ନୂଆଦିଲ୍ଲୀ: ଟ୍ରମ୍ପ ୨.୦ରେ କେମିତି ରହିବ ଭାରତ ସହ ସଂପର୍କ? ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତି, ଭାରତକୁ କେତେ ଲାଭ? ପ୍ରଚାର ସମୟରେ ହିଁ ଭାରତ ଉପରେ ଶୁଳ୍କ ବଢାଇବା ନେଇ ସଂକେତ ଦେଇସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଭଳି ସ୍ଥିତିରେ ଭାରତକୁ ନେଇ କଣ ରହିବ ଟ୍ରମ୍ପ ପ୍ରଶାସନ ଆଭିମୁଖ୍ୟ, ତାଉପରେ ନଜର ରହିଛି । ଟ୍ରମ୍ପଙ୍କ ପ୍ରାରମ୍ଭିକ ନିଷ୍ପତ୍ତିରେ ଭାରତର ନାଁ ନାହିଁ । ତେବେ ବ୍ରିକ୍ସ ଦେଶ ସମୁହକୁ ଧମକ, ନାଗରିକତା ଆଇନରେ ପରିବର୍ତ୍ତନ, ଶକ୍ତ ପ୍ରବାସ ନିୟମ ଓ ଆମେରିକା ପ୍ରଥମ ନୀତି ଭଳି ପ୍ରସଙ୍ଗ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭାରତର ଚିନ୍ତା ବଢାଇପାରେ ।
ଆମେରିକା ପ୍ରଥମ ନୀତି
ଆମେରିକା ପ୍ରଥମ ନୀତିରେ ବିଶ୍ବାସ କରନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ପ୍ରଚାର ସମୟରେ ଆମେରିକା ହିଁ ତାଙ୍କର ପ୍ରାଥମିକତା ହେବ ବୋଲି କହିଥିଲେ ଟ୍ରମ୍ପ । ନିଜ ଅଭିଭାଷଣରେ ବାରମ୍ବାର ମେକ୍ ଆମେରିକା ଗ୍ରେଟ୍ ଏଗେନର ନାରା ଲଗାଉଥିଲେ । ସୋମବାର ସମ୍ବୋଧନରେ ବି ଟ୍ରମ୍ପ ଏହାକୁ ଦୋହରାଇଛନ୍ତି । ଆମେରିକା ଓ ଭାରତ ବିଶ୍ବର ବଡ ବ୍ୟବସାୟିକ ପାର୍ଟନର । ତେବେ ଆମେରିକା ପ୍ରଥମ ନୀତିକୁ ଭାରତ ସହ ବ୍ୟବସାୟରେ ଟ୍ରମ୍ପ ଲାଗୁ କଲେ ଭାରତ କ୍ଷତି ସହିପାରେ । ପୂର୍ବରୁ ଟ୍ରମ୍ପ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଉଥିବା କହିବା ସହ ଏହାର ଜବାବରେ ଆମେରିକା କଡା ପଦକ୍ଷେପ ନେବ ବୋଲି କହିଥିଲେ । କାନାଡା ଓ ମେକ୍ସିକୋ ଉପରେ ଫେବ୍ରୁଆରୀ ୧ରୁ ୨୫ପ୍ରତିଶତ ଶୁଳ୍କ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।
ଟଙ୍କା ବନାମ ଡଲାର
ଟ୍ରମ୍ପଙ୍କ ନୀତି ଭାରତୀୟ ଟଙ୍କା ଉପରେ ବି ପ୍ରଭାବ ପକାଇପାରେ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ଭାରତ ପାଇଁ ଆମଦାନୀ ମହଙ୍ଗା ହୋଇଯିବ । ଫଳରେ ଦେଶରେ ଦରବୃଦ୍ଧି ହେବ । ଖାଲି ସେତିକି ନୁହେଁ ଡଲାରର ମୂଲ୍ୟ ବୃଦ୍ଧି ହେଲେ ଭାରତର ନିବେଶକଙ୍କ ପାଇଁ ଡଲାର ଆଧାରିତ ବଜାରରେ ନିବେଶ ମହଙ୍ଗା ହେବ । ଆମେରିକାରେ ଭାରତର ଏଫଡିଆଇ ଷ୍ଟକ୍ ୨୦୨୨ରେ ୩.୭ବିଲିୟନ ଡଲାର ଥିଲା । ଯାହା ୨୦୨୧ଠାରୁ ୭.୦ପ୍ରତିଶତ ଅଧିକ ରହିଥିଲା । ଡଲାର ଦର ବଢିଲେ ଭାରତ ପାଇଁ ନିବେଶ ମହଙ୍ଗା ହୋଇଯିବ ।
ବ୍ରିକ୍ସ ଦେଶଙ୍କୁ ଚେତାବନୀ
