ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…
ଋଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍’ । ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣା ଦାୟକ ପ୍ରଚାରପତ୍ର ସବୁ । ପୁଅ ସାମିଲ୍ ହୋଇଥିବା ଦୂରାନ୍ତରର ବିପ୍ଳବୀ ସଂଗଠନକୁ ହସ୍ତାନ୍ତର କରିଦେବା ଉଦ୍ଦେଶ୍ୟରେ ନିଜ ପସରାରଗୁଡ଼ିଏ ଜିନିଷପତ୍ର ତଳେ ମାଆଟି ଛୁପାଇ ରଖୁଥିଲା ସେ ସବୁ ଗୁପ୍ତ ପ୍ରଚାରପତ୍ର । ଗୁଇନ୍ଦା ପୁଲିସର ଆଖି ଆଉ ପ୍ରତିକ୍ରିୟାଶୀଳ ଶାସକ ଦଳର ଚର-ଅନୁଚରମାନଙ୍କ ନଜରକୁ ଫାଙ୍କିଦେଇ ନିୟମିତ ସେସବୁ ବୈପ୍ଳବିକ କାର୍ଯ୍ୟକ୍ରମର ନିର୍ଦ୍ଦେଶନା ମାଆ ମାର୍ଫତ୍ରେ ପହଂଚାଉଥିଲା ଠିକଣା ଜାଗାରେ ।
ମୁଣ୍ଡ ଉପରର ପସରା ଭିତରେ ଲୁଚାଇ ରଖିଥିବା ସେ ଅଗ୍ନିଗର୍ଭ ପ୍ରଚାରପତ୍ରକୁ କ’ଣ ମାଆ ପଢୁଥିଲା କେବେ ?
ଏ ପ୍ରଶ୍ନ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନ । ଏପରି ପ୍ରଶ୍ନ ଖୋଦ୍ ଲେଖକ ପଚାରିନାହାନ୍ତି କେଉଁଠି କିମ୍ବା କୌଣସି ପାଠକପାଠିକା ନିଭୃତ ମନରେ ଉଠାଇଛନ୍ତି କି ଉଠାଇନାହାନ୍ତି ମତେ ଜଣାନାହିଁ, ମାତ୍ର ଯାହାର ଉତର ପ୍ରତ୍ୟେକ ଯୁଗରେ ଆଗାମୀ ଇତିହାସର ହିଁ ଅସଲ ଦାୟବଦ୍ଧତା । ‘ଲେଖାଲେଖି କାହା ପାଇଁ’ ପ୍ରଶ୍ନରଉତର ଖୋଜିଲା ବେଳେ ଆମ ସମସ୍ତଙ୍କୁ, ବିଶେଷ କରି ମୋର ସମକାଳର ଲେଖକ ଲେଖିକା ବିରାଦରମାନଙ୍କୁ ମୁଁ ଗର୍କୀଙ୍କର ସେଇ ‘ମଦର୍’ର ମୁହଁକୁ ଏତେବର୍ଷ ପରେ ଆଉଥରେ ଫେରିଚାହିଁବାକୁ ଅନୁରୋଧ କରୁଛି ।
ମାଆମାନେ ଆଜିବି ପସରା ମୁଣ୍ଡେଇ ଚାଲିଛନ୍ତି । ହେଲେ ମାଆର ସନ୍ତାନମାନେ ଏବେ କେଉଁଠି? ଦୀର୍ଘଜୀବୀ ବିପ୍ଳବ କ’ଣ ଅମର ହୋଇସାରିଛି ଇତି ମଧ୍ୟରେ ? ଆଗାମୀ ଇତିହାସ ପାଇଁ ଆମର ଅଂଗୀକାରର ଦିନସବୁ କ’ଣ ସରିଯାଇଛି? ବିପ୍ଳବର କାର୍ଯ୍ୟନିର୍ଘଂଟା କ’ଣ ତାର ଶେଷ ପାରାଗ୍ରାଫ୍ରେ ପହଂଚିଯାଇଛି? ଏବେ କ’ଣ ଚାଲିଛି ଖାଲି ଖେଳ ପିରିୟଡ୍? ପଡ଼ିଆରେ ଜର୍ସିପିନ୍ଧି ରେଫରୀର ହୁଇସିଲ୍କୁ ଅପେକ୍ଷା?
