Latest Odisha News

BREAKING NEWS

ଦିଲ୍ଲୀ ମହିଳାଙ୍କ ମନରେ କିଏ?

ନୂଆଦିଲ୍ଲୀ: କାହା ସପକ୍ଷରେ ଦିଲ୍ଲୀ ମହିଳା ଭୋଟର ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ ? ଦିଲ୍ଲୀରେ ନିର୍ଣ୍ଣାୟକ ହେବେ ମହିଳା ଭୋଟର । କାହାକୁ ଦିଲ୍ଲୀ ଗାଦିରେ ବସାଇବେ ଅଧା ଜନସଂଖ୍ୟା? ଦିଲ୍ଲୀରେ ୫ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ବଢିଛି ରାଜନୈତିକ ପାରଦ। ତେବେ ସବୁ ଦଳର ଫୋକସରେ ରହିଛନ୍ତି ମହିଳା ଭୋଟର । ଆପ୍ ହେଉ କିମ୍ବା ବିଜେପି ଓ କଂଗ୍ରେସ, ସମସ୍ତେ ମହିଳା ଭୋଟବ୍ୟାଙ୍କ ନିଜ ସପକ୍ଷରେ କରିବାକୁ ଉଦ୍ୟମ କରୁଛନ୍ତି । ତିନି ଦଳ ପକ୍ଷରୁ ମହିଳାଙ୍କ ପାଇଁ ଆର୍ଥିକ ସହାୟତା, ମାଗଣା ସୁବିଧା ତଥା ସ୍ବାସ୍ଥ୍ୟସେବା ଭଳି ଘୋଷଣା କରାଯାଇଛି ।

ଦିଲ୍ଲୀରେ କାହିଁକି ମହିଳାଙ୍କୁ ଫୋକସ୍ ?

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଦିଲ୍ଲୀରେ ପ୍ରାୟ ୪୬ପ୍ରତିଶତ ମହିଳା ଭୋଟର । ତେଣୁ ନିର୍ବାଚନରେ ମହିଳା ଭୋଟରଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ୨୦୨୦ରେ ମହିଳାଙ୍କ ଭୋଟିଂ ୬୨.୫ପ୍ରତିଶତ ରହିଥିବା ବେଳେ ପୁରୁଷଙ୍କ ମତଦାନ ରହିଥିଲା ୬୨.୬ପ୍ରତିଶତ । ଦିଲ୍ଲୀରେ ଏଥର ମୋଟ୍ ଭୋଟର ୧.୫୫କୋଟି ରହିଥିବା ବେଳେ ୭୧.୭୪ଲକ୍ଷ ମହିଳା ଭୋଟର ରହିଛନ୍ତି । ତେଣୁ ଯେଉଁ ଦଳକୁ ମହିଳାଙ୍କ ସମର୍ଥନ ମିଳିବ, ସେହି ଦଳ ପାଇଁ ବିଜୟର ବାଟ ସହଜ ହେବ । ଆଉ ସେଥିପାଇଁ ଦିଲ୍ଲୀର ତିନି ପ୍ରମୁଖ ଦଳ ମହିଳା ଭୋଟବ୍ୟାଙ୍କକୁ ଫୋକସ୍ କରିଛନ୍ତି ।

