ କରି ଠିଆ ହୋଇ ରହିଲି । ସେ କହିଲେ –“ଆଉ କଅଣ?” ମୁଁ କହିଲି-“ସାର! ଆପଣ ଯଦି କିଛି ନ ଭାବିବେ, ତେବେ ଗୋଟିଏ କଥା ପଚାରିବି ।” –“ହଉ, କୁହ ।” ମୁଁ ପଚାରିଲି –“ବାହାର ଗେଟ୍ ଖୋଲି ଆସିବାବେଳେ ଦେଖିଲି, ଆପଣ ବାରଣ୍ଡାର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଚିନ୍ତାମଗ୍ନ ହୋଇ ପଦଚାରଣା କରୁଛନ୍ତି । କାହିଁକି…..”

ଅଧିକ ପଢନ୍ତୁ: ମା’ କୋଳରେ ମାନବ…

ସାର୍ ଗମ୍ଭୀର ହୋଇଗଲେ, ସ୍ୱର ଦରଦୀ ହୋଇ ଉଠିଲା । ତାଙ୍କ କଥାରୁ ବେଦନା ଯେପରି ଟପ୍‌ଟପ୍ ହୋଇ ଝରି ପଡୁଥିଲା । ଜଣେ ଅଜଣା ଯୁବକ ଆଗରେ ଝରିପଡିବା ଠିକ୍ ହେବନାହିଁ ବୋଲି, ସତେ ଯେପରି, ଲୁହଟୋପାଗୁଡିକ ନିଜକୁ ସଂଯତ କରିନେଇଥିଲେ । ସେ ଆରମ୍ଭ କଲେ-“କ’ଣ କହିବି ବାବୁ!… କାହିଁ କେତେ ଦୂର କୋରାପୁଟ ଜିଲ୍ଲାର କେଉଁ କୋଣରୁ ୧୬/୧୭ ବର୍ଷର ଝିଅଟିକୁ ନେଇ ତା’ର ବାପାମା’ କେବଳ ମୋ’ରି ପାଖରେ ଚିକିତ୍ସିତ ହେବା ପାଇଁ କେତେ ଆଶାଭରସା କରି ଆସିଥିଲେ । ଆଡ୍‌ମିଶନ୍ ବି ହୋଇଗଲା । ତାକୁ ଦେଖିବା ପାଇଁ ଗତ ଦୁଇଦିନ ଓ ଆଜି ମର୍ଣ୍ଣିଂ ଆୱାରରେ ବହୁତ ଚେଷ୍ଟ କରିଛି । ସବୁବେଳେ ତା’ କଥା ମନେ ଅଛି । କିନ୍ତୁ ଏତେଗୁଡିଏ ସିରିଅସ୍ ଅପରେଶନ୍‌ର ଭିଡ ଯେ ଏହା ଭିତରେ ତାକୁ ମୁଁ ଦେଖିପାରିଲି ନାହିଁ । ସମୟ ପାଇବା ମାତ୍ରେ ଯାଇ ଦେଖିଲି ଯେ ସେ ଆଉ ନାହିଁ ….।” ସାର୍ ଆଗକୁ ଆଉ କହିପାରିଲେନି, ଗଳା ରୁଦ୍ଧ ହୋଇଗଲା । ମୁଁ ଅବାକ୍ ବିସ୍ମୟରେ ସାର୍‌ଙ୍କୁ ଚାହିଁ ରହିଲି । ସେ ନାଟକୀୟ ଢଙ୍ଗରେ ଚଟ୍ କରି ରୁମ୍ ଭିତରକୁ ପଶିଗଲେ ।

ଭାରତବିଖ୍ୟାତ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ଡା. ସନାତନ ରଥ । କର୍ତବ୍ୟଭାରରେ ଚାପି ହୋଇ ଶତଇଚ୍ଛା ଥାଇ ବି ଓଡିଶାର ସୁଦୂର କୋଣର କେଉଁ ଏକ ସାଧାରଣ କିଶୋରୀଟିକୁ ଦେଖି ନପାରି, ତା’ ପାଇଁ ଏତେ ଦରଦ! ଏତେ ଶୋଚନା!! ଏତେ ଆତ୍ମଗ୍ଲାନୀ!!! ଅସଲ ଦୁଃଖ ହେଉଛି –‘ମେଡିକାଲକୁ ତ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି, କିଏ ଭଲ ହୋଇ ଫେରୁଛି, କିଏ ବା ଶେଷ ନିଃଶ୍ୱାସ ତ୍ୟାଗ କରୁଛି । ଏ ଦୃଶ୍ୟ ତ ଡାକ୍ତରମାନଙ୍କର ଦୈନନ୍ଦିନ ଦେହସୁହା ଘଟଣା ! କିନ୍ତୁ ଝିଅଟି ମୋ’ ପାଖରେ ଚିକିତ୍ସିତ ହେବାକୁ ଏତେ ଦୂରରୁ ଆସି ତିନିଦିନ ମୋତେ ଅପେକ୍ଷା କଲା; ତା’ ଜୀବନ୍ତ ଅବସ୍ଥାରେ ମୋତେ ଦେଖିପାରିଲାନି ।’

ଅଧିକ ପଢନ୍ତୁ: ଏଇ ତ ଜୀବନ !

ହେ ଉଦାର ହୃଦୟ । ହେ ବିଶାଳ ସମ୍ବେଦନଶୀଳ ପ୍ରକୃତ ମାନବିକତାର ଅଧିକାରୀ ମାନନୀୟ, ପୂଜନୀୟ ପ୍ର୍ରକୃତ ଚିକିତ୍ସକ! ସେଇ ପ୍ରଥମ ଓ ଶେଷ ଦର୍ଶନର ଛବି ପାଖାପାଖି ଅର୍ଦ୍ଧ ଶତାଦ୍ଦି ପରେ ବି ମୋ ମନରେ ସତେଜ, ଜ୍ୱଳନ୍ତ ରହିଛି । ହେ ବିଦେହୀ ଆତ୍ମା! ମୋର କୋଟି କୋଟି ପ୍ରଣାମ ସ୍ୱୀକାର ହେଉ ।

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର, ଜିଲ୍ଲା : ଯାଜପୁର, ମୋ : ୯୯୩୭୫୯୩୪୯୩

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.