ଆମ ସାହିତ୍ୟ କ୍ଲାସ୍ର ଛୁଟିଘଂଟା ବାଜିବାର ଶବ୍ଦ ସବୁଠି ଶୁଭୁଛି । ମାତ୍ର ଟିକିଏ କାନ ଡେରିଲେ ଶୁଣିପାରିବେ ଯେ ଗୋଟିଏ ଚାପା କାନ୍ଦଣାରସ୍ୱର ଏ ଛୁଟି ଘଂଟାର ଶବ୍ଦକୁ କାଟି ଦୂରରୁ ଆହୁରି ଦୂରକୁ ଚାଲିଯାଉଛି । ହଜିଯାଉଛି ହର୍ଦମ୍ ହସଖୁସିର ହୋହଲ୍ଲା ଆରପଟର ଅସରନ୍ତି ହାହାକାର ଆଡ଼କୁ । କାନ୍ଦୁଛି କିଏ? ହସୁଛି କିଏ? ମାଆ କାନ୍ଦୁଛି ତ ହସୁଛି ସନ୍ତାନ । ଇଏ ଦୁଇଟି ପକ୍ଷ । କେଉଁ ପକ୍ଷ ପାଇଁ ଲେଖିବେ ? କାହାପାଇଁ ଲେଖାଲେଖି?
ପ୍ରତ୍ୟେକ ଲେଖକ ଲେଖିକା ନୀରବରେ ନିଜକୁ ଏ ପ୍ରଶ୍ନ ପଚାରିବାର ବେଳ ଆସିଯାଇଛି । ମୋ ବିଚାରରେ, କାନ୍ଦୁଥିବା ମାଆମାନଙ୍କ ଓଠରେ ଧାରେ ହସ ଆଉ ହସୁଥିବା ସନ୍ତାନମାନଙ୍କ ହୃଦୟରେ ଟୋପାଏ ଦି ଟୋପା ଲୁହକୁ ପାଛୋଟି ଆଣି ପାରୁଥିବା କାନ୍ଦ ଯଦି ହୋଇପାରନ୍ତା ଲେଖାଲେଖିର ଲକ୍ଷ୍ୟ, ତା’ହେଲେ ‘କାହାପାଇଁ’ ଉତ୍ତର ଖାତା ପୂରା କରିବାଟା ଆଉକାହାରି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରନ୍ତା ନାହିଁ ।
ଏବେ ହସ କ୍ଳବ୍ର ଯୁଗ । ହସ ପାଇଁ ଆସର । ହସ ପାଇଁ ହରେକ୍ ଯୋଜନା ଚାରିଆଡ଼େ । ବୈଜ୍ଞାନିକ କହୁଛି – ହସ । ଡାକ୍ତରକହୁଛି – ହସ । ବନ୍ଧୁକହୁଛି – ହସ । ହସକୁ କସରତରସ୍ତରକୁ ନେଇ ଯାଇ ତାଲିମ୍ଦାତା ଦଳ ବି ସାଇବସ୍ତିଠୁ ସହର ସାରା ହସର ବ୍ୟାୟାମଶାଳା ବସାଇ ସମସ୍ତଙ୍କୁ ଡାକି କହୁଛନ୍ତି – ହସ ।
ହସିଲେ ହୃତ୍ପିଣ୍ଡ ତାଜା ରହିବ । ରକ୍ତଚାପ ରହିବ ଠିକ୍ଠାକ୍ । ମୁହଁର ମାଂସପେଶୀ ହାସଲ କରିବ ସଠିକ୍ ଚାଳନା । ଅତୁଟ ସ୍ୱାସ୍ଥ୍ୟ ହୋଇଉଠିବ ସୁଲଭ । ସହରକୁ ନୂଆଯୋଗୀ ଆସି ପ୍ରଚାର କରୁଛନ୍ତି, ହସ ବି ଗୋଟିଏ ପ୍ରକାରଯୋଗ । ଏତେ ନିଃଶ୍ୱାସ ପ୍ରଶ୍ୱାସ ରୁନ୍ଧିବା ନାସିକା ରନ୍ଧ୍ରରେ ପବନକୁ ଫାଶ ପକାଇ ଯୋଗ ପ୍ରାଣାୟମ କରିବା