ମହିଳାଙ୍କ ପାଇଁ ପ୍ରତିଶ୍ରୁତି ବର୍ଷା

ଆପ୍, ବିଜେପି ଓ କଂଗ୍ରେସ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଘୋଷଣା କରିଛନ୍ତି । ପୁଣି କ୍ଷମତାକୁ ଫେରିଲେ ମହିଳାଙ୍କୁ ମାସକୁ ୨୧ଶହ ଟଙ୍କା ଦେବାକୁ ଘୋଷଣା କରିଛି ଆପ୍। ଏହାସହ ମହିଳାଙ୍କୁ ମାଗଣାରେ ବସଯାତ୍ରା ଯୋଜନା ଆଗକୁ ବି ଜାରି ରହିବ ବୋଲି କହିଛି । ବିଜେପି ଓ କଂଗ୍ରେସ ମାସିକ ଆର୍ଥିକ ସହାୟତାକୁ ୨୫ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ବିଜେପି ଆଉ ପାଦେ ଆଗକୁ ଯାଇ ଗର୍ଭବତୀ ମହିଳାଙ୍କୁ ୨୧ହଜାର ଟଙ୍କା ସହାୟତା ସହ ୬ଟି ପୋଷଣ କିଟ୍ ଦେବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ବିଧବା ମହିଳାଙ୍କ ଭତ୍ତାକୁ ୨୫ଶହରୁ ୩ହଜାର ଟଙ୍କାକୁ ବୃଦ୍ଧି କରିବାକୁ କହିଛି ଦଳ । କଂଗ୍ରେସ ପ୍ୟାରୀ ଦିଦି ଯୋଜନାରେ ୨୫ଶହ ଟଙ୍କା ସହାୟତା ସହ ଦରବୃଦ୍ଧିକୁ ମାତ୍ ଦେବାକୁ ମହିଳାଙ୍କୁ ପ୍ରତି ମାସ ରାସନ କିଟ୍ ଦେବାକୁ ଘୋଷଣା କରିଛି ଦଳ ।

ମହିଳାଙ୍କ ଉପରେ କେତେ ପ୍ରଭାବ?

ନିର୍ବାଚନ ଜିତିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ଏସବୁ ଘୋଷଣା ଲାଗୁ କରିବାକୁ ତିନି ପ୍ରମୁଖ ଦଳ ପ୍ରତିଶ୍ରୁତି ଦେଇଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏସବୁ ଘୋଷଣା ମହିଳାଙ୍କ ଉପରେ ପ୍ରଭାବ ପକାଇପାରେ । ତେବେ ଏଭଳି ଘୋଷଣା ଲମ୍ବା ସମୟ ଧରି ଚଳାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦରଦାମ ବୃଦ୍ଧି ସମୟରେ ମାସିକ ୨୫ଶହ ଟଙ୍କା ମହିଳାଙ୍କ ପାଇଁ ବଡ ଆଶ୍ବସ୍ତି ଆଣିପାରେ । ତେବେ ଆର୍ଥିକ ସହାୟତା ଘୋଷଣା ସହ ସୁରକ୍ଷା ଭଳି ମହିଳା ସାମନା କରୁଥିବା ବିଭିନ୍ନ ସମସ୍ୟା ଆଖି ଆଢୁଆଳରେ ରହି ଯାଉଥିବା କୁହାଯାଉଛି ।

ଭୋଟ୍ ପାଇଁ ମହିଳାଙ୍କୁ ଫୋକସ୍ କରୁଥିବା ରାଜନୈତିକ ଦଳ କିନ୍ତୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି କମ୍ ମହିଳା ପ୍ରାର୍ଥୀ । ୨୦୨୦ରେ ଆପ୍, ବିଜେପି ଓ କଂଗ୍ରେସ ମୋଟ୍ ୨୪ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ସାମାନ୍ୟ ବଢି ୨୬ରେ ପହଞ୍ଚିଛି । ଯାହା ମୋଟ୍ ପ୍ରାର୍ଥୀଙ୍କର ମାତ୍ର ୧୨ପ୍ରତିଶତ । ମହିଳାଙ୍କୁ ସମ୍ମାନ, ସହାୟତା ଓ ସୁବିଧା ଦେବାକୁ ବଡ ବଡ ଘୋଷଣା କରିବା ସହ ମହିଳା ସଶକ୍ତିକରଣ ନେଇ ନାରା ଲଗାଉଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ତେବେ ମହିଳାଙ୍କୁ ଟିକେଟ୍ ଦେବାରେ ଏବେବି ପଛରେ ରହିଛନ୍ତି ।

Comments are closed.