ଶପଥ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶଗୁଡିକୁ ଚେତାବନୀ ଦେଇଛନ୍ତି । ବ୍ରିକ୍ସ ଦେଶ ଗୁଡିକ ଡଲାରର ପ୍ରଭୁତ୍ବକୁ ଭାଙ୍ଗିବା ପାଇଁ ବିକଳ୍ପ ମୁଦ୍ରା ପ୍ରଚଳନକୁ ନେଇ ବିଚାର କରୁଛନ୍ତି । ତେବେ ବ୍ରିକ୍ସ ଦେଶ ଗୁଡିକ ଆମେରିକା ବିରୋଧୀ ନୀତି ଗ୍ରହଣ କଲେ ସେମାନଙ୍କୁ ପରିଣାମ ଭୋଗିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି । ପୂର୍ବରୁ ବ୍ରିକ୍ସ ଦେଶ ଗୁଡିକ ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରା ଆଣନ୍ତି ତେବେ ସେମାନଙ୍କ ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ କହିଥିଲେ। ଶପଥ ନେବା ପରେ ବି ସମାନ କଥା ଦୋହରାଇଛନ୍ତି । ୨୦୨୩ ବ୍ରିକ୍ସ ଶିଖର ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଡଲାରର ବିକଳ୍ପ ମୁଦ୍ରା ନେଇ ବିଚାର କରିବାକୁ କହିଥିଲେ । ଭାରତ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ରହିଛି ।
ଇରାନ ଓ ଋଷ ଉପରେ କଟକଣା
ଆମେରିକା ପ୍ରଶାସନର ଇରାନ ଓ ଋଷ ସହ କୁଟନୈତିକ ବିବାଦ ରହିଛି । ତେବେ ଦୁଇ ଦେଶରୁ ବହୁ ପରିମାଣରେ ଅଶୋଧିତ ତୈଳ କିଣେ ଭାରତ । ତେଲ ନକିଣିବା ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚାପ ପକାଇ ଆସୁଛି ଆମେରିକା । ତେବେ କମ୍ ଦରରେ ଋଷ ଭାରତକୁ ଅଶୋଧିତ ତେଲ ଦେଉଥିବାରୁ କିଣିବା ଦେଶର ଅର୍ଥନୀତି ପାଇଁ ଲାଭଦାୟକ । ଯଦି ଟ୍ରମ୍ପ ତେଲ ନକିଣିବାକୁ ଭାରତ ଉପରେ ଅଧିକ ଚାପ ପକାନ୍ତି ତେବେ ଆର୍ଥନୈତିକ ଓ କୁଟନୈତିକ ସମସ୍ୟା ସୃଷ୍ଟି ହୋଇପାରେ । କରୋନା ସମୟରେ ଋଷଠାରୁ କମ୍ ଦରରେ ଅଶୋଧିତ ତେଲ କିଣି ଅର୍ଥନୀତିକୁ ସ୍ଥିର ରଖିପାରିଥିଲା ଭାରତ ।
ନୂଆ ଇମିଗ୍ରେସନ୍ ନୀତି
ଆମେରିକାକୁ ଅନୁପ୍ରବେଶକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି ଟ୍ରମ୍ପ । ପ୍ରଥମ କାର୍ଯ୍ୟକାଳରେ ଏଚଓ୍ବାନ୍ ଭିସା ନୀତିକୁ ଶକ୍ତ କରିବାକୁ ଉଦ୍ୟମ କରିଥିଲେ ଟ୍ରମ୍ପ । ଯାହା ଆମେରିକାରେ ଭାରତୀୟଙ୍କ କର୍ମନିଯୁକ୍ତିକୁ ପ୍ରଭାବିତ କରିଥିଲା । ଏଚଓ୍ବାନ୍ ଭିସା ପାଇଁ ସର୍ବନିମ୍ନ ବେତନ ସୀମାକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ସେହିପରି ଆମେରିକାରେ ଜନ୍ମ ସହ ମିଳୁଥିବା ନାଗରିକତା ନିୟମକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଏହା ଲାଗୁ ହେଲେ ଆମେରିକାରେ ଜନ୍ମ ହେଲେ ପିଲାଙ୍କୁ ଆମେରିକା ନାଗରିକତା ମିଳିବନି । କେବଳ ଭିସା ନୁହେଁ ପଢିବା ପାଇଁ ଆମେରିକା ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅଡୁଆ ବଢିପାରେ ।
Comments are closed.