ଅପେକ୍ଷା, ବରଂ ଦଶମିନିଟ୍ ହସ । ଯୋଗମାର୍ଗକୁ ସୁରୁଖୁରୁ ଯାତ୍ରା ସଂଭବପର ଏ ବିନା ଖର୍ଚ୍ଚର କେଇ ମିନିଟ୍ ହସରେ । ଆଖିକାନ ବୁଜି ନୀରବ ଧ୍ୟାନ କରିବାଠୁ ଆଖିପାଟିମେଲି ଆଁ-ଖୋଲା ସଶବ୍ଦ ହସ ସହସ୍ର ଗୁଣେ ଭଲ । ହସ – ହସ – ହସ ।
ରାଜଧାନୀର ଜନସମାବେଶରେ ସଭାପତିତ୍ୱ କରି ପୁରୁଣା ପୁରୁଖା ନେତା ବି ନୂଆ ଲେଖକ ଲେଖିକାମାନଙ୍କୁ ପରାମର୍ଶ ଦେଉଛନ୍ତି – ହାସ୍ୟ ରସ ସୃଷ୍ଟିକର । ହାସ୍ୟ ହିଁ ଲାସ୍ୟ । ହାସ୍ୟ ହିଁ ଭାଷ୍ୟ । ହାସ୍ୟ ହିଁ ରହସ୍ୟ । ଯଦି ହାକିମ ଆଉ ପିଅନ ପରସ୍ପରକୁ ଦୁଇ ମିନିଟ୍ ଚାହିଁ ପ୍ରତିଦିନ ହସିବେ, ତା ହେଲେ ଅଫିସ୍ରେ ତାଲାବନ୍ଦର ଦିନ ଆସିବ ନାହିଁ କି ହରତାଳର ଦିପହର ଦିଶିବ ନାହିଁ । ପିଅନର ଛୁଟି ଦରଖାସ୍ତ ଆଉ ହାକିମର ଛଟାଦସ୍ତଖତ ମଝିରେ ଛୁଂଚିମୁନର ଦୂରତା ରହିବନାହିଁ । ଆମର ଆଉ ଫକିରମୋହନ, ପ୍ରେମଚଂଦ, ଶରତ୍ଚନ୍ଦ୍ର, ନଜରୁଲ, ସଚ୍ଚିରାଉତରା ଦରକାର ନାହିଁ – ଦରକାର ନିର୍ଧୂମ୍ହାସ୍ୟରସର ଧୁମ୍ଧାମ୍ ସାହିତ୍ୟକାର । ହସର ସାହିତ୍ୟବଜାର, ହସର ହାଟ ବସାଅ ଗ୍ରାହକ ପାଠକବର୍ଗ ପାଇଁ । ହସ ହିଁ ଅସଲ ରସ ।
ହସିବାକୁ ଇଚ୍ଛା ହୁଏ ଖୁବ୍ । ହେଲେ ହସିପାରେନା ମୋଟେ । ବସି ବସି ଭାବେ ଗୋଟିଏ କାନ୍ଦୁରା ମଣିଷର କଥା, ଯିଏ ନିଜେ ବି ନିଜର ପଚାଶ ପୂରୁପୂରୁ ଦିନେ ସାରା ଓଡ଼ିଆ ଜାତିକୁ କନ୍ଦାଇ କନ୍ଦାଇ ଚାଲିଗଲା ଚୁପ୍ଚାପ୍ । କୌଣସି ବ୍ୟକ୍ତିଗତ ମାଲିକାନାର ମୋହ ନଥିଲା ତାର ।
ମଣିଷଗଢ଼ା କାରଖାନା ଗଢ଼ିଥିଲାସତ୍ୟବାଦୀରେ, ନଥିଲା କିନ୍ତୁ ଶିଳ୍ପପତି । ସ୍ୱାଧୀନତାର ସତ୍ୟବଦ୍ଧସ୍ୱର ଶୁଣାଇବାକୁ ନିଅଁ ପକାଇଥିଲା ନିଆରା ସାମ୍ବାଦିକତାର, ହେବାକୁ ଚାହି ନ ଥିଲା କିନ୍ତୁ କସ୍ମିନ୍ କାଳେ ମାଲିକ । ଗଲା ଆଗରୁ ଟ୍ରଷ୍ଟ୍ହାତରେ ଟେକି ଦେଇଗଲା ଖବରକାଗଜ । ସର୍ବସ୍ୱାନ୍ତ ମଣିଷରସାଥୀ ସେ, ଦୀନ ଦୁର୍ଗତର ବନ୍ଧୁ, ଉତ୍କଳମଣି ଗୋପବନ୍ଧୁ । କାରାରେ ଥାଇ ଲେଖିଥିଲା କବିତା, ବନ୍ୟାଧାରାରେ ନାଆ ବାହି ବାଂଟିଥିଲା ବଂଚିବାର ଚୁଡ଼ାଚାଉଳ, ସାରା ଓଡ଼ିଆ ଜାତିର ଆତ୍ମା, ହୃଦୟ, ବିବେକକୁ ମଣିଷ ହେବାର ମନ୍ତ୍ର ପାଠରେ କରିଥିଲା ଆନ୍ଦୋଳିତ ।
‘ଲେଖା ଲେଖି କାହାପାଇଁ’ ପ୍ରଶ୍ନ ଯଦି ତାକୁ ପଚରା ଯାଇଥାନ୍ତା, ଉତ୍ତରଟା ତାକୁ ଦେବାକୁ ପଡ଼ିନଥାନ୍ତା କଦାପି । ତା’ ତରଫରୁ ଉତ୍ତର ଦେଇଥାନ୍ତେ ଓଡ଼ିଶାର ବନ୍ୟା, ବାତ୍ୟା, ବିପତିଏ ବଂଚିଲିକା ଚଢେଇଠୁ ଆରମ୍ଭ କରି ମୂଲ ଲାଗୁଥିବା ମାଟିର ମଣିଷ, ଫଟା ମାଟିର ଚାଷୀ, ଜେନାପୁରବାସୀ ପର୍ଯ୍ୟନ୍ତ କେତେ କିଏ । ଯାହାଯାହା ପାଇଁ ସେ କାନ୍ଦୁଥିଲା, ସ୍ୱପ୍ନର ଖସଡ଼ା ତିଆରି କରୁଥିଲା, ଓଡ଼ିଶା ଓ ଓଡ଼ିଆକୁ ଗୋଟିଏ ନାବରେ ବସାଇବାକୁ ଅନୁରୋଧ କରିଚାଲୁଥିଲା, ସେଇମାନେ ହିଁ ତା’ ଲେଖା ଲେଖି କାହାପାଇଁ ପ୍ରଶ୍ନରଉତରଦାୟୀ ।
ଲେଖା ଲେଖି କାହାପାଇଁ?
ସମକାଳର ଓଡ଼ିଆ ଲେଖକ ଲେଖିକାମାନଙ୍କ କଣ୍ଠସ୍ୱରରେ କେତେ କଣ ଉତର ଶୁଣାଯାଇପାରେ ମଂଚରେ, ମିଳନୀରେ, ନାନା ଶେଷ ରବିବାସରୀୟ ସାକ୍ଷାତକାରରେ । ମାତ୍ର ସେ ସବୁ ଉତ୍ତର କେତେ ଅଂଶରେ ଅସଲ ସ୍ୱର? ସାହିତ୍ୟ ଏବେ ଯେଉଁଠି ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ରଖି କେବଳ ମଖମଲୀ ମୁଖାର କଥା ପାଲଟିଯାଇଛି, ସେଠି ପ୍ରଶ୍ନର ଓ କାଲତ୍ନାମାରଦ୍ଦ ଏବଂ ଉତରଗୁଡ଼ାକ କାଠଗଡ଼ା ଡେଇଁ ଫେରାର୍ ଆସାମୀ! ଛାତିରେ ହାତ ଦେଇ ଆଜି କେତେ ଜଣ କହିବେ – ମେଲେ ଖୁଛୁ ଟୁକୁରା ଟୁକୁରା ଭଙ୍ଗା ସ୍ୱପ୍ନର ମାଆମାନଙ୍କ ପାଇଁ? ବାପମାଆଙ୍କ ରାଣ କାଇ କେତେ ଜଣ ଲେଖିକା ବି କହିବେ – ଆମେ ଲେଖୁଛୁ ଅମର୍ଯ୍ୟାଦାରେ ଭୂଲୁଣ୍ଠିତା ସେଇ ଭାଷାହୀନା ନ୍ୟାୟ ପ୍ରତୀକ୍ଷିତା ମହିଳାମାନଙ୍କ ପାଇଁ?
ଦେଶର ନାରୀ ପାଇଁସାହିତ୍ୟରେ ଯଦି ସମ୍ମାନଜନକ ନାରା ନ ଶୁଭେ, ସେସବୁ ସାହିତ୍ୟ ନାଆଁରେ ଲେଖା ଲେଖିଟା ତେବେ କାହାପାଇଁ ଆଉ କେତେଦିନ? ଆମର ସାହିତ୍ୟ ଏବେ ନ ୂଆ ପରିଭାଷାରେ ନାମିତ । ଆମେ ଆଉ ସାହିତ୍ୟ ନ କହି ସବୁଠି କହିଲୁଣି ଲେଖାଲେଖି । ଦୁଇଟା ଯାକ ଏକାକଥା ନୁହେଁ ବୋଲି ମୋର ବିନମ୍ରମତ । ସାହିତ୍ୟ କହିଲେ ଗୋଟିଏ ଯୋଗ, ଗୋଟିଏ ଜୀବନମାର୍ଗ, ଗୋଟିଏ ଏକାନ୍ନଭୋଜୀ ଅଭିବାଞ୍ଛନାଶ୍ରିତ ଅଭିବ୍ୟକ୍ତି – ଯାହାବ୍ୟକ୍ତିକୁ ଲେଖକରେ ପରିଣତ କରୁକରୁ ପରିଶେଷରେ କରାଏ ସମୂହର ସଂବେଦନଶୀଳ ଅଂଶ – ବିଚ୍ଛିନ୍ନ ଏକକ ନୁହେଁ ମୋଟେ । ଯିଏ ଅସଲ ଲେଖକ ସେ କେଭେ ଲେଖେ ନାହିଁ କାହାପାଇଁ – କାରଣ ସେ ଯାହା ଲେଖେ ସେଥିରେ ସ୍ୱୟଂ ସମୟ ହିଁ ଲେଖିଚାଲୁଥାଏ ନିଜସ୍ୱ କଥନ, ଅସମାପ୍ତ ଆତ୍ମଚରିତର ସୂକ୍ଷ୍ମ ଶ୍ରୁତଲିଖନ ।
ଲେଖାଲେଖି କଥାଟା ସାହିତ୍ୟର ସଚ୍ଚା ନାମାନ୍ତର ନୁହେଁ । ଏଥିରେ ସାହିତ୍ୟଗତ ଦାୟିତ୍ୱ ଯେତେ ନାହିଁ, ସେତେ ଅଛି ଏକ ବ୍ୟକ୍ତିଗତସ୍ପୃହାର ଶାବ୍ଦିକ ସମରାଭ୍ୟାସ ମାତ୍ର । ଯୁଦ୍ଧ ନାହିଁ, ଶିବିର ନାହିଁ, ସାମ୍ମୁଖ୍ୟ ନାହିଁ, ଆହ୍ୱାନ ନାହିଁ – ଅଥଚ ଅଂଗୀକାରହୀନ ଏକ ଅଭ୍ୟାସର ଅଂଗଚାଳନା – ଆକାଶକୁ ଅସ୍ତ୍ରଉତୋଳନ – ଶୂନ୍ୟତାକୁ ବଦ୍ଧମୁଷ୍ଟି ପ୍ରଦର୍ଶନ । ସାହିତ୍ୟବୋଧ ଅପେକ୍ଷା ଏ ଧାରାରେଏବେ ଅନୁପ୍ରବେଶ କରିଛି ଅରୁଚିକର ଅନେକ ପ୍ରକାର ଆଭିମୁଖ୍ୟ – ଯେମିତି ମଂଚଦଖଲ, ପୁରସ୍କାର ହାସଲ, ପ୍ରଶଂସାପତ୍ର/ ମାନପତ୍ର ଆଦାୟର ନୟାନ୍ତ ନକଲ ।
ଏଇଭଳି ସ୍ଥୂଳ, ନ୍ୟସ୍ତସ୍ୱାର୍ଥ, ଇତର ପର୍ଯ୍ୟାୟକୁ ଆସି ସାହିତ୍ୟ ଯଦି ନିଜ ପାଇଁ ଏ ନୂତନ ନାମକରଣ ଏହି ଲେଖାଲେଖି ରୂପ କବଜାର ବୁଲା ବେଶପଟା ମଡ଼ାଇ କ୍ରମେ ଦେଖାଦେଖି, ଟେକାଟେକି ଆଦତ୍ ଆଦରି ବସେ ଏବଂ ଭିତର ଫମ୍ପା ଥାଇ କେବଳ ବାହାରଟା ଚମ୍ପା ରଙ୍ଗ ବୋଳି ବିକୃତିପୂର୍ଣ କୃତିପ୍ରକାଶର ପ୍ରକ୍ରିୟା ବଜାୟ ରଖେ, ତା’ ହେଲେ ସେଠି – ଏ ଲେଖାଲେଖି ଯେପରି କେବେବି ନ ହେଉ କାହାପାଇଁ ! ଏପରି ଲେଖକ ଲେଖିକା ଆମ ସାହିତ୍ୟରୁଚିର ପରିପନ୍ଥୀ – ତେଣୁ ଯଥାଶୀଘ୍ର ପରିତ୍ୟଜ୍ୟ – ଅନ୍ତତଃ ଆମ ସାଂସ୍କୃତିକ ମୂଲ୍ୟବୋଧର ସର୍ବନିମ୍ନ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିକୋଣରୁ ।
Comments are closed.